ଗୋଟିଏ କେନ୍ଦ୍ର ଦୁଇଟି ବୃତ୍ତ

 

 

 

 

 

 

 

 

 

 

 

ଗୋଟିଏ କେନ୍ଦ୍ର ଦୁଇଟି ବୃତ୍ତ

ରଣଧୀର ଦାସ

 

ସୂଚୀପତ୍ର

 

୧.

ଗୋଟିଏ କେନ୍ଦ୍ର ଦୁଇଟି ବୃତ୍ତ

୨.

ବେସୁରା ବଂଶୀ

୩.

ଦୁଇଟି ଚପଳ ନୟନ

୪.

ପରାଜୟ

୫.

ସେଇ ହସ ସେଇ ମୁହଁ

୬.

ପରିଚୟ

୭.

ବିଜୁଳି ତାର

୮.

ଅସମାପ୍ତ

୯.

ଅଶୁଭ ଅଗଷ୍ଟ

୧୦.

ପ୍ରତୀକ୍ଷା

୧୧.

ଭାରତ ବ୍ଲେଡ୍‍, ହାୱାଇସ୍ଲିପର ଓ ଶ୍ରୀଲେଖା ପେନ୍‍

୧୨.

ଶାପ ମୋଚନ

୧୩.

ମଶାଣି ଶିଖା

୧୪.

ଛନ୍ଦ ପତନ

୧୫.

ହିମ ରାତ୍ରିର ମାୟା

Image

 

ଗୋଟିଏ କେନ୍ଦ୍ର ଦୁଇଟି ବୃତ୍ତ

 

ଆର୍ଟିଷ୍ଟ ଭିଲ୍ଲା–

 

୧୯୬୧ ମଡେଲ୍‍ ନୀଳ ରଙ୍ଗର ଆମ୍ବାସାଡ଼ାର କାର୍‍ର ବ୍ରେକ୍ ଚାପିଲା ନମିତା । କୋଳାହଳମୟ ସହରଠାରୁ ଦୂରରେ କାଠଯୋଡ଼ୀ ତୀରରେ ଏକ ଶାନ୍ତ କମ୍ର, ପରିବେଷ୍ଟନୀ ମଧ୍ୟରେ ଗଢ଼ିଉଠିଛି ଶିଳ୍ପୀ ସୁରଜିତଙ୍କର କ୍ଷୁଦ୍ର ଅଥଚ ନୂଆ ଡିଜାଇନର ଏକମହଲା କୋଠା । କୋଠାର ଦୁଇପାର୍ଶ୍ଵରେ ଦୁଇଟି ମସୃଣ ଘାସ ଲନ୍‍ ଏବଂ ରଙ୍ଗବେରଙ୍ଗ ଦେଶୀ ବିଦେଶୀ ଫୁଲଗଛ ଆର୍ଟିଷ୍ଟଭିଲ୍ଲାର ଶୋଭା ବର୍ଦ୍ଧନ କରୁଛି । ସିଲ୍‍ଭର ଷ୍ଟିଲ ଗେଟର ବାମପାଖରେ ଧଳା ମାର୍ବଲ ପ୍ରସ୍ତର ଫଳକ ମଧ୍ୟରେ ଛୋଟ କଳା ଇଟାଲିକ୍ ଅକ୍ଷରରେ ଲେଖାଯାଇଛି–‘ସୁରଜିତ ଦାସ’ ।

 

ଶାନ୍ତି ନିକେତନ ଭ୍ୟାନିଟ ବ୍ୟାଗ ହାତରେ ଝୁଲାଇ ଲୀଳାୟିତ ଭଙ୍ଗୀରେ ଅନୁଚ୍ଚସ୍ଵରରେ ଗୀତଗାଇ ଗେଟ୍ ଖୋଲି ଆର୍ଟିଷ୍ଟଭିଲ୍ଲା ଭିତରକୁ ପ୍ରବେଶ କଲା ନମିତା । ସାମାନ୍ୟ ଇତସ୍ତତଃ ହୋଇ କଲିଂବେଲରେ ମୃଦୁ ଆଘାତ କଲା । ଭିତରୁ ଜଣେ ପୌଢ଼ା ମହିଳା ଦୁଆର ଖୋଲି ଜିଜ୍ଞାସୁଭରା ଦୃଷ୍ଟିରେ ଚାହିଁରହିଲେ ।

 

ମିଃ ସୁରଜିତ ଦାସ ଅଛନ୍ତି ? ପଚାରିଲା ନମିତା ।

 

ନା, ନିଖିଳ ଉତ୍କଳ ସଙ୍ଗୀତ ସମ୍ମିଳନୀକୁ ଯାଇଛନ୍ତି, ଆପଣଙ୍କର ଯଦି ଜରୁରୀ ଆବଶ୍ୟକ ଥାଏ ତେବେ ଗୋଟିଏ ସ୍ଲିପରେ ଆପଣଙ୍କର ପରିଚୟ ଓ ଠିକଣା ଲେଖି ଦେଇଯାଆନ୍ତୁ ।

 

ନା, ବିଶେଷ ଜରୁରୀ ନୁହେଁ, ମୁଁ ପରେ ଆଉଥରେ ଆସିବି ।

 

ଆମ୍ବାସାଡ଼ାର କାରରେ ଷ୍ଟାର୍ଟ ଦେଲା ନମିତା । ସହରର ବିଶିଷ୍ଟ କଣ୍ଟ୍ରାକ୍ଟର ଦେବବ୍ରତ ଦାସଙ୍କର ଏକମାତ୍ର ଅଲିଅଳ କନ୍ୟା ନମିତା । ବିପତ୍ନୀକ ଦେବବ୍ରତଙ୍କର ନମିତା ପୁତ୍ରକନ୍ୟା ସବୁ କିଛି । ତେଣୁ ତା’ର ହୃଦୟର ବ୍ୟଥା ବା ଚକ୍ଷୁରେ ଅଶ୍ରୁର ଗଙ୍ଗାଯମୁନା କଦାପି ସହ୍ୟ କରିପାରନ୍ତି ନାହିଁ ଧନ କୁବେର ଦେବବ୍ରତ ଦାସ । ଦେବବ୍ରତଙ୍କର ସ୍ନେହର ଅନ୍ୟ ଏକ ଅଂଶୀଦାର ଅମିତା, ତାଙ୍କର ଝିଆରୀ ପିଲାଦିନୁ ପିତାମାତାଙ୍କୁ ହରାଇ ଅମିତା ଦାଦା ଦେବବ୍ରତଙ୍କର ସ୍ନେହରେ କିଣି ହୋଇଯାଇଥିଲା । ଦେବବ୍ରତ ମଧ୍ୟ ନିଜର ଝିଆରୀ ପ୍ରତି କର୍ତ୍ତବ୍ୟରେ କୌଣସି ତ୍ରୁଟି କରନ୍ତି ନାହିଁ । ନମିତା ଓ ଅମିତା ଗୋଟିଏ ଘରେ ଦୁଇଟି ଭଉଣୀ ପରି ଚଳନ୍ତି–ଗୋଟିଏ ବୃନ୍ତରେ ସତେଯେପରି ଦୁଇଟି ପୁଷ୍ପ ।

 

ନମିତା–ଅମିତା ନା’ରେ ତଥା ବୟସଗତ ସାମଞ୍ଜସ୍ୟ ଥିଲେ ମଧ୍ୟ ବାସ୍ତବତାରେ ଆକାଶପାତାଳ ପାର୍ଥକ୍ୟ । ନମିତାର ରୂପଲାବଣ୍ୟ, ନିଟୋଳ ସ୍ଵାସ୍ଥ୍ୟ, ଟଣା ଟଣା ଭୂରୁ, ପୋଟଳଚିରା ଆଖି, ଶରୀରରେ ଦୁଧ ଅଳତା ରଙ୍ଗର ଉଜ୍ଜ୍ୱଳତା, ଓଠରେ ମୋନାଲିସାର ହସ, ସମସ୍ତଙ୍କୁ ମୁଗ୍‍ଧକରେ । ଧୀର ଚାଲିରେ ଅଜନ୍ତା ନର୍ତ୍ତକୀର ଭଙ୍ଗୀମା, ଥିରି ଥିରି କଥା ସମସ୍ତଙ୍କୁ ଆକର୍ଷଣ କରେ, ମାତ୍ର ନମିତା ଉଦ୍ଧତ, ଗର୍ବୀ ଓ ଅଭିମାନିନୀ । ବିଳାସ ବ୍ୟସନ; ନୃତ୍ୟଗୀତର ଆତିଶଯ୍ୟ ଭିତରେ ବୁଡ଼ିରହି ସେ ଶିକ୍ଷାର ଅବମାନନା କରେ । ପାଠ ପ୍ରତି ଅବହେଳା ଦେଖାଏ । ନମିତା ସୁନର୍ତ୍ତକୀ ଓ ସୁଗାୟିକା ମଧ୍ୟ ।

 

ଅମିତା ସୁଶ୍ରୀ ନୁହେଁ, ତଥାପି କୁଶ୍ରୀ କହିହେବ ନାହିଁ । କଳାର ମଡେଲ୍‍ ହୁଏତ ହୋଇନପାରେ ମାତ୍ର ଶିଳ୍ପୀର ତୂଳୀ ପାଇଁ ବେଶ୍ ଆକର୍ଷଣୀୟ । ମିତଭାଷିଣୀ ଅମିତା ନମ୍ର, ବିନୟୀ, ସ୍ନେହୀ ଓ ହସ ହସ । କଲେଜର କୃତୀ ଛାତ୍ରୀ ଅମିତା ସୁଲେଖିକା । ହବି ଭାବରେ ଏସ୍‍ରାଜ ଭାଓଲିନ ଶିକ୍ଷା କରିଛି ।

 

ଜଣେ ବିଳାସ ଓ ଅହଙ୍କାରର ଶୀର୍ଷରେ, ଅନ୍ୟଟି ସରଳ ନରାଡ଼ମ୍ବର । ଜଣେ ମହୋଦଧିର ଜୁଆରପରି ଦୁର୍ଦାନ୍ତ, ଅନ୍ୟଟି ସରୋବର ଜଳପରି ଶାନ୍ତ, ଗଭୀର ।

 

ଦେବବ୍ରତ ଅମିତାର ଗୁଣରେ ଯେତିକି ମୁଗ୍‍ଧ ହୁଅନ୍ତି ନମିତାର ଦୁର୍ଗୁଣରେ ସେତିକି କ୍ଷୁବ୍‍ଧ ହୁଅନ୍ତି । ଜଣେ କନ୍ୟା ଅନ୍ୟଟି ଝିଆରୀ ।

 

ତରୁଣ ଶିଳ୍ପୀ ସୁରଜିତ ଦାସ ଚାରୁକଳା, ନୃତ୍ୟ ଓ ସଙ୍ଗୀତରେ ଅସାଧାରଣ ଦକ୍ଷ । ସହରର ସୁପରିଚିତ ଅନେକ ନୃତ୍ୟ ସଂସ୍ଥା ସହିତ ସେ ଜଡ଼ିତ । ପିଲାଦିନୁ ସେ ଅନାଥ, ଦୟାଶୀଳା ମାଉସୀଙ୍କର ସ୍ନେହ ଓ ସାହଚର୍ଯ୍ୟରେ ଜୀବନତରୀ ତାଙ୍କର ଭାସି ଚାଲିଛି । ନିସଙ୍ଗ ଶୁଷ୍କ ଜୀବନ ମରୁଭୂମିରେ କଳାହିଁ ତାଙ୍କର ଓଏସିସ୍ । ନୃତ୍ୟ କଳା ସଙ୍ଗୀତର ପାରାବାରରେ ବୁଡ଼ିରହି ସେ ହଜାଇ ଦିଅନ୍ତି ନିଜକୁ । କଳାର ପୂଜାରୀ ଶିଳ୍ପୀ ସୁରଜିତ ଅତୀତକୁ ଭାଳି ଦୁଃଖିତ ହୁଅନ୍ତି ନାହିଁ, ଭବିଷ୍ୟତର ରଙ୍ଗୀନ ନିଶାରେ ମଜଗୁଲ ହୁଅନ୍ତିନାହିଁ । ତାଙ୍କ ନିକଟରେ ବର୍ତ୍ତମାନ ହିଁ ନିରାଟ ବାସ୍ତବତା । ନିରବଛିନ୍ନ ସାଧନା ଓ ଚେଷ୍ଟାରେ ସେ ଲଳିତକଳା ଜଗତରେ ଅଦ୍ଵିତୀୟ–ଅପ୍ରତିଦ୍ଵନ୍ଦୀ ସମ୍ମାନିତ ଓ ଅଭିନନ୍ଦିତ ।

 

ସେ ଏକ ଅଳସ ପୌଷ ସନ୍ଧ୍ୟା । ଆଡ଼ମ୍ବରମୟ, ସୁସଜ୍ଜିତ ରଙ୍ଗମଞ୍ଚରେ ଶିଳ୍ପୀ ସୁରଜିତଙ୍କର ନୃତ୍ୟରେ ମନ୍ତ୍ରମୁଗ୍‍ଧ ହୋଇଥିଲେ ନମିତା–ଅମିତା । ପରେ ପରିଚୟ ପାଇ ନୃତ୍ୟ ଓ ସଙ୍ଗୀତ ଶିକ୍ଷା କରିବାର ଅଭିଳାଷ ନେଇ ଅନୁରୋଧ ଜଣାଇବାକୁ ଆର୍ଟିଷ୍ଟଭିଲ୍ଲାକୁ ଆସିଥିଲା ନମିତା ।

 

ଇତି ମଧ୍ୟରେ ଏକାଧିକ ଅନୁରୋଧ ପରେ ସୁରଜିତ ନମିତା ଓ ଅମିତା ଉଭୟଙ୍କୁ ନୃତ୍ୟ ଓ ସଙ୍ଗୀତ ଶିକ୍ଷା ଦେବାପାଇଁ ସ୍ଵୀକୃତି ଦେଇଛନ୍ତି । ସପ୍ତାହରେ ମାତ୍ର ଦୁଇଦିନ ଶିକ୍ଷା ଦେବେ ସେ । ସମୟର ଚକ ଗଡ଼ିଚାଲେ ଆଗକୁ, ନିର୍ବିକାର ଭାବରେ ତରୁଣ ସୁରଜିତ ନିଜର କର୍ତ୍ତବ୍ୟ କରିଯାଆନ୍ତି । ବେଳେବେଳେ ସୁରଜିତ ଲକ୍ଷ୍ୟକରନ୍ତି ନମିତା ଦିନକୁଦିନ ଅନ୍ୟମନସ୍କା ହୋଇଯାଉଛି, ତାଳ ଓ ମାତ୍ରା ଭୁଲ କରୁଛି ମାତ୍ର ଅମିତାର ଶିକ୍ଷା ତ୍ରୁଟିହୀନ । ଅତି ଅଳ୍ପ ଇଙ୍ଗିତରେ ରାଗ ଓ ସୁର ଧରିପାରୁଛି । ଅମିତାର ସାଧନା ଓ ନିଷ୍ଠାରେ ମୁଗ୍‍ଧ ହୁଅନ୍ତି ସୁରଜିତ । ତା’ର ସଂଯତ କଥା, ଆମାୟିକ ବ୍ୟବହାର, ଚୁନି ଚୁନି ହସ ସୁରଜିତ ହୃଦୟରେ ଅଲିଭାଗାର ଟାଣିଦିଏ । ତରୁଣ ସୁରଜିତଙ୍କର ଶୁଷ୍କ ନୀରସ ଯୌବନ ମରୁଦୁର୍ବା ସବୁଜଶ୍ରୀ ଧାରଣ କରେ ।

 

ନୃତ୍ୟ ଶିକ୍ଷାନବିସ୍‍ ତରୁଣୀ ରୂପସୀ ନମିତା । ନୃତ୍ୟର ତାଳେ ତାଳେ ନିଜର ଅନିନ୍ଦ୍ୟ ତନୁଶ୍ରୀର ଭଙ୍ଗୀରେ ମାଦକତା ସୃଷ୍ଟିକରେ । ଚକ୍ଷୁରେ ଚଞ୍ଚଳା ହରିଣୀର ଛଳଛଳ ଚାହାଣୀ ଓଠରେ ନବପରିଣୀତା ବଧୁଲି ମନ୍ଦହାସ ସଂଯମୀ ସୁରଜିତଙ୍କର ମନକୁ ବେସୁରା କରେ । ସୁରଜିତ ତାଳ ଓ ରାଗ ଭୁଲ କରନ୍ତି । ଛନ୍ଦାୟିତ ନୃତ୍ୟର ନୂପୁର ନିକ୍ଵଣ ଥମିଯାଏ, ନମିତା କଟାକ୍ଷ ହାଣି ବିଜୟିନୀର ହସ ହସେ । ସୁରଜିତ ନିଜର ଦୁର୍ବଳତା ପାଇଁ ଲଜ୍ଜିତ ହୁଅନ୍ତି !

 

ଦିନକୁ ଦିନ ଶିଳ୍ପୀ ସୁରଜିତ ଚିନ୍ତିତ ହୋଇପଡ଼ନ୍ତି । ସମସ୍ତେ ଲକ୍ଷ୍ୟ କରନ୍ତି ସୁରଜିତଙ୍କର ଅନ୍ୟମନସ୍କତା–ନିଷ୍କ୍ରିୟତା ।

 

ସୁରଜିତ ନିଜେ ମଧ୍ୟ ଅସୁସ୍ଥବୋଧ କରନ୍ତି । ଶାରୀରିକ ନୁହେଁ, ମାନସିକ । ମାନସିକ ଦ୍ଵନ୍ଦ୍ୱ ମଧ୍ୟରେ ସେ ଜୀବନ ଦୁର୍ବିସହ ମନେକରନ୍ତି । ଅମିତା ଓ ନମିତା ଦୁଇଜଣ ତାଙ୍କ ଜୀବନ ତନ୍ତ୍ରୀକୁ ବେସୁରା କରନ୍ତି । ଜଣକର ରୂପ ଓ ଅନ୍ୟର ଗୁଣ ତାଙ୍କୁ ମୁଗ୍‍ଧ କରେ । ରୂପ ଓ ଗୁଣର ଆଲୋଡ଼ନ ମଧ୍ୟରେ ସେ ଏକ ଦିଗ୍‍ଭ୍ରାନ୍ତ ନାବିକ । ଉଭୟହିଁ ତାଙ୍କ ଜୀବନରେ କାମ୍ୟ ମାତ୍ର ତାହା କେବେ ସମ୍ଭବ କି ?

 

ସୁରଜିତ, ନମିତା ଓ ଅମିତା ମଧ୍ୟରେ ଗୁରୁ ଛାତ୍ରୀର ସମ୍ପର୍କ ଦୁର୍ବଳ ହୋଇଯାଏ । ବନ୍ଧୁତା ନିବିଡ଼ ହୁଏ । ସୌମ୍ୟ ଶାନ୍ତ ତରୁଣ ଶିଳ୍ପୀ ସୁରଜିତଙ୍କର ଦୁର୍ବଳତା ଲକ୍ଷ୍ୟକରନ୍ତି ଦେବବ୍ରତ ।

 

ବସନ୍ତପଞ୍ଚମୀ ଦଶ ଦିନ ଥାଏ । ସୁରଜିତ ସଙ୍ଗୀତ ଶିଖାଇ ଫେରିଯାଉଥାଆନ୍ତି । ଦେବବ୍ରତ କୋମଳ କଣ୍ଠରେ ଡାକିଲେ, ସୁରଜିତ ବାବୁ !

 

ବିଶିଷ୍ଟ କଣ୍ଟ୍ରାକ୍ଟର ଦେବବ୍ରତ ବାବୁ ସର୍ବଦା ନିଜର ବ୍ୟବସାୟ ସଂକ୍ରାନ୍ତରେ ଏତେ ବ୍ୟସ୍ତଥାଆନ୍ତି ଯେ ସୁରଜିତ ତାଙ୍କୁ କ୍ଵଚିତ୍ ଦେଖନ୍ତି । ସେଦିନ ଦେବବ୍ରତ ବାବୁଙ୍କର ଡାକରେ ସୁରଜିତ କିପରି ଅସ୍ଵାଭାବିକତା ବୋଧ କଲେ । ଧୀର ପଦରେ ସେ ଦେବବ୍ରତ ବାବୁଙ୍କର ଡ୍ରଇଂରୁମ୍ ପର୍ଯ୍ୟନ୍ତ ଅନୁସରଣ କଲେ । ଗୋଟିଏ ସୋଫାରେ ସୁରଜିତକୁ ବସିବାକୁ ନିର୍ଦ୍ଦେଶ ଦେଇ ଦେବବ୍ରତ ବାବୁ ଗଳା ଝାଡ଼ି କହିଲେ–ସୁରଜିତ ବାବୁ, ଆପଣ ଏପର୍ଯ୍ୟନ୍ତ ଅବିବାହିତ ନିଶ୍ଚୟ ।

 

ହଁ, ସଂକ୍ଷିପ୍ତ ଉତ୍ତର ଦେଲେ ସୁରଜିତ ।

 

ମୁଁ ଆପଣଙ୍କର ମନର କଥା ବୁଝିପାରିଛି । ତେଣୁ କୌଣସି ଉପକ୍ରମଣିକା ନ ଦେଇ ମୁଁ କହୁଛି ନମିତା ଓ ଅମିତା ମୋର ଦୁଇଟି ଝିଅ । ଉଭୟ ଶିକ୍ଷିତା ଓ ବିବାହ ଯୋଗ୍ୟା ହୋଇଛନ୍ତି । ଆପଣଙ୍କ ମନୋନୟନ ପରେ ମୁଁ ବିବାହର ବ୍ୟବସ୍ଥା ଶୀଘ୍ର କରିବି ।

 

ବସନ୍ତପଞ୍ଚମୀ ଦିନ ମୁଁ ମୋର ନିଷ୍ପତ୍ତି ଜଣାଇବି । ନମସ୍କାର ତୋଳି ଡ୍ରଇଂରୁମ୍ ତ୍ୟାଗ କଲେ ସୁରଜିତ । ରାତ୍ରିର କଳା ପରଦା ତଳେ ଦିଗନ୍ତ ଅସ୍ପଷ୍ଟ ହୋଇଛି । କ୍ଳାନ୍ତ ଶ୍ରାନ୍ତ, ଚପଳ ଛନ୍ଦା ନର୍ତ୍ତକୀ ପରି ସହରଟି ଘୁମେଇ ପଡ଼ିଛି । ମାତ୍ର ପ୍ରକୃତି ଶାନ୍ତ ନୁହେଁ । ଭାରାକ୍ରାନ୍ତ ଚିନ୍ତିତ ମନରେ ଅଳସ ପାଦ ପକାଇ ଚାଲିଥିଲେ ଶିଳ୍ପୀ ସୁରଜିତ । ହୃଦୟରେ ଗଭୀର ଦ୍ଵନ୍ଦ୍ୱ । ବାହାରେ ଅଦିନ ଝଡ଼ର ଉନ୍ମାଦ ତାଣ୍ଡବ । ହୁଏତ ଅଳ୍ପ ସମୟ ପରେ ବର୍ଷା ହେବ । ପାଦର ଗତି ବଢ଼ାଇଦେଲେ ସୁରଜିତ ଦାସ ।

 

ବସନ୍ତପଞ୍ଚମୀ । ଘରେ ଘରେ ଲାଗି ରହିଛି ଆନନ୍ଦ ମହୋତ୍ସବ । ଅଫୁରନ୍ତ ଆନନ୍ଦ ମଧ୍ୟରେ ମଧ୍ୟ ଦେବବ୍ରତ ଦାସଙ୍କର ଗୃହରେ ଗୋଟିଏ ଅହେତୁକୀ ନୀରବତା ରାଜତ୍ୱ କରୁଥିଲା । ବସନ୍ତପଞ୍ଚମୀ ଉପଲକ୍ଷେ କଣ୍ଟ୍ରାକ୍ଟର ଦେବବ୍ରତ ତାଙ୍କ ବାସଭବନରେ ଏକ ନୈଶ୍ୟ ବନ୍ଧୁମିଳନ ଆୟୋଜନ କରିଥିଲେ । ସନ୍ଧ୍ୟାବେଳେ ସୁରଜିତ ତାଙ୍କର ନିଷ୍ପତ୍ତି ଜଣାଇବେ ।

 

ଧରିତ୍ରୀ ମୁଖମଣ୍ଡଳରେ କଳା ପରଦା ଟାଣି ସୂର୍ଯ୍ୟ ବିଦାୟ ନେଲେଣି ଅନେକବେଳୁ । ଦେବବ୍ରତ ଦାସଙ୍କର ଘାସ ଲନରେ ନୈଶ୍ୟ ଭୋଜନ ପାଇଁ ଡିନର ଟେବୁଲ୍‍ ସଜା ଚାଲିଛି । ହାଲୁକା ରଙ୍ଗ ବେରଙ୍ଗର ବତୀରେ ଘାସ ଲନ୍‍ ଚତୁର୍ଦ୍ଦିଗ ସୁଶୋଭିତ । ନିମନ୍ତ୍ରିତ ବ୍ୟକ୍ତି ଆସିବାକୁ ଲାଗିଲେଣି । ମୁହୂର୍ତ୍ତ ପରେ ମୁହୂର୍ତ୍ତ ଗଡ଼ିଚାଲିଛି । ଟିକ୍ ଟିକ୍ ଶବ୍ଦକରି ଘଣ୍ଟାକଣ୍ଟା ବୁଲିଚାଲିଛି । ଗୋଟିଏ କେନ୍ଦ୍ର ମାତ୍ର ଘଣ୍ଟାକଣ୍ଟା ଓ ମିନିଟ୍‍କଣ୍ଟା ଦୁଇଟି ବୃତ୍ତ ସୃଷ୍ଟିକରି ଆଗେଇ ଚାଲିଛନ୍ତି ।

 

ନମିତା ଓ ଅମିତା ଆନ୍ଦୋଳିତ ମନରେ ଘନ ଘନ ବାହାରକୁ ଚାହୁଁଛନ୍ତି । ଉଭୟର ଚକ୍ଷୁ ଖୋଜି ବୁଲୁଛି ଗୋଟିଏ ବ୍ୟକ୍ତି । କ୍ଳାନ୍ତିରେ ମୁଖମଣ୍ଡଳରେ ଟୋପି ଟୋପି ସ୍ଵେଦକଣା ଜମିଗଲାଣି । ଅବଶ ଆଖିପତା ।

 

ପରିଶ୍ରାନ୍ତ ହୋଇ ରେଡ଼ିଓ ଖୋଲିଦେଲା ନମିତା । ଡାଏଲ କଟକ ଷ୍ଟେସନ ଉପରେ ଥିଲା-। ଆଞ୍ଚଳିକ ସମ୍ବାଦ ପରିବେଷଣ ହେଉଥାଏ । ....ଗୁରୁଗମ୍ଭୀର ସ୍ଵରରେ ପ୍ରକୋଷ୍ଠର ନୀରବତା ଭଗ୍ନକରି ରେଡ଼ିଓରୁ ଭାସିଆସିଲା.....ଘୋର ଦୁଃଖର ବିଷୟ, ଆଜି ସନ୍ଧ୍ୟା ୫ଟାବେଳେ ଓଡ଼ିଶାର ବିଶିଷ୍ଟ ତରୁଣ ଶିଳ୍ପୀ, ସଙ୍ଗୀତଜ୍ଞ, ନୃତ୍ୟବିତ୍ ସୁରଜିତ ଦାସ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ......

 

ସିଡ଼ି ଉପରେ କାହାର ଭାରି ଜୋତା ଶବ୍ଦ ଶୁଭିଲା ।

 

ଦେବବ୍ରତ ବାବୁ ଆନନ୍ଦରେ ପଶିଆସି ଗଦ୍‍ଗଦ୍‍ ହୋଇ କହିଲେ–ଶୁଣିଲଣି, ତୁମ ସାର୍ ଆଜି ଭାରତ ସରକାରଙ୍କ ପ୍ରଦତ୍ତ ପଦ୍ମଶ୍ରୀ ଉପାଧି ପାଇଛନ୍ତି । ଦେବବ୍ରତ ବାବୁଙ୍କ କଥା ସରି ନ ଥିଲା । ଦୁଗ୍‍ଧ ଫେନନିଭ ତୁଳିତଳ୍ପ ଶଯ୍ୟାରେ ତନୁ ଲୋଟାଇ କଇଁକଇଁ ହୋଇ କାନ୍ଦୁଥିଲେ ନମିତା–ଅମିତା

 

ରାତ୍ରି ଗଭୀରରୁ ଗଭୀରତର ହେଉଥିଲା ।

 

ଅଗଷ୍ଟ ତେର ତାରିଖ ଊଣେଇଶହ ବାଆଷଠୀ ‘ରବିବାର ପ୍ରଜାତନ୍ତ୍ର’ରେ ପ୍ରକାଶିତ ।

Image

 

ବେସୁରା ବଂଶୀ

 

ରାତ୍ରି ବହୁତ ହୋଇଯାଇଛି । ଆକାଶରେ ଶାରଦୀୟ ଶୁକ୍ଳାଷ୍ଟମୀର ଜ୍ୟୋତ୍ସ୍ନା ଅତି ମଧୁର ହୋଇଉଠିଛି, ଜ୍ୟୋତ୍ସ୍ନା ବିଧୌତ ରାତ୍ରିର ଓଢ଼ଣା ତଳେ ସୁପ୍ତ ପୃଥିବୀ ।

 

କିନ୍ତୁ ଶିଳ୍ପୀ ରଞ୍ଜନ ଏପର୍ଯ୍ୟନ୍ତ ଶୋଇ ପାରିନି । ଖୋଲା ଝରକା ଦେଇ ଚନ୍ଦ୍ରାଲୋକ ଚେନାଏ ବିଛୁଡ଼ି ହୋଇପଡ଼ିଛି । ଝରକା ଦେଇ ଚାହିଁଲା ରଞ୍ଜନ । ଦୂରରେ ଖାନନଗରର ମଶାଣି । ଜୁଇ ଜଳୁଛି । ଧୂସର ଧୂମ୍ର ପଟଳ କୁଣ୍ଡଳୀକୃତ ହୋଇ ଉପରକୁ ଉଠୁଛି । ହିଂସ୍ର ଭାବରେ ଝରକାଟିକୁ ବନ୍ଦକରି ଶୋଇବାକୁ ଚେଷ୍ଟା କଲା ରଞ୍ଜନ । କିନ୍ତୁ ଶୋଇପାରିଲାନି–ମନେପଡ଼ିଗଲା ଅଞ୍ଜଳିର ଶେଷ ନିବେଦନ ।

 

ଧୀରେ ଧୀରେ ଉଠିଲା ସେ–ସେଲ୍‍ଫ ଉପରେ ଅତି ଆଦରରେ ସାଇତା ହୋଇଥିବା ପୁରୁଣା ବଂଶୀଟିଏ ଟେକି ଧରିଲା ଅଧର ତଳେ । ନିର୍ଜୀବ ବଂଶୀର ପ୍ରତ୍ୟେକ ତନ୍ତ୍ରୀ ଥରିଉଠିଲା ମୃଦୁ ଗୁଞ୍ଜନ କରି । କରୁଣ ସେ ମୂର୍ଚ୍ଛନା–ରାତ୍ରିର ବିଳାପଠାରୁ ଆହୁରି କରୁଣ–ପ୍ରାଣାନ୍ତକ ।

 

‘‘ଏ କ’ଣ କରୁଛ ଶିଳ୍ପୀ’’–ଚିତ୍କାର କରିଉଠିଲା ସ୍ଵପ୍ନା–ଶିଳ୍ପୀ ରଞ୍ଜନର ପତ୍ନୀ ।

 

ରଞ୍ଜନର ଶିଳ୍ପୀ ଜୀବନ ଯେ, ସ୍ଵପ୍ନାକୁ ପାଇ ଧନ୍ୟ ହୋଇପାରିଛି ତାହା ସେ ଅନେକଥର ପ୍ରକାଶ କରିଛି । ଶିଳ୍ପୀର କଳାମୟ ହୃଦୟକୁ ଚହଲେଇ ଦେବାକୁ ଯେଉଁ ଅନିନ୍ଦ୍ୟ ଉପାଦାନର ଆବଶ୍ୟକ ତାହା ବୋଧହୁଏ ସ୍ଵପ୍ନାଠାରେ ନଥିଲା । ଅଜନ୍ତା ନର୍ତ୍ତକୀର ଭଙ୍ଗୀ ନେଇ ସେ କେବେ ରଞ୍ଜନକୁ ଆକର୍ଷଣ କରିବାକୁ ଚେଷ୍ଟା କରିନାହିଁ ବା ଆଖିରେ ମୁଗ୍‍ଧା ହରିଣୀର ଛଳ, ଓଠରେ ହସର ମନ୍ଦାକିନୀ ଝରାଇ ସେ କେବେ ତା’ର ଦୃଦୟ ତନ୍ତ୍ରୀକୁ ବେସୁରା କରିବାକୁ ଚାହିଁ ନାହିଁ, ତଥାପି ଶିଳ୍ପୀ ରଞ୍ଜନ ସ୍ଵପ୍ନାକୁ ପାଇ ଆନନ୍ଦିତ । ଶିଳ୍ପୀ ରଞ୍ଜନର ସାଧନାରେ ସେ ଦେଇଛି ପ୍ରେରଣା, କେବେ ଦିନେହେଲେ ବି ଅସନ୍ତୋଷ ପ୍ରକାଶ କରିବା ମନେପଡ଼େନା, ବରଂ ଉତ୍ସାହ ଦିଏ ହସିହସି, ସମସ୍ତ କଷ୍ଟକୁ ଅମ୍ଳାନ ବଦନରେ ସହ୍ୟ କରୁଛି କିନ୍ତୁ ଆଜି....

 

କିନ୍ତୁ ଆଜି କାହିଁକି ତା’ର ବଂଶୀର ବେସୁରା ରାଗିଣୀରେ ପ୍ରବନ୍ଧକ ସୃଷ୍ଟିକଲା ସେ ? ଶିଳ୍ପୀ ରଞ୍ଜନ ଆଘାତ ପାଇଲା–ପ୍ରଥମଥର ପାଇଁ ଆଜି ପ୍ରାଣତମ ପତ୍ନୀ ତାକୁ ଆଘାତ ଦେଲା । ମହମବତୀର ଝାପ୍‍ସା ଆଲୋକରେ ତା’ର ମୁଖମଣ୍ଡଳରେ ହତାଶାର ଛାପ ସ୍ପଷ୍ଟ ବାରି ହେଉଥିଲା-

 

‘‘ଆଘାତ ପାଇଲ କି ଶିଳ୍ପୀ ?’’ କୋଳରେ ମୁଣ୍ଡରଖି ରଞ୍ଜନର ଅବିନ୍ୟସ୍ତ କେଶଗୁଛ ସାଉଁଳୁ ସାଉଁଳୁ ପଚାରିଲା ସ୍ୱପ୍ନା । ଆଖିରେ ତା’ର ଆତଙ୍କର ଛାୟା ।

 

‘‘ଶିଳ୍ପୀ ।’’

 

‘‘ଉଁ......’’

 

‘‘ଏ ଯାଏ ଶୋଇନ’’...

 

‘‘ନା...’’

 

ଶିଳ୍ପୀ, ମୋର ଗୋଟିଏ ସନ୍ଦେହ ମୋଚନ କରିପାରିବ ?” ବନୀତ ହୋଇ ପଚାରିଲା ସ୍ୱପ୍ନା-

 

“ସନ୍ଦେହ... ???” ରଞ୍ଜନ ବିସ୍ଫାରିତ ନେତ୍ରରେ ଚାହିଁରହିଲା ।

 

‘‘ହିଁ...ବହୁଦିନରୁ ପଚାରିବି ବୋଲି ପଚାରିପାରୁ ନାହିଁ ।’’

 

‘‘ପଚାର ତେବେ !” ରଞ୍ଜନ ଚକ୍ଷୁରେ ବିସ୍ମୟର ଛାପ ।

 

‘‘କହିପାରିବ ଶିଳ୍ପୀ, ପ୍ରତିବର୍ଷ ଶାରଦୀୟ ଅଷ୍ଟମୀର ରାତ୍ରିରେ ବଂଶୀ ବଜାଇବାକୁ ଭଲପାଅ କାହିଁକି ?’’ ସର୍ପାହତ ପରି ଚମକି ପଡ଼ିଲା ରଞ୍ଜନ..... ।

 

ହଁ ସତେତ ସେ’ କଥା ସେ କେବେ ସ୍ଵପ୍ନାକୁ କହିନାହିଁ–ହଁ ଆଜି ତା’ର ସନ୍ଦେହର ଘନ କୁହେଳିକା ସେ ଦୂର କରିବ ।

 

‘‘ଶୁଣ ତେବେ....କ୍ଷୀଣ ସ୍ମରଣ ଅଛି । ଦକ୍ଷ କଳାକାର ଭାବରେ ବେଶ୍ ସୁନାମ ଥିଲା ମୋର । ତୁଳି ଓ ରଙ୍ଗ ଥିଲା ମୋର ଜୀବନ ମରୁଦ୍ଵୀପର ଓଏସିସ୍ । ଗୋଧୂଳି ଆଖର..... ଗୋଟିଏ ଆର୍ଟ ସ୍କେଚ ଉପରେ ତୁଳିର ଶେଷ ଦାଗ ଦେଉଛି । ହଠାତ୍ ବାହାରେ କାହାର ମୃଦୁ ପଦଧ୍ୱନି ଶୁଣିଲି ।

 

‘‘ଆର୍ଟିଷ୍ଟ ରଞ୍ଜନ ବାବୁ ଅଛନ୍ତି ?” ବୀଣାଜିଣା କଣ୍ଠରେ ପର୍ଦ୍ଦା ଅନ୍ତରାଳରୁ କିଏ ପଚାରିଲା-

 

“ଆସନ୍ତୁ” ଭଦ୍ରଭାବରେ ଆହ୍ୱାନ କଲା ।

 

ପରଦା ଆଡ଼େଇ ଜଣେ ଅପରିଚିତା ଯୁବତୀ ପଶିଆସିଲେ । ଆଖିରେ କଜଳ, ଅଧରରେ ଶତ ଗୋଲାପର ରଙ୍ଗୀନ ଆଭା । ସୁଶ୍ରୀ ନହେଲେ ମଧ୍ୟ କୁଶ୍ରୀ ନୁହନ୍ତି । କଳାମୟ ନହେଲେ ମଧ୍ୟ କଳାର ମଡେଲ୍‍ । ନିସ୍ତବ୍‍ଧତା ଭଗ୍ନ କରି ଯୁବତୀ ଅଧରରେ ହସଖେଳାଇ ପଚାରିଲେ–“ରଞ୍ଜନ ବାବୁ ମୋର ଗୋଟିଏ ଚିତ୍ରପଟ ଆଙ୍କିଦେବେ ? ଚିତ୍ରଟି ଜୀବନ୍ତ ହେବା ଆବଶ୍ୟକ ।”

 

“ଦେଖନ୍ତୁ, ମଡେଲ୍‍କୁ ଦେଖି ଚିତ୍ର ଆଙ୍କିବା ଶିଳ୍ପକଳାର ନିମ୍ନସ୍ତରର କଥା–”

 

‘‘ଆପଣଙ୍କର କେତେବେଳେ ସୁବିଧା ହେବ ?” ଭଦ୍ରମହିଳା ପଚାରିଲେ

 

‘‘ଆପଣଙ୍କର ଯେତେବେଳେ ରାଜି ।”

 

‘‘ନମସ୍କାର ।”

 

‘‘ନମସ୍କାର’’–ହାତ ତୋଳିଲି ମୁଁ

 

ହଠାତ୍ ଫେରିପଡ଼ି ଯୁବତୀ ପ୍ରଶ୍ନକଲେ, ‘‘ବଂଶୀ ବଜାନ୍ତି ଆପଣ ?’’

 

ମୁଁ ଟିକିଏ ସଲଜ୍ଜଭାବ ଦେଖାଇ କହିଲି, “ଆଜ୍ଞା, ଦକ୍ଷ ନହେଲେ ମଧ୍ୟ କିଛି କିଛି ଆୟତ୍ତ କରିଛି ?” ପୁଣି ସେ ଅଚାନକଭାବେ ପଚାରିଲେ “ମୋର ଗୋଟିଏ ଅନୁରୋଧ ରକ୍ଷାକରି ପାରିବେ-?”

 

ନାରୀର ଅନୁରୋଧ– ??? ମନର ଭାବ ଗୋପନ ରଖି ସହାସ୍ୟ ବଦନରେ ପଚାରିଲି

 

‘‘କିପରିଭାବେ ମୁଁ ଆପଣଙ୍କୁ ସାହାଯ୍ୟ କରିପାରେ ?’’

 

‘‘ଆପଣ ମୋତେ ବଂଶୀବାଦନ ଶିଖାଇ ପାରିବେ ?’’

 

ଏପରି ଅନାହୂତ ପ୍ରଶ୍ନରେ ମୁଁ ସାମାନ୍ୟ ବିବ୍ରତ ହୋଇପଡ଼ିଲି–କିନ୍ତୁ ମୋର ଭାବ ଦେଖି ସେ କହିଲେ–“ଆପଣଙ୍କୁ ଅବଶ୍ୟ ମୋ’ପାଇଁ ସାମାନ୍ୟ କଷ୍ଟ ସ୍ୱୀକାର କରିବାକୁ ପଡ଼ିବ ଅଗତ୍ୟା ମୁଁ ଭଦ୍ରମହିଳାଙ୍କର ଅନୁରୋଧ ଏଡ଼ିପାରିଲି ନାହିଁ

 

ଇତିମଧ୍ୟରେ ଅଞ୍ଜଳି ସହିତ ମୋର ବନ୍ଧୁତ୍ଵ ନିବିଡ଼ ହୋଇଉଠିଛି, ସେଦିନର ଅପରିଚିତା ଅଞ୍ଜଳି ମୋର କଳା ପ୍ରାଣ ହୃଦୟତନ୍ତ୍ରୀରେ ସୃଷ୍ଟିକରିଛି ସଂଖ୍ୟାହୀନ ତରଙ୍ଗାୟିତ ଊର୍ମି, ସତେଯେପରି ଅଞ୍ଜଳି ମୋର ଶିଳ୍ପ, କଳା, ସମ୍ପଦ, ସବୁ କିଛି ।

 

ମନେଅଛି ସେଦିନ ବିନ୍ଦୁସରୋବର ତୀରରେ ଦୁହେଁ ବସିଥିଲୁ । ସରୋବରର ସ୍ୱଚ୍ଛ ନୀର ଆସ୍ତରଣ ଉପରେ ଉଛୁଳି ପଡ଼ୁଥିଲା ଅଷ୍ଟମୀର ସୂର୍ଯ୍ୟ । ବିନ୍ଦୁବିନ୍ଦୁ ସୌରକଣା ଜଳ-ପ୍ରବାହରେ ତ୍ରିରଙ୍ଗ ସୃଷ୍ଟି କରୁଥିଲା । ଅଞ୍ଜଳି ନିବିଡ଼ ଚିତ୍ତରେ କ'ଣ ଭାବୁଥିଲା, ନୀରବତା ଭଗ୍ନ କରି ମୁଁ ପଚାରିଲି, ‘‘କ’ଣ ଭାବୁଛ–ଅଞ୍ଜୁ ?’’

 

‘‘ଭାବୁଛି କିପରି ତୁମର ଋଣ ପରିଶୋଧ କରିବି, ନିଜର ଶିଳ୍ପକଳାକୁ ହତାଦର କରି ମଧ୍ୟ ତୁମେ ମୋତେ ବଂଶୀବାଦନ ଶିଖାଇଛ ଆଉ ମୁଁ....ତୁମ ପାଇଁ କିଛି କରିପାରିନି– ।”

 

‘‘ଅଞ୍ଜୁ, ତୁମେ ନିଜକୁ ମୋର କଳାମନ୍ଦିରରେ ନୈବେଦ୍ୟରୂପେ ଉତ୍ସର୍ଗ କରିପାରିବ ?’’

 

“ଅଞ୍ଜୁ, ମୁଁ ତୁମକୁ ମୋର କଳାର ମଡେଲ୍‍ରୂପେ ସବୁଦିନେ ଦେଖିବାକୁ ଚାହେଁ ।’’

 

‘‘ଏତିକ ତ୍ୟାଗ କରିପାରିବ ମୋ’ପାଇଁ–’’ କଣ୍ଠରେ ମୋର ଭାଷା ହଜିଯାଉଥିଲା । ହସ ହସ ବଦନରେ ଅଞ୍ଜୁ ଜଣାଇଲା ‘‘ତଥାସ୍ତୁ ।’’

 

ସାକ୍ଷୀ ଥିଲା ବିଶ୍ୱବିଶ୍ରୁତ କେଦାର ଓ ପ୍ରେମଯୋଗିନୀ ଗୌରୀ–ବର୍ଷେ ଅତୀତ ହୋଇଯାଇଛି ।

 

ଶାରଦୀୟ ଶୁକ୍ଳାଷ୍ଟମୀ.....ବାହାରେ ଆନନ୍ଦ କୋଳାହଳର ଅପୂର୍ବ ସମାବେଶ, ଅଞ୍ଜୁର ଚିତ୍ରପଟରେ ମନୋନିବେଶ କରି ଶେଷ ତୁଳି ଦେଉଛି, ବିବାହ ରଜନୀରେ ଉପଢୌକନ ଦେବାପାଇଁ । ସହସା ଝଡ଼ବେଗରେ ପଶିଆସିଲା ଅଞ୍ଜଳିର ଭୃତ୍ୟ ମୋହନ–‘‘ବାବୁ, ବାବୁ ! ଶୀଘ୍ର ଆସନ୍ତୁ, ଦେଈଙ୍କର ଦେହ ଭୀଷଣ ଖରାପ ।” ଚିତ୍ରପଟଟି ଅସମ୍ପୂର୍ଣ୍ଣ ରଖି ମୁଁ ବ୍ୟସ୍ତ ହୋଇ ଅଞ୍ଜୁ ଘରକୁ ଚାଲିଗଲି ।

 

ପୂଜାର ମହୋତ୍ସବରେ ଅଞ୍ଜୁ ବଡ଼ ଶ୍ରୀହୀନ ଦେଖାଯାଉଥାଏ । ସତେଯେପରି ବିଷାଦ କାଳିମା ଘରଟିକୁ ଘେରିଯାଇଛି । ଏକା ନିଶ୍ଵାସକେ ମୁଁ ଯାଇ ତା’ ଶଯ୍ୟା ନିକଟରେ ପହଞ୍ଚିଲି । ଶୁଭ ତୁଳିତଳ୍ପ ଶଯ୍ୟାରେ ଅଞ୍ଜୁ ଶୋଇଛି । ରୋଗର ଆତିଶଯ୍ୟରେ ମୁଖମଣ୍ଡଳ ପାଣ୍ଡୁର ଦିଶୁଥିଲେ ମଧ୍ୟ ହସ ଲିଭି ନାହିଁ । ଚକ୍ଷୁ ମେଲି ମୋତେ ଚାହିଁଲା–ବଂଶୀଟିକୁ ଦେଇ କହିଲା, ‘‘ଶିଳ୍ପୀ, ଆଜି ମୋର ଶେଷ ଅନୁରୋଧ ରକ୍ଷା କରିବନି ?’’ ମୃତ୍ୟୁ ଯାତ୍ରୀର କରୁଣ ନିବେଦନ ? ବଂଶୀର ମୂର୍ଚ୍ଛନା ତୋଳିଲି-, କରୁଣ ମୂର୍ଚ୍ଚନାରେ ଘରଟି ଗୁମୁରି ଉଠିଲା ।

 

ତା’ପରେ ସେ ହସି ହସି କହିଲା–‘‘ଦୁଃଖ ରହିଗଲା ଶିଳ୍ପୀ, ତୁମର ଦାନ ମୁଁ ଜୀବନରେ ସୁଝି ପାରିଲିନି ।’’

 

“ଛି, ଏସବୁ କ’ଣ କହୁଛ ଅଞ୍ଜୁ, ତୁମର କ’ଣ ହୋଇଛି... ତୁମେ ଭଲ ହୋଇଯିବ ଯେ ।” ଏ କଥା କହିଲା ପରେ ମନେକଲି ସତେଯେପରି ମୋର ହୃଦୟରେ କିଏ ଶକ୍ତ ମୁଦ୍‍ଗର ପ୍ରହାର କରୁଛି । ଇତସ୍ତତଃ ଚୂର୍ଣ୍ଣକୁନ୍ତଳଗୁଡ଼ିକ ସାଉଁଳି ଦେଉଦେଉ ସେ ମୋ ହାତଟିକୁ ମୁଠାଇଧରି କହିଲେ; “ଶିଳ୍ପୀ ମୋର ମୃତ୍ୟୁପରେ ତୁମେ ଭାଙ୍ଗିପଡ଼ିବ ମୁଁ ଜାଣେ, କିନ୍ତୁ...ମୋତେ କ’ଣ ତୁମେ ଭୁଲିଯିବ ଶିଳ୍ପୀ ? ଦୃଷ୍ଟିରେ ଜ୍ୟୋତି ଲିଭି ଆସୁଥିଲା–ଆଉ ସେ କିଛି କହିପାରିଲା ନାହିଁ । –ସ୍ଵର୍ଗୀୟ ପ୍ରାଣପକ୍ଷୀ ପଞ୍ଜୁରୀରୁ ଉଡ଼ିଯାଇଥିଲା, ଦୂରରୁ....ଦୂରକୁ, ଯେଉଁଠାରୁ ଆଉ କେବେ କେହି ଫେରି ନାହିଁ....ଫେରେ ନାହିଁ ମଧ୍ୟ ।

 

ଦୁଇଜଣଙ୍କ କଣ୍ଠରେ ଭାଷା ହଜିଯାଇଥିଲା ।

 

‘‘କ୍ଷମା କର ମୋତେ ଶିଳ୍ପୀ’’ ଚିତ୍କାର କରି ସ୍ଵପ୍ନା ଉପରେ ଢଳିପଡ଼ିଲା । ...ଚକ୍ଷୁରେ ଅଶ୍ରୁର ବନ୍ୟା ଲହଡ଼ି ଭାଙ୍ଗୁଥିଲା ।

 

ଶରତର ମଧୁର ସମୀର ସଞ୍ଚାରଣରେ ଅଷ୍ଟମୀର ପୂଜା ମଣ୍ଡପରୁ ଭାସିଆସୁଥିଲା ନହବତର ମୂର୍ଚ୍ଛନା ।

 

ମାର୍ଚ୍ଚ ଊଣେଇଶହ ଅଠାବନ ‘ଫକୀର’ରେ ପ୍ରକାଶିତ ।

Image

 

ଦୁଇଟି ଚପଳ ନୟନ

 

ଆଜ୍ଞା, ଘର ଖାଲି ଅଛି ?

 

ଅଛି, କିନ୍ତୁ ଆପଣ.....

 

ମୁଁ ସ୍ଥାନୀୟ କଲେଜର ଅଧ୍ୟାପକ ।

 

ଆପଣ କ’ଣ ସପରିବାରେ ରହିବେ ?

 

ନାଁ ମୁଁ ବିବାହିତ ନୁହେଁ, ତେଣୁ ଏକାକୀ ରହିବି ।

 

ଆଜ୍ଞା ଆଉ କିଛିଦିନପରେ ଆସି ଦୟାକରି ବୁଝିଯିବେ, କାରଣ ଘରଟି ନିକଟରେ ଖାଲି ହେବାର ଅଛି ।

 

ନମସ୍କାର।

 

ନମସ୍କାର । ଘର ମାଲିକ ସଦର ଦରଜାଟି ବନ୍ଦକଲେ ।

 

ହତାଶ, କ୍ଷୋଭରେ ଅଧ୍ୟାପକ ଗୋକୁଳାନନ୍ଦଙ୍କର ଗୌର ମୁଖମଣ୍ଡଳ ରକ୍ତାଭ ହୋଇଉଠିଲା । ଶ୍ରାନ୍ତ ପାଦ ଦୁଇଟିକୁ ଆଗେଇ ନେଲେ ନିଜର ସେଇ ପଞ୍ଜାବୀ ହୋଟେଲ ଦିଗରେ-

 

ଭଡ଼ାଘର ଖୋଜି ଖୋଜି ହତାଶ ହୋଇପଡ଼ିଲେଣି ଗୋକୁଳାନନ୍ଦ । ଗତ ଦୁଇମାସ ଧରି ସେ ଭଡ଼ାଘରଟିଏ ଖୋଜୁଛନ୍ତି । ଯେଉଁଠି ଘର ଖାଲି ଅଛି ସେଠାରେ ଯାଇ ବୁଝୁଛନ୍ତି । ମାତ୍ର ସବୁଠାରେ ସେଇ ନିରାଶ ବାଣୀ । କେଉଁଠାରେ ଇଲେକ୍‍ଟ୍ରିକ୍ ନାହିଁ ତ ଅନ୍ୟ କେଉଁଠି ପାଣି ସୁବିଧା ନାହିଁ । ଅନ୍ୟ କେତେକ କ୍ଷେତ୍ରରେ ଭଦ୍ରବ୍ୟକ୍ତି ଚାହୁଁଛନ୍ତି ସପରିବାରେ ରହିବା ଭଡ଼ାଦାର । ଭଡ଼ାଘର ପାଇବା ଏକ ଜଟିଳ ସମସ୍ୟା ହୋଇପଡ଼ୁଛି । ପ୍ରତି ମୁହୂର୍ତ୍ତରେ ଜନସଂଖ୍ୟା ଆଶାତୀତ ଭାବରେ ବୃଦ୍ଧିପାଉଛି । ମାତ୍ର ନୂଆଘର ସେଇ ଅନୁପାତରେ ହୋଇପାରୁନାହିଁ । ଭଡ଼ାଘର ସମସ୍ୟା ସମ୍ବନ୍ଧରେ ଚିନ୍ତା କରୁ କରୁ ସେ ଇତିମଧ୍ୟରେ ନିଜ ହୋଟେଲ ନିକଟରେ ପହଞ୍ଚି ଯାଇଥିଲେ ।

 

ପଞ୍ଜାବୀ ହୋଟେଲ ପରିଚାଳକ କାଉଣ୍ଟରରେ ବସି ଥାକ ଥାକ ପଇସା ଗଣି ଚାଲିଛି । କାହିଁ ସୁଦୂର ପଞ୍ଜାବ, କେରଳ, ମାନ୍ଦ୍ରାଜରୁ ଆସି ଅଳ୍ପ ମୂଳଧନରେ ବ୍ୟବସାୟ ଖୋଲିଥିଲେ ଏମାନେ । ସମ୍ବଲପୁର ସେତେବେଳେ ଗୋଟିଏ ନିହାତି ଛୋଟ ସହର ଥିଲା । କିନ୍ତୁ ଆଜି ହୀରାକୁଦ ବନ୍ଧ ସେମାନଙ୍କର ଭାଗ୍ୟ ଡୋରି ଖୋଲିଦେଇଛି । ସେ ଦିନର ଛୋଟ ଛୋଟ ବ୍ୟବସାୟୀଙ୍କର ବ୍ୟାଙ୍କ୍ ବାଲନ୍‍ସ ଶହରୁ ହଜାରରେ ପହଞ୍ଚିଲାଣି । ପଞ୍ଜାବୀ ହୋଟେଲବାଲା, ବିହାରୀ କଣ୍ଟ୍ରାକ୍ଟର, ମାନ୍ଦ୍ରାଜୀ ବ୍ୟବସାୟୀ ଅକ୍ଳେଶରେ ଘର ପାଇପାରୁଛନ୍ତି, ଅଥଚ ଓଡ଼ିଶାରେ ଘର ଓଡ଼ିଆ ହୋଇ ମଧ୍ୟ ଅଧ୍ୟାପକ ଗୋକୁଳାନନ୍ଦ ମନମୁତାବକ ଘରଟିଏ ପାଇପାରୁନାହାନ୍ତି ।

 

ଭୀଷଣ ଭୋକ କରୁଥିଲା ଗୋକୁଳାନନ୍ଦଙ୍କୁ । ଖରାରେ ବୁଲି ବୁଲି କ୍ଳାନ୍ତି ମଧ୍ୟ ଲାଗୁଥିଲା । ଭାତ ପ୍ଲେଟ୍‍ ଉପରେ ହାତ ଚଳାଇଲେ । ମାତ୍ର ଭାତ କ’ଣ ଖାଇବେ । ଥଣ୍ଡା ଭାତ, ରାଗୁଆ ତରକାରୀ, ପୁଣି ଭାତ ଭିତରେ ଲୁଚି ରହିଛି ଛୋଟ ଛୋଟ ବାଲିଗରଡ଼ା । କେତେଦିନ ଏଇ ଥଣ୍ଡା ବଗଡ଼ା ଶୁଖିଲା ଗୋଡ଼ିମୟ ଭାତ ଖାଇବେ ? କୌଣସି ରୂପେ ଭାତ ପ୍ଲେଟ୍‍ଟି ଶେଷକରି ହାତଧୋଇ ବିଛଣା ଉପରେ ପଡ଼ିଗଲେ । ସିଲିଂ ଫ୍ୟାନର ଗତି ସାମାନ୍ୟ ବଢ଼ାଇ ଦେଲେ । ସୁ ସୁ ଗର୍ଜନ କରି ଘୂରି ଚାଲିଛି ଉଷା ସିଲିଂ ଫ୍ୟାନ ।

 

ଗୋକୁଳାନନ୍ଦଙ୍କ ମନ ମଧ୍ୟରେ ଚିନ୍ତାର ସୁଅ ଘୂରି ଚାଲିଥିଲା । କି ଅଶୁଭ ବେଳରେ ସେ କଲେଜରେ ଜଏନ କଲେ କେଜାଣି । ଭଲ ଭଡ଼ାଘରଟିଏ ତ ମିଳୁନାହିଁ । ଭଲ ହୋଟେଲ ମଧ୍ୟ ଖୋଜି ଖୋଜି ନିରାଶ ହେଲେଣି । ଓଡ଼ିଆ, ମାର୍ଡ଼୍ରାସୀ ହୋଟେଲ ବଦଳାଇ ଶେଷରେ ଏଇ ପଞ୍ଜାବୀ ହୋଟେଲରେ ପହଞ୍ଚିଛନ୍ତି ସେ । ମାତ୍ର କାହିଁ ଏଠି ମଧ୍ୟ ସେଇ ଅବସ୍ଥା ! ଏଠାରେ ଭଡ଼ାଘରଟିଏ ପାଉନାହାନ୍ତି ଅଥଚ କଟକରେ ପକ୍‍କା ଦୋ’ମହଲା କୋଠା ସେ ଭଡ଼ା ଦେଇଛନ୍ତି । ଗୋକୁଳାନନ୍ଦଙ୍କର ମନ ତିକ୍ତତାରେ ଭରିଗଲା । ଯଦି କିଛିଦିନ ଘରଟିଏ ନପାଇବେ ତେବେ ଏଠାରୁ ବଦଳି ପାଇଁ ଚେଷ୍ଟା କରିବେ । ଅନ୍ତତଃ ଆଶା ଅଛି, ସାମାନ୍ୟ ଚେଷ୍ଟା କଲେ ଟ୍ରାନସ୍ଫର୍‍ଟା କଟକକୁ ହୋଇଯାଇପାରେ । ଡି.ପି.ଆଇଙ୍କ ପି.ଏ. ତ ସମ୍ପର୍କୀୟ ମଉସା । ନିଶ୍ଚିତ ନିଶ୍ଵାସ ମାରି ଆଖିଦୁଇଟି ବୁଜି ଶୋଇବାପାଇଁ ଚେଷ୍ଟାକଲେ ଗୋକୁଳାନନ୍ଦ–ସ୍ଥାନୀୟ କଲେଜର ନବନିଯୁକ୍ତ ଇଂରାଜୀ ଅଧ୍ୟାପକ ।

 

ଅଧ୍ୟାପକ ଗୋକୁଳାନନ୍ଦଙ୍କ ହୋଟେଲଖିଆରେ ପୂର୍ଣ୍ଣଛେଦ ପଡ଼ିଛି ।

 

ସେ ଆଉ କଟକ ଟ୍ରାନ୍ସଫର୍‍ ହୋଇଯିବାକୁ ଚେଷ୍ଟାକରି ନାହାନ୍ତି । ଶେଷରେ ଖୋଜି ଖୋଜି ମନମୁତାବକ ଭଡ଼ାଘରଟିଏ ପାଇଛନ୍ତି । ଛୋଟ ପଥୁରିଆ କୁଦଟିଏ । ତା’ରି ଉପରେ ପକ୍‍କାଘର । ଦୁଇଟି ବଖରା, ପ୍ରଶସ୍ତ ଅଗଣା । ଇଲେକ୍‍ଟ୍ରିକ୍‍, ପାଣିକଳ ଅଛି । କଲେଜ, ଡାକ୍ତରଖାନା, ଷ୍ଟେସନ, ବସ୍‍ଷ୍ଟାଣ୍ଡ ଖୁବ୍ ପାଖ । ଘରଭଡ଼ା ମଧ୍ୟ ବେଶି ନୁହେଁ । ପାଖରେ ଭଦ୍ର ସୋସାଇଟି ଅଛି । କୌଣସି ବିଷୟରେ ଘରଟିକୁ ଖୁଣିହେବ ନାହିଁ । ତେବେ ଚନ୍ଦ୍ରରେ ମଧ୍ୟ କଳଙ୍କ ଅଛି ।

 

ଏତେ ସୁବିଧା ଥାଇ ଏତେ ଅଳ୍ପ ଭଡ଼ାରେ ଘରଟି ଖାଲିପଡ଼ିଥିଲା କାହିଁକି ? ଆଜିକାଲି ଉତ୍କଟ ଘର ଅଭାବ ସମୟରେ ଏ’ ଘରେ କେହି ରହୁନଥିଲେ କାହିଁକି ? ଅନେକ ପ୍ରଶ୍ନ ଗୋକୁଳାନନ୍ଦଙ୍କ ମନ ମଧ୍ୟରେ ଉଦୟ ହୋଇ ଅସ୍ତ ହେବାକୁ ଲାଗିଲା । ମାତ୍ର ଘରର ପରିବେଷ୍ଟନୀରେ ଥିଲା ଏକ ଅପୂର୍ବ ମାଦକତା । ଏଇ ଶାନ୍ତ ନମ୍ର କମ୍ର ପରିବେଷ୍ଟନୀକୁ ଗୋକୁଳାନନ୍ଦଙ୍କୁ ବେଶ୍ ଭଲଲାଗେ । ନିଃସଙ୍ଗ ଜୀବନର ଅସହାୟତାକୁ ଭୁଲିଯାଆନ୍ତି ଏଇ ଛୋଟ କୁଦର ସବୁଜ ଶ୍ୟାମଳିମା ମଧ୍ୟରେ । ମସୃଣ ଶିଳାଖଣ୍ଡ ଉପରେ ବସି ସେ ଉପଭୋଗ କରନ୍ତି ବୃକ୍ଷଲତାର ମନଲୋଭା ସବୁଜିମା ।

 

ସେ ଏକ ଅଳସ ରବିବାର ଗୋଧୂଳି । ଅସ୍ତଗାମୀ ସୂର୍ଯ୍ୟର ବର୍ଣ୍ଣ ସମ୍ଭାରକୁ ବୃକ୍ଷଲତାର ସବୁଜିମା ଉପରେ ନିବିଡ଼ ଭାବରେ ଉପଭୋଗ କରୁଥିଲେ ଅଧ୍ୟାପକ ଗୋକୁଳାନନ୍ଦ । ମସୃଣ ଶିଳା ଉପରେ ପ୍ରତିଧ୍ଵନିତ ହେଲା ଗୋଟିଏ ଅସ୍ଵାଭାବିକ ଶବ୍ଦ । ଫେରି ଚାହିଁଲେ ଗୋକୁଳାନନ୍ଦ । ଛୋଟ କାଠ ଗେଟ୍‍ଟି ପାରହୋଇ ହାତରେ ଖଣ୍ଡିଏ ଯଷ୍ଟି ଧରି ଧୀର ପଦକ୍ଷେପ ପକାଇ ପଶିଆସୁଥିଲେ ଧୋତି ପଞ୍ଜାବୀ ପରିହିତ ଜଣେ ବୟସ୍କ ପ୍ରୌଢ଼ । ଅପରିଚିତ ପ୍ରୌଢ଼ ଖୁବ୍ ନିକଟରେ ପହଞ୍ଚିଯାଇ ଖଣ୍ଡିକାଶ ଦେଇ ନମସ୍କାର ପକାଇଲେ । ପ୍ରତିନମସ୍କାରଟିଏ ପକାଇ ଗୋକୁଳାନନ୍ଦ ଜିଜ୍ଞାସୁ ଦୃଷ୍ଟିରେ ଚାହିଁରହିଲେ ।

 

ଆପଣ ଏ ଘରେ ନୂଆ ରହିଲେ ?

 

ଆଜ୍ଞା ହଁ ।

 

ଏକାକୀ ବୋଧହୁଏ ରହୁଛନ୍ତି ।

 

ହଁ, ସଙ୍ଗରେ ଗୋଟିଏ ଚାକର ଟୋକା ଅଛି ।

 

ହଁ, ଟୋକା ଲୋକ ଦିନାକେତେ ରହିଯିବେ କିନ୍ତୁ......

 

ପ୍ରୌଢ଼ଙ୍କ କପାଳରେ ଫୁଟିଉଠିଲା କେତୋଟି କୁଞ୍ଚିତ ରେଖା ।

 

 

ଆପଣ କ’ଣ ଏ ପଡ଼ାର ସ୍ଥାୟୀ ବାସିନ୍ଦା ?

 

ହଁ । ଗହିରିଆ ହଁ ଟିଏ ମାରିଲେ ପ୍ରୌଢ଼ ।

 

କହିପାରିବେ ଏ ଘରଟି ଅନେକ ଦିନ ଧରି ଖାଲି କାହିଁକି ପଡ଼ିଥିଲା ?

 

ତାହା ତ ଅତି ସରଳ । ଲୋକ ମିଳୁନଥିଲେ, ତେଣୁ ଖାଲି ପଡ଼ିଥିଲା ।

 

ଆଶ୍ଚର୍ଯ୍ୟ, ଉତ୍କଟ ଘର ଅଭାବଥିବା ସମୟରେ ଏପରି ଗୋଟିଏ ସୁନ୍ଦର ଘର ଖାଲି ପଡିଥିଲା ?

 

ହଁ ସେ ଗୋଟିଏ ଇତିହାସ..... ।

 

ହଁ ସେ ଇତିହାସ ଶୁଣି ସାରିଲା ପରେ ଆପଣ କ’ଣ ଏ ଘରେ ରହିପାରିବେ ? ପ୍ରୌଢ଼ଙ୍କର ଚକ୍ଷୁରେ ସନ୍ଦେହ ଉଙ୍କି ମାରୁଥିଲା ।

 

କୁହନ୍ତୁ,–ଦୃଢ଼ ଭାବରେ ଗମ୍ଭୀର ହୋଇ କହିଲେ ଗୋକୁଳାନନ୍ଦ ।

 

ଶୁଣନ୍ତୁ ତେବେ.......

 

ସେ ଏକ ଅଶ୍ରୁଳ କାହାଣୀ । ଅନେକ ଦିନ ତଳର କଥା, ସେତେବେଳେ ଏ ଘରଟି ନୂଆ ତିଆରି ହୋଇଥାଏ । ଜଣେ ତରୁଣ ଯୁବକ ତାଙ୍କର ଯୁବତୀ ସ୍ତ୍ରୀଙ୍କ ସହ ଘରଭଡ଼ା ନେଇ ରହୁଥାଆନ୍ତି । ଯୁବକ ଜଣେ ଧନୀ କଣ୍ଟ୍ରାକ୍ଟର । ନବପରିଣିତା ସ୍ତ୍ରୀ ତାଙ୍କର ଥିଲେ ଅସାମାନ୍ୟ ରୂପବତୀ । ସବୁଠାରୁ ସୁନ୍ଦର ଥିଲା, ତାଙ୍କର ସେ ଚପଳ ନୟନ ଦୁଇଟି । ଧନୀ ଯୁବକ ନିଜର ପତ୍ନୀଙ୍କୁ ବାହାରକୁ ନେବାର କେବେ ଦେଖାଯାଇନାହିଁ । ଏପରିକି କେବେ ସେ ଘରୁ ବାହାରକୁ ଆସନ୍ତି ନାହିଁ । ବିଂଶ ଶତାବ୍ଦୀର ସଭ୍ୟଯୁଗରେ କୌଣସି ଶିକ୍ଷିତା ନାରୀ ପକ୍ଷରେ ଏହା କ’ଣ ସମ୍ଭବ ? ଘର ଝରକା କବାଟର ନିବୁଜ ପରଦା ଭିତରେ ତାଙ୍କର ପତ୍ନୀ ରହୁଥିଲେ ଜନତାର ଚକ୍ଷୁର ଅନ୍ତରାଳରେ ।

 

ଶିକ୍ଷିତା ପତ୍ନୀ ସ୍ଵାମୀର ଏ’ ପ୍ରକାର ସ୍ୱାର୍ଥପରତାକୁ ହୁଏତ ସହ୍ୟ କରିପାରିଲା ନାହିଁ । ଦାମ୍ପତ୍ୟ କଳହ କ୍ରମଶଃ ବଢ଼ିବାକୁ ଲାଗିଲା । ତହିଁରୁ ମୁକ୍ତି ପାଇବା ପାଇଁ ତରୁଣ କଣ୍ଟ୍ରାକଟର ନେଲେ ସୁରାର ଆଶ୍ରୟ । ମଦ ଖାଇ ମାତାଲ ଅବସ୍ଥାରେ ସେ ପତ୍ନୀଙ୍କୁ ପ୍ରହାର କରିବାକୁ ଲାଗିଲେ-। ଅନେକ ସମୟରେ ସେ ନିରୀହା ଯୁବତୀର ବ୍ୟଥାଭରା କ୍ରନ୍ଦନ ରାତ୍ରିର ନୀରବତା ମଧ୍ୟରେ କରୁଣ ଝଙ୍କାର ତୋଳେ । ଏ’ ନିତିଦିନିଆ ଘଟଣା ଆଉ ଶୁଣାଗଲା ନାହିଁ । ପରେ ଆମେ ଜାଣିଲୁ ସେ ବିଚାରୀ ଆତ୍ମହତ୍ୟା କରିଛି । ତା’ର ଅସନ୍ତୁଷ୍ଟ ଆତ୍ମା ସବୁଦିନେ ଏଇ ଘର ଭିତରେ ଘୂରିବୁଲେ-

 

ସେ’ଦିନଠାରୁ ଏଠାରେ ଯେତେ ଲୋକ ଭଡ଼ା ନେଇ ରହିଛନ୍ତି ଅଳ୍ପଦିନ ପରେ ସେମାନେ ବିଦାୟ ନେଇଛନ୍ତି ।

 

ଆପଣ ଭାବିଚିନ୍ତି ଯାହା କରିବେ । ଆପଣଙ୍କ ମଙ୍ଗଳ ପାଇଁ ଏହା ମୁଁ ସୂଚାଇ ଦେଲି, ଅଛା ରାତି ହେଲାଣି ଏଥର ମୁଁ ଯାଏ । ବାଡ଼ି ଠୁକ୍ ଠୁକ୍ କରି ଅନ୍ଧାର ଭିତରେ ମିଳାଇ ଗଲେ ସେଇ ଅପରିଚିତ ପ୍ରୌଢ଼ ।

 

ଗୋକୁଳାନନ୍ଦଙ୍କୁ ରାତିରେ ଆଉ ନିଦ ହେଲା ନାହିଁ । ପିଲାଦିନେ ସାହସିକତା ପାଇଁ ରାଷ୍ଟ୍ରୀୟ ପୁରସ୍କାର ପାଇଥିଲେ ମଧ୍ୟ ଘଟଣାଟି ଶୁଣିଲା ପରେ ଗୋକୁଳାନନ୍ଦଙ୍କର ଦମ୍ଭ ସାହସ ସବୁ ମିଳାଇଗଲା । ଇଂରାଜୀ ନଭେଲଟିଏ ପଢ଼ୁ ପଢ଼ୁ ତାଙ୍କୁ କେତେବେଳେ ନିଦ ହୋଇଗଲା ।

 

ମାତ୍ର ତାହା ବେଶି ସମୟ ସ୍ଥାୟୀ ହେଲା ନାହିଁ । ତାଙ୍କୁ ଯେପରି ଜଣାଗଲା, ଘର ଭିତରେ କିଏ ଚଳପ୍ରଚଳ କରୁଛି । ଅସହାୟବୋଧ କଲେ ଗୋକୁଳାନନ୍ଦ । ଟେବୁଲ୍‍ ଲ୍ୟାମ୍ପଟି ଜାଳି ଦେଲେ, ଉଜ୍ଜ୍ୱଳ ଆଲୋକରେ ରୁମଟି ଆଲୋକିତ ହୋଇଉଠିଲ । ଚାରିଆଡ଼େ ଦୃଷ୍ଟି ବୁଲାଇଆଣିଲେ, ନା କେହି କୁଆଡ଼େ ନାହିଁ ତେବେ ଏ କ’ଣ ତାଙ୍କର ମନର ଭ୍ରମ ?

 

ଦ୍ଵିତୀୟ ରାତ୍ରି । ମନକୁ ଆହୁରି ଦମ୍ଭ କରି ଶୋଇପଡ଼ିଲେ ଗୋକୁଳାନନ୍ଦ । ମାତ୍ର ନିଦ ହେଲା ନାହିଁ । ଗୋଟିଏ ଅସ୍ଵାଭାବିକ ଭୟରେ ସେ ବିଚଳିତ ହୋଇଉଠିଲେ । ତାଙ୍କ ବିଛଣାଠାରୁ ଅଳ୍ପ ଦୂରରେ ଠିଆହୋଇଛି ଯୁବତୀଟିଏ । ସାଦା ଶାଢ଼ିଟିଏ ପିନ୍ଧିଛି । ଗୌର ବର୍ଣ୍ଣ ମୁଖମଣ୍ଡଳ ଉପରେ ଦୁଇଟି ଉଜ୍ଜ୍ୱଳ ଚପଳ ନୟନ । ତହିଁରେ ପୂରିରହିଛି ଯୁଗଯୁଗର ପିପାସା, ଉଜ୍ଜ୍ୱଳ ଚକ୍ଷୁରେ ଭରିରହିଛି ପ୍ରତିହିଂସାର କାମନା । ଚକ୍ଷୁ ବୁଜି ଚିତ୍କାର କଲେ ଗୋକୁଳାନନ୍ଦ–ଚାକର ଟୋକା ମାଧିଆ ଦୌଡ଼ି ଆସିଲା । ସୁରାଇରୁ ଗିଲାସେ ଥଣ୍ଡା ପାଣି ପିଇ ଗୋକୁଳାନନ୍ଦ ପ୍ରକୃତିସ୍ଥ ହେଲେ ।

 

ତୃତୀୟ ରାତି । ମନରେ ଅଧିକ ଦମ୍ଭ, ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଶୋଇବାକୁ ଚେଷ୍ଟା କଲେ ଗୋକୁଳାନନ୍ଦ । ସେଇ ଯୁବତୀ । ଦୁଇଟି ଚପଳ ନୟନରେ ଯୁଗଯୁଗର ପିପାସା ଓ ପ୍ରତିହିଂସାର କାମନା । ଦେହରୁ ଗମ୍ ଗମ୍ ହୋଇ ଝାଳ ବୋହିଗଲା । ମାଧିଆକୁ ଡାକି ଉଠାଇଲେ-

 

ଚତୁର୍ଥ ଦିନ । ରାତି ହେବାକୁ ଅନେକ ବିଳମ୍ବ ଅଛି; ସେ ଭଡ଼ାଘରେ ଗୋକୁଳାନନ୍ଦଙ୍କୁ ଆଉ ଦେଖିବାକୁ ମିଳିଲା ନାହିଁ । ହୁଏତ ସେ ଆଶ୍ରୟ ନେଇଥିଲେ କେଉଁ ଏକ ସହରତଳି ହୋଟେଲରେ-

 

ଜୁଲାଇ ସାତ ତାରିଖ ଊଣେଇଶହ ବାଆଷଠୀ

 

‘ରବିବାର ପ୍ରଜାତନ୍ତ୍ର’ ରେ ପ୍ରକାଶିତ ।

Image

 

ପରାଜୟ

 

ମେରିନା......

 

ଅଳସ ରବିବାରର ସନ୍ଧ୍ୟା । ଗହଳି ଜମିଆସିଲାଣି । କାଁ ଭାଁ ଏଣେତେଣେ କେତେଜଣ କ୍ଳାନ୍ତ ଶରୀରକୁ ଲୋଟାଇ ଦେଇଛନ୍ତି ଶୁଭ୍ର ବାଲୁକା ରାଶି ଉପରେ । ଉପରେ ଘୁମନ୍ତ ଆକାଶ । ଅଳସ ହାଇମାରି ଅନତି ଦୂର ରାଜପଥକୁ ଚାହିଁଲେ ନିବେଦିତା । ସୁପ୍ରଶସ୍ତ ମେରିନା ରାଜପଥ ଉପରେ କାର୍‍, ଟ୍ୟାକ୍‍ସି, ପଥଚାରୀଙ୍କର ପଟୁଆର କମି ନାହିଁ । ଈଷତ୍ ନୀଳ ଅସ୍ପଷ୍ଟ ନିଅନ ବତୀ ତଳେ ସେଗୁଡ଼ିକ ବେଶ୍ ବାରି ହେଉଛି । ମାଇକରୁ ତାମିଲ ସଙ୍ଗୀତ ଝରିପଡ଼ୁଛି । ମାଇକ ନିକଟବର୍ତ୍ତୀ ଚୌକିଠାରେ ଶ୍ରୋତାଦଳ ହୁଏତ କେତେବେଳୁ ବିଦାୟ ନେଲେଣି । ତଥାପି ନୀରବ ବାୟୁମଣ୍ଡଳର ଗାମ୍ଭୀର୍ଯ୍ୟ ମଧ୍ୟରେ ତାମିଲ ସଙ୍ଗୀତର ଗୁରୁମନ୍ଦ୍ର ଝଙ୍କାର ଝଙ୍କୃତ ହେଉଛି । ରାତି ବେଶି ହୋଇନାହିଁ ।

 

ପୁଣିଥରେ ଅଳସ ହାଇମାରି ମହୋଦଧିର ଶୀତଳ ବାଲୁକା ଶଯ୍ୟା ଉପରେ ନିଜର କ୍ଳାନ୍ତ ଶରୀରଟିକୁ ଗଡ଼ାଇଦେଲେ ନିବେଦିତା । ଡାଃ ନିବେଦିତା ଚୌଧୁରୀ.... । ସ୍ଥାନୀୟ ଚୌଧୁରୀ କ୍ଲିନିକ’ର ସର୍ବେସର୍ବା, ହର୍ତ୍ତାକର୍ତ୍ତା ଓ ସତ୍ଵାଧିକାରୀ ଡାଃ ମିସ୍ ନିବେଦିତା ଚୌଧୁରୀ । ଅନନ୍ତ ନୀଳ ସାଗର ମଧ୍ୟରେ କ୍ଷୁଦ୍ର ବୃହତ୍ ଅଗଣିତ ଢେଉ ଗୁରୁଗମ୍ଭୀର ଗର୍ଜନ କରି ତୀରରେ ମୁଣ୍ଡପିଟି ମିଳାଇ ଯାଉଛନ୍ତି । ସେଇ ଅନନ୍ତ ସାଗରର ବିସ୍ତୃତି ମଧ୍ୟରେ ସେଗୁଡ଼ିକ ନ୍ୟୂନ, ସତ୍ତାହୀନ । ନିଜକୁ ବଡ଼ ନ୍ୟୂନ ମନେକଲେ ଡାଃ ନିବେଦିତା । ଚିର ଆକାଂକ୍ଷିତ ଆଦର୍ଶ, ଅହଂକାର ଧୈର୍ଯ୍ୟ ଢେଉଗୁଡ଼ିକ ଜୀବନ ସାଗର ତୀରରେ ଭାଙ୍ଗି ପଡ଼ୁଛନ୍ତି । ଚିର କୁମାରୀ ରହିବାର ସଂକଳ୍ପ ଦୁର୍ବଳ ବାଲିବନ୍ଧ ପରି ଭୁଷୁଡ଼ି ଯାଉଛି । ଅର୍ଦ୍ଧଶାୟିତ ଅବସ୍ଥାରେ ତନ୍ଦ୍ରା ବିଜଡ଼ିତ ଚକ୍ଷୁ ମେଲି ବାମପାଖକୁ ଚାହିଁଲେ ନିବେଦିତା । ଅଦୂରରେ ଧାଡ଼ି ଧାଡ଼ି ଆଲୋକର ମାଳା । ଦୂର ଦେଶଦେଶାନ୍ତରରୁ ଆସିଥିବା ଜାହାଜଗୁଡ଼ିକ ଲଙ୍ଗର ପକାଇଛନ୍ତି । ବତୀଘର ଟାଓ୍ୱାର ଉପରେ ଉଜ୍ଜ୍ୱଳ ଶକ୍ତି-ସମ୍ପନ୍ନ ବତୀଟି ଚକ୍ରବତ୍ ଘୂରି ଚାଲିଛି ।

 

ଏମିତି ଦିନେ ତାଙ୍କର ଜୀବନ ଚକ୍ର ମଧ୍ୟ ଲକ୍ଷ୍ୟହୀନଭାବରେ ଘୂରି ଚାଲିଥିଲା । ସେ ଥିଲେ ସେତେବେଳେ ମାନ୍ଦ୍ରାଜ ବଶ୍ଵବିଦ୍ୟାଳୟର କୃତୀଛାତ୍ରୀ । ଷ୍ଟାନଲେ ମେଡ଼ିକାଲ କଲେଜର କୃତୀଛାତ୍ରୀ ନିବେଦିତା ଚୌଧୁରୀ ଯେଉଁଦିନ ଏମ୍.ବି.ବି.ଏସ୍ ପ୍ରଥମଭାଗ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ବିଶ୍ଵବିଦ୍ୟାଳୟ ରେକର୍ଡ଼ ସୃଷ୍ଟିକଲେ, ସେଦିନ ଛାତ୍ର, ଅଧ୍ୟାପକ ସମସ୍ତେ ବିସ୍ମିତ ହେଲେ-। ତନୁପାତଳୀ, ଶାନ୍ତ, ଭୀରୁ, ନମ୍ର ଅଥଚ ରୂପସୀ ଏଇ ଝିଅଟି ଯେ ଦିନେ ବିଶ୍ଵବିଦ୍ୟାଳୟ ରେକର୍ଡ଼ ସୃଷ୍ଟି କରିବ ତାହା କେହି ଆଶା କରିନଥିଲେ । ଇନ୍ଦ୍ରଜିତ୍ ଚୌଧୁରୀଙ୍କର ଏକମାତ୍ର ଅଲିଅଳ କନ୍ୟା ନିବେଦିତାର ଅପୂର୍ବ ସଫଳତାରେ ଚୌଧୁରୀ ପରିବାରରେ ଖେଳିଯାଇଥିଲା ଆନନ୍ଦର ଫଲ୍‍ଗୁ-। ଆନନ୍ଦବିହ୍ଵଳିତ ପିତା ଇନ୍ଦ୍ରଜିତ୍ ପରିତୃପ୍ତିରେ କହିଥିଲେ, “ନୀତା ତୁ ଆମ ବଂଶର ଗୌରବ, ତୁ ମା’ ଏହିପରି ମନଦେଇ ପଢ଼, ତୋର ବିଲାତ ଯିବାର ଖର୍ଚ୍ଚ ମୁଁ ସବୁ ଦେବି ।” ନିବେଦିତା ଆନନ୍ଦରେ କୁରୁଳି ଉଠିଲା । ଏମ୍.ବି.ବି.ଏସ୍. ପାସ୍ କରି ଏଫ୍.ଆର୍.ସି.ଏସ୍. ଶିକ୍ଷାପାଇଁ ସେ ବିଲାତ ଯିବ-

 

ଅଳ୍ପଦିନ ପରେ । ଡିସେମ୍ବରର ଏକ ଶୀତଳ ଅପରାହ୍ନ । କଲେଜ ଅଡ଼ିଟୋରିଅମରେ ଏକ ଆଲୋଚନା ଚକ୍ର ଚାଲିଥାଏ । ଆଲୋଚନାର ବିଷୟବସ୍ତୁ ଥିଲା....ସହଶିକ୍ଷା । ପ୍ରସଙ୍ଗକ୍ରମେ ମିଃ ରାମଲିଙ୍ଗମ୍ କହିଲେ, “ପୁରୁଷ ବିନା ନାରୀ ଜୀବନ ଅପୂର୍ଣ୍ଣ... ।’’ ହଠାତ୍ ତା’ର ବିରୋଧ କରିଥିଲେ ନିବେଦିତା ଚୌଧୁରୀ । ରାମଲିଙ୍ଗମ୍‍ଙ୍କର ବକ୍ତବ୍ୟ ଶେଷ ହେବା ପରେ ବିଭିନ୍ନ ଅକାଟ୍ୟ ଯୁକ୍ତି ଉପସ୍ଥାପନ କରିଥିଲେ ମିସ୍ ଚୌଧୁରୀ । ନିବେଦିତାଙ୍କର ଅସାଧାରଣ ଯୁକ୍ତି, କହିବା ଭଙ୍ଗୀ ଓ ବକ୍ତୃତାରେ ସମସ୍ତେ ଚମତ୍କୃତ ହେଲେ । ସଭା ମଉଳିଲା । ଜଣ ଜଣ କରି ସମସ୍ତେ ଅଡ଼ିଟୋରିଅମରୁ ନିଷ୍କ୍ରାନ୍ତ ହେଲେ । ପଛରେ ଆସୁଥିଲେ ରାମଲିଙ୍ଗମ୍ ଓ ନିବେଦିତା । ଜଣେ ପରାଜୟ ଗ୍ଳାନିରେ ନତମସ୍ତକ...ଅପରର ମୁଖରେ ବିଜୟିନୀର ପରିତୃପ୍ତ ହସ । ହଠାତ୍ ରାମଲିଙ୍ଗମ୍ ମୁହଁ ଖୋଲି ସ୍ମିତ ହସି ପଚାରିଲେ, “ମିସ୍ ଚୌଧୁରୀ । ଆପଣ କେବଳ ଯୁକ୍ତି ଛଳରେ ଭାସିଗଲେ । ବାସ୍ତବ କ୍ଷେତ୍ରରେ କ’ଣ ଆପଣଙ୍କର ଯୁକ୍ତିର ସାର୍ଥକତା ଅଛି ? ଈଷତ୍ ହସି ଦୃଢ଼ତାର ସହ ନିବେଦିତା କହିଲେ, “ଅପେକ୍ଷା କରନ୍ତୁ ମିଃ ରାମଲିଙ୍ଗମ, ମୁଁ ମୋ ଜୀବନ ଉପରେ ସେହି ଏକ୍‍ସପେରିମେଣ୍ଟ ଚଳାଇବି, ସେତେବେଳେ ଆପଣ ମୋ ସହିତ ଏକମତ ହେବେ ତ ?”

 

‘‘…ନା...ନା ସେ ଭୁଲ ଆପଣ କରନ୍ତୁ ନାହିଁ ମିସ୍ ଚୌଧୁରୀ, ଆପଣ ଗୋଟିଏ ଜିଦରେ ତାହା ଅସ୍ଵୀକାର କରି କ’ଣ ଜୀବନରେ ସନ୍ତୋଷ ପାଇପାରିବେ ।’’

 

‘‘ଅବଶ୍ୟ ପାରିବି ।” ଦୃଢ଼ତାର ସହିତ କହିଲେ ନିବେଦିତା ।

 

ସୂର୍ଯ୍ୟର ଶେଷରଶ୍ମି ଲିଭିଯାଇଥିଲା । ମାନ୍ଦ୍ରାଜର ରାଜପଥ ଉପରେ ଅଗଣିତ ଜନତାର ସୁଅ ବଢ଼ିଚାଲିଥିଲା । ନିଜ ନିଜ ଲକ୍ଷ୍ୟ ନେଇ ତା’ରି ଭିତରେ ହଜିଗଲେ ରାମଲିଙ୍ଗମ୍ ଓ ନିବେଦିତା-

 

ଅଠରବର୍ଷ ପରେ.... । ଆଜି ଜୀବନର ସଙ୍କଳ୍ପ, ଦୃଢ଼ତା ମରି ମରି ଯାଉଛି । ମାନ୍ଦ୍ରାଜର ପ୍ରସିଦ୍ଧ ‘ଚୌଧୁରୀ କ୍ଲିନିକ’ର ଅଧ୍ୟକ୍ଷା ଡାଃ ନିବେଦିତା ଚୌଧୁରୀ ଆଜି କ୍ଳାନ୍ତ, ଧୈର୍ଯ୍ୟଚ୍ୟୁତ । ସେ ଚାହାଁନ୍ତି ନାହଁ ନିଃସଙ୍ଗ ଜୀବନର ରୁକ୍ଷତା, ସାହାରା ମରୁଭୂମିର ଶୁଷ୍କତା । ତାଙ୍କର କାମ୍ୟ ଜୀବନ...ଏକ ପୂର୍ଣ୍ଣାଙ୍ଗ ଜୀବନ....ଦାମ୍ପତ୍ୟ ଜୀବନ… । ଜୀବନର ଉଷ୍ଣତା ମରିଗଲାଣି, ତଥାପି ଯୁବତୀ ସୁଲଭ ଆଶା ମରି ନାହିଁ । ଉଜ୍ଜ୍ୱଳ ଗୌରବ ମୋ ଉପରେ ବୟସର ଦାଗ ଉଙ୍କି ମାରିଲାଣି-। ଭେସ୍‍ଲିନ ହେଆର ଟନିକ୍ ଦିଆ କାକକୃଷ୍ଣ କବରୀ ମଧ୍ୟରେ ଧଳାବାଳ ବସା ବାନ୍ଧିଲାଣି-। ତଥାପି ବିଳାସ ବ୍ୟସନ ପ୍ରସାଧନ ମଧ୍ୟରେ ନିଜର ତରୁଣ ରୂପକୁ ଧରିରଖିଛନ୍ତି ଡାଃ ନିବେଦିତା-

 

ଅପରେସନ ଟେବୁଲ୍‍ ଉପରେ ହାତ ଅଟକିଯାଏ । ସରଳ ସୁଶ୍ରୀ ସୀମନ୍ତିନୀ ବଧୂର ବେଦନାକ୍ଳିଷ୍ଟ ମୁଖରେ ପରିତୃପ୍ତିର ହସ । ଚଞ୍ଚଳ ହୋଇ ଉଠନ୍ତି ଡାଃ ନିବେଦିତା, ଶିଶୁର ଜୀବନ ନଚେତ୍ ବିପଦସଙ୍କୁଳ ହୋଇପଡ଼ିବ । ଅପରେସନ ସମାପ୍ତ ହୁଏ । ଚିର ଅନ୍ଧାର ଭିତରୁ ମୁକ୍ତି ଲଭି ମା’ ପେଟରୁ ବାହାରିଆସେ ସରଳ ସୁନ୍ଦର ଶିଶୁ । ନାଲି ଟୁକୁ ଟୁକୁ ଓଠରେ ରକ୍ତପଦ୍ମ ହସିଉଠେ । ରୋଗିଣୀ ଜନନୀ ମୁହଁରେ ହସ ଚହଟେ ମାତୃତ୍ଵର ଅଧିକାରରେ । ଅପେକ୍ଷାରତ ପିତା ଜ୍ଞାତିଜନ ହସନ୍ତି । ମା ହସିବାକୁ ଚେଷ୍ଟାକରି ମଧ୍ୟ ହସିପାରନ୍ତି ନାହିଁ ଡାଃ ନିବେଦିତା । ହୃଦୟ ମଧ୍ୟରେ ଅପୂର୍ଣ୍ଣ ଆଶା ବିକଶି ଉଠେ । ହାତ ମୁହଁ ପୋଛି ନିଜର ପ୍ରାଇଭେଟ ଚେମ୍ବରକୁ ପଶିଯାଆନ୍ତି ଡାଃ ମିସ୍ ଚୌଧୁରୀ । ଟେବୁଲ୍‍ ଉପରେ ମୁଣ୍ଡ ରଖି କଇଁକଇଁ କାନ୍ଦିଉଠନ୍ତି କୁମାରୀ ଚୌଧୁରୀ । ଜୀବନରେ ସବୁଥାଇ ମଧ୍ୟ କିଛିନାହିଁ । ସେ ଚାହାନ୍ତି ପୂର୍ଣ୍ଣାଙ୍ଗ ଦାମ୍ପତ୍ୟ ଜୀବନ, ଯାହା ଚିରଦିନ ନାରୀର କାମ୍ୟ-। ତାଙ୍କର ଯୁକ୍ତି ବାସ୍ତବ ଜଗତରେ ମୂଲ୍ୟହୀନ, କେବଳ ଗୋଟିଏ ଆଦର୍ଶ । ପରାଜୟର ଗ୍ଳାନିରେ ଭାଙ୍ଗିପଡ଼ନ୍ତି ନିବେଦିତା-। ରାମଲିଙ୍ଗମ୍‍ଙ୍କର ଅନୁରୋଧ ମନେପଡ଼େ ।

 

ଆଖିରୁ ଲୁହ ପୋଛନ୍ତି ଡାଃ ନିବେଦିତା । ୟୁନିଭରସିଟି ଘଣ୍ଟାରେ ବାଜେ ଦଶ, ତନ୍ଦ୍ରା ଭାଙ୍ଗିଯାଏ । ଅଳସ ଦେହରେ ଲୁଗା ସଜାଡ଼ି ଉଠି ବସନ୍ତି ନିବେଦିତା । ମୁଣ୍ଡ ତଳେ ଥିବା ହ୍ୟାଣ୍ଡ୍ ବ୍ୟାଗଟି ଆଣିବାକୁ ମୁହଁ ବୁଲାଇଲେ–ଆଗରେ ଦୁଇଟି ବାଳକ ବାଳିକା । ବାଳକ ବାଳିକା ଦ୍ଵୟ ନିବେଦିତାଙ୍କୁ ପ୍ରକୃତିସ୍ଥ ଦେଖି ଲଳିତ ସ୍ଵର ମେଲାଇ ଦିଅନ୍ତି ।

 

‘‘ୱାନ ଏଣ୍ଡ୍ ଟୁ, ଏଣ୍ଡ ଆଇ ଲଭ୍‍ ୟୁ

 

ପ୍ଲେ ଦି ଗେମ୍ ଅଫ୍ ଲଭ୍

 

ଥ୍ରୀ ଏଣ୍ଡ୍, ଫୋର, ଆଇ ଓ୍ୱାଣ୍ଟ୍ ୟୁ ମୋର..”

 

ନୋଳିଆ ପିଲାମାନେ ଏଇ ଗୀତ ଗାଇ ଗାଇ ପଇସା ମାଗନ୍ତି ।

 

ଗମ୍ଭୀର ଅଳସ ନିବେଦିତାଙ୍କ ମୁହଁରେ ହସ ଫିଟିପଡ଼େ । ହସି ହସି ଲୋଟି ଯାଆନ୍ତି ସେ । ପିଲା ଦୁଇଟି ଆନନ୍ଦରେ ହାତ ପତାନ୍ତି...‘‘ରୁଣ୍ଡୁ ନୟା ପୈସା ଆମା ।’’

 

ବେଶ୍‍ ସୁସ୍ଥସବଳ ଶିଶୁ ଦୁଇଟି । ନୋଳିଆ ପଲ୍ଲୀର ଦାରିଦ୍ର୍ୟ ଓ ଅନାଟନ ମଧ୍ୟରେ ଲାଳିତପାଳିତ ହୋଇ ମଧ୍ୟ ବେଶ୍ ସ୍ଵାସ୍ଥ୍ୟବାନ ସବଳ, ସୁନ୍ଦର । କୁନି କୁନି ମୁହଁରେ ଚୁନି ଚୁନି ହସ । ଅନିମେଷ ନୟନରେ ଚାହିଁରହନ୍ତି ନିବେଦିତା । ଇମିତ ଦୁଇ ଶିଶୁ ତାଙ୍କର ଥାଆନ୍ତେକି !!!

 

‘‘ରୁଣ୍ଡୁ ନୟା ପୈସା ଆମା’ ପୁଣି ସେଇ ଅନୁନୟ ସ୍ଵର ।

 

ନିବେଦିତାଙ୍କର ଭାବନାର ଖିଅ ଛିଣ୍ଡିଗଲା, ହ୍ୟାଣ୍ଡବ୍ୟାଗ୍‍ରୁ ଦୁଇଟି ଆଠଣି ବାହାରକରି ପିଲା ଦୁଇଟିଙ୍କର ହାତକୁ ବଢ଼ାଇ ଦେଲେ । ଆନନ୍ଦରେ ଡେଇଁ ଡେଇଁ ନୋଳିଆ ପିଲା ଦୁଇଟି ଆଗେଇ ଗଲେ ନୋଳିଆ ପଲ୍ଲୀଆଡ଼କୁ ।

 

ଚତୁର୍ଦ୍ଦିଗରେ ଆଖି ପହଁରେଇ ଆଣିଲେ ନିବେଦିତା । ବିସ୍ତୀର୍ଣ୍ଣ ଶୀତଳ ମେରିନା ଜନଶୂନ୍ୟ…ନିସ୍ତବ୍‍ଧ । ଡାଃ ନିବେଦିତାଙ୍କର ମନ ମଧ୍ୟରେ ମାତୃତ୍ଵର କାମନା ତିବ୍ରତର ହେଉଥିଲା । ଦୁର୍ବଳ ଅସହାୟ ନିବେଦିତା ଚାହୁଁଥିଲେ ଏକ ସୁଦୃଢ଼ ଆଶ୍ରୟ । ନୋଳିଆ ପିଲା ଦୁଇଟି ଅସ୍ପଷ୍ଟ ଅନ୍ଧାର ମଧ୍ୟରେ ମିଳାଇ ଗଲେଣି କେତେବେଳୁ । ତରତର ହୋଇ ଅଳସ ପାଦଦୁଇଟି ରାଜପଥ ଦିଗରେ ଚଳାଇଲେ ଡାଃ ମିସ୍ ନିବେଦିତା ଚୌଧୁରୀ ।

 

ନିର୍ଜନ ମେରିନାର ଶୁଭ୍ର ବାଲୁକାରାଶି ଉପରେ ଝରିପଡ଼ୁଥାଏ ଦ୍ଵାଦଶୀ ଚନ୍ଦ୍ରର ବିମଳ ଜ୍ୟୋତ୍ସ୍ନା । ସରି ସରି ଆସୁଥାଏ ବେଦନା ବିଧୁରା ମୌନାବତୀ ରାତ୍ରି ।

 

ଜୁନ୍ ପଚିଶ ତାରିଖ ଊଣେଇଶହ ବାଆଷଠୀ ‘‘ରବିବାର ପ୍ରଜାତନ୍ତ୍ର’’ରେ ପ୍ରକାଶିତ ।

Image

 

ସେଇ ହସ ସେଇ ମୁହଁ

 

କୋହ ଚାପି ଫୁଲି ଫୁଲି କାନ୍ଦୁଥିଲା ମଧୁଛନ୍ଦା । ବିଶ୍ଵବିଦ୍ୟାଳୟର କୃତୀ ଛାତ୍ରୀ, କଲେଜର ନାରୀ ନେତ୍ରୀ,–ସୁଲେଖିକା ମଧୁଛନ୍ଦା ପଟ୍ଟନାୟକ । ଚାରିବର୍ଷର କଲେଜ ଜୀବନରେ ଛାତ୍ରୀ ସହଧ୍ୟାୟୀ ଅଧ୍ୟାପକ ସମସ୍ତେ ବିସ୍ମିତ ହେଲେ–ଚିର ପ୍ରଫୁଲ ମଧୁଛନ୍ଦା ଆଜି ବିରସ କାହିଁକି ? ସମସ୍ତଙ୍କ ମନରେ ସେଇ ଗୋଟିଏ ପ୍ରଶ୍ନବାଚୀ ।

 

୪ର୍ଥ ବାର୍ଷିକ କଳା ଛାତ୍ରୀ ମଧୁଛନ୍ଦା ପଟ୍ଟନାୟକ ନୀରବ ନିଭୃତ ଲେଡିଜ୍ କମନ ରୁମରେ ବସି ନୀରବ ଅଶ୍ରୁ ବିସର୍ଜନ କରୁଥିଲା । ଲୁହ ପୋଛିଲା ମଧୁଛନ୍ଦା । କମନ ରୁମ୍‍ର କାଚଝରକାଟି ଖୋଲି ଦେଲା । ଡିସେମ୍ବରର ଅଳସ ଗୋଧୂଳି । ଅସରାଏ ଅଦିନ ମେଘ ହୋଇ ଛାଡ଼ିଯାଇଛି, ଜଳ ବିଧୌତ ଗଛ ପତ୍ରର ସବୁଜିମା ଉପରେ ଅସ୍ତମାନ ସୂର୍ଯ୍ୟର ସୁନେଲି କିରଣ ପଡ଼ି ଚକ୍ ଚକ୍ କରୁଛି-। ଦୃଷ୍ଟି ତା’ର ଲମ୍ବିଗଲା ସୁଦୂର ଦିଗନ୍ତକୁ । ଗତାୟୁ ଅତୀତ ଅସ୍ପଷ୍ଟ ହୋଇଉଠିଲା ସ୍ମୃତି ପରଦାରେ ।

 

ଏମିତି ଏକ ଡିସେମ୍ବର ଅପରାହ୍ନରେ ମାତ୍ର, ବର୍ଷେ ତଳେ ଯୋଗଦେଇଥିଲେ ଅଧ୍ୟାପକ ରବିଶଙ୍କର । ଦର୍ଶନ ଅଧ୍ୟାପକ ରବିଶଙ୍କର ଦାସଙ୍କୁ କଲେଜ ସ୍ଵାଗତ ଜଣାଇଥିଲା ଚିରା-ଚରିତ ପ୍ରଥା ଅନୁସାରେ । ଅଳ୍ପ କେତେଦିନ ମଧ୍ୟରେ ଛାତ୍ର ତଥା ବନ୍ଧୁ ଓ ସହକର୍ମୀ ମହଲରେ ସେ ବିଶେଷ ଆଦୃତ ହୋଇପାରିଥିଲେ । ନିରାଡ଼ମ୍ବର ପରିଧେୟ, ସଦା ପ୍ରଫୁଲ୍ଲ ମୁଖମଣ୍ଡଳ, ଅମାୟିକ ବ୍ୟବହାର ସମସ୍ତଙ୍କୁ ମୁଗ୍‍ଧ କରିଥିଲା । ମୁଗ୍‍ଧ ମଧ୍ୟ ହୋଇଥିଲା ମଧୁଛନ୍ଦା–ଅଜାଣତରେ ମନେମନେ ଭଲପାଇ ବସିଥିଲା ଅଧ୍ୟାପକ ରବିଶଙ୍କରଙ୍କୁ ।

 

ଆଜି ଅଧ୍ୟାପକ ରବିଶଙ୍କରଙ୍କର ବିଦାୟ ସଭା । ମଧୁଛନ୍ଦା ଛାତ୍ରୀ ସମାଜ ତରଫରୁ ବିଦାୟଭାଷଣ ଦେବାପାଇଁ ନିର୍ବାଚିତ ହୋଇଥିଲା । ମାତ୍ର ସମସ୍ତଙ୍କର ଶତ ଅନୁରୋଧ ସତ୍ତ୍ଵେ ସେ ବିଦାୟ ସଭାକୁ ଯାଇପାରିନି । ହୁଏତ ବିଦାୟ ସଭାର ନୀରବ କରୁଣ ମୁହୂର୍ତ୍ତକୁ ସେ ସହ୍ୟ କରିପାରିବ ନାହିଁ ।

 

ବାହାରେ କାହାର ପାଦଶବ୍ଦ ଶୁଣି ସେ ଫେରି ଚାହିଁଲା । କମନ୍‍ରୁମ୍‍ ପିଅନ ଶ୍ରୀମନ୍ତ ଠିଆହୋଇଛି । ବୋଧହୁଏ କମନ୍‍ରୁମ୍ ବନ୍ଦକରିବ । ରୁମାଲରେ ମୁହଁପୋଛି ବାହାରକୁ ଆସିଲା ମଧୁଛନ୍ଦା ।

 

‘‘କିରେ ଫେୟାରୱେଲ ମିଟିଂ ଭାଙ୍ଗିଲାଣି ?” ଶ୍ରୀମନ୍ତ ଉଦ୍ଦେଶ୍ୟରେ ପଚାରିଲା ମଧୁଛନ୍ଦା । “ଆଜ୍ଞା ନା, କ’ଣ କାମଥିଲା ?” ଚାବି ବନ୍ଦ କରୁ କରୁ କହିଲା ଶ୍ରୀମନ୍ତ ।

 

ଛୋଟ କାଠ କ୍ୟାସ୍କେଟ୍‍ଟିଏ ବଢ଼ାଇ ଦେଇ କହିଲା ମଧୁଛନ୍ଦା, ‘‘ଏଇଟା ଅଧ୍ୟାପକ ରବିଶଙ୍କରଙ୍କୁ ଦେଇଦେବୁ ।” କ୍ୟାସ୍କେଟ୍‍ଟି ବିଦାୟୀ ଅଧ୍ୟାପକଙ୍କୁ ତା’ର ସ୍ନେହ ଉପହାର । ଚନ୍ଦନ କାଠର କାରୁକାର୍ଯ୍ୟ ଖଚିତ ଛୋଟ କ୍ୟାସ୍କେଟ୍ ଭିତରେ ଥିଲା ଗୋଟିଏ ରକ୍ତ ଗୋଲାପ କଳିକା ଓ ବିଦାୟ ଉପଲକ୍ଷେ ଲିଖିତ କବିତାଟିଏ ।

 

ପଥଧାରର ବିଜୁଳିବତୀଗୁଡ଼ିକ ଜଳିଉଠିଲେଣି । ଆକାଶ ନିର୍ମଳ-ମେଘମୁକ୍ତ । ମଧୁଛନ୍ଦାର ମନ ମଧ୍ୟ ହାଲୁକା ହୋଇ ଆସୁଥିଲା । ଅଳସ ପାଦଦୁଇଟି ହଷ୍ଟେଲ୍ ଦିଗରେ ପକାଇଲା । କଲେଜ ହଲ୍‍ରୁ ସମ୍ମିଳିତ କରତାଳିର ଧ୍ଵନି ମରି ମରି ଯାଉଥିଲା ।

 

ସମ୍ବଲପୁର ରୋଡ଼୍ । ସମ୍ବଲପୁର ହାୱଡ଼ା ପାସେଞ୍ଜର ଛାଡ଼ିବାକୁ ସାମାନ୍ୟ ବିଳମ୍ବ ଅଛି, ତରତର ହୋଇ ଗୋଟିଏ ପ୍ରଥମ ଶ୍ରେଣୀ କମ୍ପାଟମେଣ୍ଟ୍ ଭିତରକୁ ପ୍ରବେଶ କଲା ମଧୁଛନ୍ଦା । ବି.ଏ. ଫାଇନାଲ ପରୀକ୍ଷା ଅଳ୍ପଦିନ ଥାଏ, ତଥାପି ରାଉରକେଲାରୁ ବାପାଙ୍କଠାରୁ ଏକ ଜରୁରୀ ତାର ବାର୍ତ୍ତା ପାଇ ମାତ୍ର ଦୁଇଦିନ ପାଇଁ ଯାଉଛି ମଧୁଛନ୍ଦା । କମ୍ପାଟମେଣ୍ଟ୍ ଭିତରେ ତା’ ବ୍ୟତୀତ ମାତ୍ର ଦୁଇଜଣ ଥିଲେ, ଜଣେ ପ୍ରୌଢ଼ା ଆମେରିକାନ୍ ମହିଳା–ଅନ୍ୟଜଣେ ଯୁବକ ।

 

ପାସେଞ୍ଜର ଗାଡ଼ି ଚାଲିଛି, ରାଉରକେଲାରେ ପହଞ୍ଚିବାକୁ ଆହୁରି ପ୍ରାୟ ପାଞ୍ଚଘଣ୍ଟା ଅଛି । ତରତର ହୋଇ ଆସିବା ହେତୁ କୌଣସି ବହି ବା ମ୍ୟାଗାଜିନ୍ ଆଣିପାରି ନାହିଁ ସେ । ନୀରବ ମୁହୂର୍ତ୍ତ ଦୁର୍ବିସହ ହୋଇଉଠିଲା । କମ୍ପାଟମେଣ୍ଟ୍ ଚତୁର୍ଦ୍ଦିଗରେ ଆନତ ଚକ୍ଷୁ ବୁଲାଇଆଣିଲା ମଧୁଛନ୍ଦା, ଆମେରିକାନ୍ ପ୍ରୌଢ଼ା ଉପର ବର୍ଥରେ ପଡ଼ି ଆରାମ କରୁଛନ୍ତି । ଯୁବକ କ’ଣ ଗୋଟିଏ ମ୍ୟାଗାଜିନ୍ ଉପରେ ଚକ୍ଷୁ ନିବିଷ୍ଟ କରିଛନ୍ତି । ପାଖରେ ଗଦାଏ ମ୍ୟାଗାଜିନ୍ ପଡ଼ିରହିଛି । ନିରେଖି ଚାହିଁଲା ମଧୁଛନ୍ଦା–ଚିହ୍ନା ଚିହ୍ନା ମୁହଁ, ସେଇ ହସ ସେଇ ମୁହଁ–ଅଧ୍ୟାପକ ରବିଶଙ୍କର । ଛୋଟ ଷ୍ଟେସନରେ ଗାଡ଼ି ଅଟକିଲା । ରବିଶଙ୍କର ମ୍ୟାଗାଜିନ୍ ଉପରୁ ଚକ୍ଷୁତୋଳି ଚାହିଁଲେ, ମଧୁଛନ୍ଦା ଅପଲକ ନୟନରେ ଚାହିଁରହିଥିଲା ।

 

‘‘ନମସ୍କାର’’

 

‘‘ନମସ୍କାର’’ ହାତ ତୋଳିଲେ ରବିଶଙ୍କର,

 

‘‘ସାର୍‍ ଚିହ୍ନିପାରୁଛନ୍ତି ?” ପ୍ରଥମେ ମୁହଁ ଖୋଲି ପଚାରିଲା ମଧୁଛନ୍ଦା ।

 

“ଆରେ ଛନ୍ଦା, ତୁମେ କୁଆଡ଼େ ?’’ ଆଗ୍ରହ ପ୍ରକାଶକରି ପ୍ରଶ୍ନ ତୋଳିଲେ ରବିଶଙ୍କର ।

 

“ସାର୍‍, ବାପା ଜରୁରୀ ଡକାଇ ପଠାଇଛନ୍ତି, ରାଉରକେଲା ଯାଉଛି ।’’

 

‘‘ଆପଣ... ?’’

 

“ମୁଁ ମଧ୍ୟ ରାଉରକେଲା ଯାଉଛି, ସାମାନ୍ୟ କାମ ଅଛି ।”

 

ସମ୍ବଲପୁର ହାୱଡ଼ା ପାସେଞ୍ଜର ଷ୍ଟେସନ ଛାଡ଼ିଲା ।

 

ମ୍ୟାଗାଜିନ୍ ଗଦା ମଧ୍ୟରୁ ସଦ୍ୟ ପ୍ରକାଶିତ ମାସିକ ‘ବୀଣା’ ପତ୍ରିକାଟି ଉଠାଇନେଲା ମଧୁଛନ୍ଦା । ବୀଣା ପତ୍ରିକା ସେ ନିୟମିତ ପଢ଼େ । ପାର୍ଥସାରଥିଙ୍କର କ୍ଷୁଦ୍ର ଗଳ୍ପ ସେ ପ୍ରାଣଭରି ପଢ଼େ, ଥରେ ନୁହେଁ ··· ଅନେକ ଥର । ତାଙ୍କର ପ୍ରତ୍ୟେକ ଗଳ୍ପର ଭାଷା, ଭଙ୍ଗୀ ବିକାଶ ଓ ପରିଣତି ସମସ୍ତରେ ସେ ପାଏ ନୂତନତ୍ଵ । ନିଜେ ସେ କବି, ଗଳ୍ପ ମଧ୍ୟ ଲେଖେ, ନାରୀ କବି ଭାବରେ ତା’ର ସୁନାମ ଅଛି, ତଥାପି ପାର୍ଥସାରଥିଙ୍କର ଉପନ୍ୟାସ ଓ କ୍ଷୁଦ୍ର ଗଳ୍ପ ପଢ଼ିବା ପାଇଁ ସେ ପାଗଳ ହୋଇଉଠେ । ତାଙ୍କର ନୂତନ ଉପନ୍ୟାସ ପ୍ରକାଶ ପାଇବା ସଙ୍ଗେ ସଙ୍ଗେ ସେ ଖଣ୍ଡିଏ କିଣିଆଣେ ମାତ୍ର ଦୁଃଖ ତା’ର ସେଇ ପୂଜ୍ୟ ଲେଖକଙ୍କର ପରିଚୟ ସେ ପାଇନାହିଁ.... ‘ପାର୍ଥ ସାରଥି’ ଏକ ସାହିତ୍ୟିକ ଛଦ୍ମନାମ ।

 

ବୀଣାରେ ପ୍ରକାଶିତ ପାର୍ଥସାରଥିଙ୍କର ଗଳ୍ପଟି ମନଯୋଗଦେଇ ପଢ଼ିଲା । ନିରାଟ ବାସ୍ତବତାକୁ ଲେଖନୀରେ ଅତି ଜୀବନ୍ତ ଭାବରେ ରୂପ ଦେଇଛନ୍ତି ପାର୍ଥସାରଥି । ଆନନ୍ଦ ଆତିଶଯ୍ୟରେ ତା’ର ମୁହଁରୁ ଅସ୍ପଷ୍ଟ ଭାବରେ ବାହାରିପଡ଼ିଲା ‘ଚମତ୍କାର ।’ ‘‘କ’ଣ ଚମତ୍କାର ଛନ୍ଦା,’’ ହସି ହସି ପଚାରିଲେ ଅଧ୍ୟାପକ ରବିଶଙ୍କର । ‘‘ସାର୍, ପାର୍ଥସାରଥିଙ୍କର ବୀଣାରେ ପ୍ରକାଶିତ ଏ ଲେଖାଟି ପଢ଼ିଛନ୍ତି ?’’

 

‘‘ହଁ, ମନ୍ଦ ହୋଇନି ।’’

 

ଏଇ ଗୋଟିଏ ଧାଡ଼ିରେ ଉପକ୍ରମଣିକାଟି ଶେଷ ହୋଇଯିବାରୁ ମଧୁଛନ୍ଦାର ସରାଗ ଭାଙ୍ଗିଗଲା । ତଥାପି ମୁହଁରେ ହସ ଖେଳାଇ ପଚାରିଲା ।

 

‘‘ସାର୍, ପାର୍ଥସାରଥିଙ୍କୁ ଜାଣିଛନ୍ତି ?’’

 

‘‘ନା, ବ୍ୟକ୍ତିଗତ ଭାବରେ ଜାଣେ ନାହିଁ, ତେବେ ଜାଣିଛି ସେ କଟକରେ ରହନ୍ତି, ଜଣେ ଶିକ୍ଷିତ ଯୁବକ’’ ଝରକାବାଟେ ବାହାରକୁ ଚାହିଁ କହିଲେ ଅଧ୍ୟାପକ ରବିଶଙ୍କର

 

ଫେବୃଆରୀର ସୂର୍ଯ୍ୟ ବିଦାୟ ନେଉଥିଲେ ପଶ୍ଚିମ ଦିଗନ୍ତରେ

 

ରାଉରକେଲାରେ ଗାଡ଼ି ପହଞ୍ଚିଲା ମଧୁଛନ୍ଦା ଅଧ୍ୟାପକ ରବିଶଙ୍କରଙ୍କର ଯାତ୍ରାରେ ପୂର୍ଣ୍ଣଛେଦ ପଡ଼ିଲା ଛୋଟ ଚମଡ଼ା ସୁଟକେଶ ହାତରେ ଧରି ବାହାରକୁ ଆସିଲେ ସେମାନେ, ରିକ୍ସାରେ ବସୁ ବସୁ ମଧୁଛନ୍ଦା ପଚାରିଲା–

 

‘‘ସାର୍‍ କେବେ ଫେରିବେ ?’’

 

‘‘ପହରଦିନ।’’

 

‘‘ସମୟହେଲେ ଆମ ଘରଆଡ଼େ ଆସିବେ, ସେକ୍ଟର ୪ସି ୪”, ହାତ ତୋଳିଲା ମଧୁଛନ୍ଦା-

 

ଇସ୍ପାତ ନଗରୀ ରାଉରକେଲା ବକ୍ଷରେ ସୁଶୋଭିତ ଆଲୋକମାଳାର ଅପୂର୍ବ ବର୍ଣ୍ଣ ସମ୍ଭାର ଉପଭୋଗ କରୁଥିଲେ ଦାର୍ଶନିକ ରବିଶଙ୍କର ନୀରବତା ଭାଙ୍ଗି ହିନ୍ଦୁସ୍ଥାନୀ ରିକ୍ସାବାଲା ପଚାରିଲା ‘‘କାହାଁ ଯାଏଗା ସାହାବ ?’’

 

‘‘ସେକ୍ଟର ୫ ବି-୩୦’’ ସୁପ୍ରଶସ୍ତ ରାଜପଥ ଉପରେ ରିକ୍ସା ଗଡ଼ିଚାଲିଲା ।

 

ଘରେ ପହଞ୍ଚି ବାପାଙ୍କ ପାଖରୁ ଶୁଣିଲେ ରବିଶଙ୍କର, ତାଙ୍କୁ କାଲି କନ୍ୟା ଦେଖିଯିବାକୁ ହେବ, ଯଦି ସେ ରାଜି ହୁଅନ୍ତି, ଆସନ୍ତା ମେ ମାସରେ ବିଭାଘର ହେବ ।

 

‘କନ୍ୟା ଦେଖା’ ବିଂଶ ଶତାବ୍ଦୀର ଏକ ପ୍ରହସନ । ମନେମନେ ହସିଲେ ରବିଶଙ୍କର । ତଥାପି ଯିବାକୁ ହେବ, ବାପା କହୁଛନ୍ତି ।

 

ଇଂଜିନିୟର ଯାମିନୀ ପଟ୍ଟନାୟକଙ୍କ ଆଡ଼ମ୍ବରପୂର୍ଣ୍ଣ ଡ୍ରଇଂରୁମରେ ଚିନ୍ତିତ ହୋଇ ବସିଥିଲେ ଅଧ୍ୟାପକ ରବିଶଙ୍କର । କନ୍ୟା ଦେଖା ଇଣ୍ଟରଭ୍ୟୁ ।

 

ନିର୍ଜନ ଡ୍ରଇଂରୁମ୍‍ର ନୀରବତା ଭଗ୍ନକରି ନାରୀ ପାଦର ହାଲୁକା ଶବ୍ଦ ସହିତ ଅଳଙ୍କାର ସଂଘର୍ଷର ରୁଣୁଝୁଣୁ ଐକ୍ୟତାନ ଶୁଭିଲା । ପ୍ରକୃତିସ୍ଥ ହେଲେ ରବିଶଙ୍କର । ସମ୍ମୁଖରେ ଥିବା ଟିକ୍‍ଉଡ୍ ଟେବୁଲ୍ ଉପରେ ପ୍ଲେଟ୍ ରଖିବାର ଶବ୍ଦ ହେଲା–ତା’ପରେ ନାରୀ କଣ୍ଠର ହାଲୁକା ନମ୍ର ନରମ ଗଳା ଶୁଭିଲା, ‘‘ପାନ ନିଅନ୍ତୁ ।’’ ଏଥର ଚକ୍ଷୁ ତୋଳି ସମ୍ମୁଖକୁ ଚାହିଁଲେ ରବିଶଙ୍କର–ସେଇ ହସ ସେଇ ମୁହଁ-। ଇଣ୍ଟରଭ୍ୟୁ ପ୍ରାର୍ଥୀ–ମଧୁଛନ୍ଦା ପଟ୍ଟନାୟକ ?

 

ଚାରିଚକ୍ଷୁ ମିଳିଗଲା । ରବିଶଙ୍କରଙ୍କ ମୁହଁରୁ ଆଶ୍ଚର୍ଯ୍ୟରେ ବାହାରିପଡ଼ିଲା ‘‘ଆରେ ଛନ୍ଦା, ତୁମେ ?” ପରଦା ଅନ୍ତରାଳରୁ ନାରୀ କଣ୍ଠର ଖିଲିଖିଲି ହସ ଶୁଭିଲା । ଦ୍ରୁତପଦରେ ପଳାଇଗଲା ମଧୁଛନ୍ଦା ।

 

ବାପାଙ୍କୁ ସମ୍ମତି ଦେଇ ଫେରି ଆସିଲେ ରବିଶଙ୍କର ।

 

ଇସ୍ପାତନଗରୀ ରାଉରକେଲା ଷ୍ଟେସନ । ଗାଡ଼ି ଆସିବା ବିଳମ୍ବ ଅଛି । ଚାରିଆଡ଼େ ଲୋକାରଣ୍ୟ । ପାନ ବିଡ଼ି ସିଗାରେଟ୍ ଚିତ୍କାର ସହିତ ଖବରକାଗଜ ହକରର ଚିତ୍କାର ମଧ୍ୟ ଶୁଭୁଚି । ଦୈନିକ ପ୍ରଜାତନ୍ତ୍ର......ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ପାର୍ଥସାରଥି ଚଳିତବର୍ଷର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଲେ..... ରାଉରକେଲାରେ ଶ୍ରମିକ ଧର୍ମଘଟ ଇତ୍ୟାଦି । ମଧୁଛନ୍ଦା କାଗଜ ଖଣ୍ଡିଏ କିଣିଲା । ପ୍ରଥମ ପୃଷ୍ଠାରେ ପାର୍ଥସାରଥିଙ୍କର ଫଟୋ ବାହାରିଛି । ହସ ଝରିପଡ଼ୁଛି ପ୍ରଶାନ୍ତ ମୁଖମଣ୍ଡଳରୁ । ଥଣ୍ଡା ଚଷମା କାଢ଼ି ନିରେଖି ଚାହିଁଲା ମଧୁଛନ୍ଦା । ଅବିକଳ ଏକା ଚେହେରା । ତେବେ ଅଧ୍ୟାପକ ରବିଶଙ୍କର ଦାସ ହେଉଛନ୍ତି–ବିଶିଷ୍ଠ ସାହିତ୍ୟିକ ପାର୍ଥସାରଥି ! ଆନନ୍ଦରେ କୁରୁଳିଉଠିଲା ମଧୁଛନ୍ଦା ।

 

‘‘କାଗଜ ଟିକିଏ ଦେବେ ?’’

 

କିଏ ସେ ଅପରିଚିତ ? ବିରକ୍ତି ପ୍ରକାଶକରି ମଧୁଛନ୍ଦା ଫଟୋ ଉପରୁ ମୁହଁ ତୋଳି ଚାହିଁଲା-। ରବିଶଙ୍କର କାଗଜଟି ପାଇଁ ହାତ ପ୍ରସାରିତ କରିଥିଲେ, ମୁହଁରେ ତାଙ୍କର ସେଇ ହସ ।

 

ମେ ଏକୋଇଶ ତାରିଖ ଊଣେଇଶହ ବାଆଷଠୀ ‘ରବିବାର ପ୍ରଜାତନ୍ତ୍ର’ରେ ପ୍ରକାଶିତ ।

Image

 

ପରିଚୟ

 

ଲଜ୍ଜାବତୀ ରାତ୍ରିର କୃଷ୍ଣକୁନ୍ତଳ ଫିଟିପଡ଼ିଥାଏ ଧରଣୀ ବୁକୁରେ, ଲୋଟି ଲୋଟି ଯାଉଥାଏ ଅନ୍ଧକାର । ନୀରବ ପୃଥିବୀ, ନିଥର ବାୟୁମଣ୍ଡଳ । ଅନ୍ଧକାର ବୁକୁ ଚିରି ବିକଟାଳ ଶବ୍ଦକରି ଛୁଟି ଚାଲିଥିଲା ହାୱଡ଼ା ପୁରୀ ଏକ୍‍ସପ୍ରେସ୍‍ । ଗାଡ଼ିରେ ଅସମ୍ଭବ ଭିଡ଼ । ଦୁଇଦିନ ପରେ ପୁରୀରେ ଗୋବିନ୍ଦ ଦ୍ଵାଦଶୀ ବୁଡ଼ । ଭାରତର ସବୁ ଅଞ୍ଚଳର ଯାତ୍ରୀଙ୍କୁ ଧରି ଛୁଟିଛି ଏକ୍‍ସପ୍ରେସ୍‍ । ଗୋଟିଏ ଛୋଟ ରିଜର୍ଭ ପ୍ରଥମ ଶ୍ରେଣୀ କମ୍ପାଟମେଣ୍ଟ ତଳବର୍ଥରେ ଅଳସ ଶରୀର ଲୋଟାଇ ଦେଇଥିଲେ ଯୋଗମାୟା ।

 

ଛୋଟ ଛୋଟ ଷ୍ଟେସନଗୁଡ଼ିକୁ ପଛରେ ପକାଇ ପ୍ରଚଣ୍ଡ ବେଗରେ ମାଡ଼ିଯାଉଥିଲା ଏକ୍‍ସପ୍ରେସ୍‍ । ପ୍ରୌଢ଼ା ଯୋଗମାୟାଙ୍କ ଚକ୍ଷୁରେ ନିଦନାହିଁ । କମ୍ପାଟମେଣ୍ଟରେ ଅନ୍ୟ ସମସ୍ତେ ଗଭୀର ନିଦ୍ରାଭିଭୂତ । ଦୃଷ୍ଟି ତାଙ୍କର ଲମ୍ବିଗଲା ବାହାରକୁ । ବାହାରେ ଗାଢ଼ ଅନ୍ଧାର । ଅନ୍ଧାର.....ତା’ରି ଭିତରେ ଛପିରହିଛି ଅତୀତ, ବର୍ତ୍ତମାନ ଆଉ ଭବିଷ୍ୟତ । ପଚିଶବର୍ଷ ପରେ ଓଡ଼ିଶା ଭୂଇଁର ମାଦକତା ଅନୁଭବ କରୁଛନ୍ତି ଯୋଗମାୟା । କର୍ମମୟ ସୁଦୂର ଦିଲ୍ଲୀ ନଗରୀର ବିଳାସ ବ୍ୟସନ ମଧ୍ୟରେ ବୁଡ଼ିରହି ସେ ଭୁଲିଯାଇଥିଲେ ନିଜର କଳଙ୍କିତ କରୁଣ ଅତୀତ ।

 

ନିସ୍ତବ୍‍ଧ କମ୍ପାଟମେଣ୍ଟରେ ମୋଲାୟମ ନୀଳ ଆଲୋକର ବନ୍ୟା । ନଜ ଉପରକୁ ଆଖି ବୁଲାଇଆଣିଲେ ଯୋଗମାୟା । ବୈଶାଖୀର ଝଞ୍ଜାରେ ଥୁଣ୍ଟା ବରଗଛପରି ଯୌବନ ତାଙ୍କର ଦଗ୍ଧୀଭୂତ । ପଚାଶଟି ବସନ୍ତର ମଳୟ ତାଙ୍କ ଜୀବନ ଉପବନରେ ବହିଯାଇଛି । ଦେହର ଉଷ୍ଣତା ମରିଗଲାଣି, ଶରୀରରେ ଲଳିତ କମନୀୟତା ଆଉ ନାହିଁ । ଜୀବନର ଶେଷ ମାଇଲଖୁଣ୍ଟ ଆଉ ବେଶି ଦୂର ନୁହେଁ । ଧାବମାନ ଏକ୍‍ସପ୍ରେସ୍‍ର ଗତି କମିଆସିଲା.....କଟକ ଷ୍ଟେସନ ।

 

ସୀମିତ ଷ୍ଟେସନର ପରିସର ଭିତରେ ଅସମ୍ଭବ ଭିଡ଼ । ସୋରିଷ ପକାଇବାକୁ ଜାଗାନାହିଁ । ସମସ୍ତଙ୍କର ଲକ୍ଷ୍ୟ ଶ୍ରୀକ୍ଷେତ୍ର ଯାତ୍ରା । ଗୋବିନ୍ଦ ଦ୍ଵାଦଶୀ, ହଜାର ହଜାର ବର୍ଷ ପରେ ପଡ଼ିଛି, ଜୀବନରେ ହୁଏତ ଏ ସୁଯୋଗ ଆଉ ନ ଆସିପାରେ । ସମସ୍ତେ ଚାହାଁନ୍ତି ନିଜର ପାପପତିତ ଶରୀରକୁ ଏହି ପବିତ୍ର ଦିନରେ ମହୋଦଧି ସ୍ନାନକରି ପବିତ୍ର କରିବେ । ଅତୀତର ସମସ୍ତ କଳଙ୍କକାଳିମା ଧୋଇଯିବ । ପୌଢ଼ା ଯୋଗମାୟା ମଧ୍ୟ ସେହି ଉଦ୍ଦେଶ୍ୟରେ ସୁଦୂର ଦିଲ୍ଲୀ ନଗରୀରୁ ଧାଇଁ ଆସିଛନ୍ତି ଏକାକୀ, ପ୍ରାଣପ୍ରତିମ ଈଶ୍ଵର ବିରୋଧୀ ସ୍ଵାମୀ ଆଡ଼ଭୋକେଟ୍ ‘ସିଦ୍ଧାର୍ଥ’ଙ୍କର ଅନୁରୋଧକୁ ଉପେକ୍ଷା କରି ।

 

କଟକ ଷ୍ଟେସନ ପ୍ଲାଟ୍‍ଫର୍ମରେ ଜନଗହଳି କମିନାହିଁ । ପ୍ଲାଟ୍‍ଫର୍ମ ଉପରେ ନିଜର ଯାଯାବର ଚକ୍ଷୁ ଦୁଇଟିକୁ ଭଲଭାବରେ ବୁଲାଇଆଣିଲେ ଯୋଗମାୟା । ପଚିଶବର୍ଷ ତଳେ କଟକ ଷ୍ଟେସନ ଯାହାଥିଲା ଆଜି ବି ସେଇଆ ଅଛି । ଇତିମଧ୍ୟରେ ଇଂରେଜ ଜାତି ଦେଶଛାଡ଼ି ଚାଲିଗଲେଣି ଅନେକଦିନରୁ । ଦେଶ ସ୍ଵାଧୀନ ହୋଇଛି । ଦେଶର ଲୋକଙ୍କ ହାତରେ ଆଜି ଶାସନର ରାଜଦଣ୍ଡ, ଦେଶର ଭବିଷ୍ୟତ ସବୁ କିଛି । ମାତ୍ର ଅଭିଶପ୍ତ କଟକ ଷ୍ଟେସନର ଜୀବନରେ କୌଣସି ପରିବର୍ତ୍ତନ ଆସିନାହିଁ । ବୁକିଂ କାଉଣ୍ଟରରେ ଭୀଷଣ ଭିଡ଼ । ଅପେକ୍ଷାମାନ ଯାତ୍ରୀଙ୍କ ମୁଖରେ ଫୁଟିଉଠୁଛି କ୍ଳାନ୍ତି..... ବିରକ୍ତି...ନୈରାଶ୍ୟ । ଅସମ୍ଭବ ଭିଡ଼.... ।

 

ଏମିତି ଏକ ଭୟଙ୍କର ଭିଡ଼ରେ ଗୋଟିଏ ଦ୍ଵିତୀୟ ଶ୍ରେଣୀ କମ୍ପାଟମେଣ୍ଟରେ ବସିବାକୁ ସ୍ଥାନ ନ ପାଇ ଅଭିଭୂତା ହୋଇଯାଉଥିଲେ ଯୋଗମାୟା । ସେ ଥିଲା ଛବିଶବର୍ଷ ତଳର ଘଟଣା । ଶାରଦୀୟ ପୂଜା ଅବକାଶରେ ଘରକୁ ଯାଉଥିଲେ ସେ । ଠିଆହୋଇ ହୋଇ କ୍ଳାନ୍ତି ଓ ବିରକ୍ତରେ ଭାଙ୍ଗିପଡ଼ୁଥିଲେ । ଏଇ ସମୟରେ ହଠାତ୍ ଶୁଣିପାରିଲେ ‘‘ବସନ୍ତୁ ।’’ ବୁଲି ଚାହିଁଲେ ଯୋଗମାୟା । ଅପରିଚିତ ସୌମ୍ୟ ଯୁବକଟିଏ ଚାହିଁରହିଛି, ଓଠରେ ଚୁନି ଚୁନି ହସ ଓ ଆଖିରେ ଅନୁରୋଧର ଚାହାଁଣି । ଲଜ୍ଜାବତୀ ଯୋଗମାୟା କୃତଜ୍ଞତାରେ ଧନ୍ୟବାଦ ଜଣାଇଲେ । କ୍ରମେ ବନ୍ଧୁତା ବଢ଼ିଚାଲେ । ଅପରିଚିତ ଯୁବକ କଟକର ଡେପୁଟି କଲେକ୍ଟର ।

 

ଏପରି ଏକ ଆକସ୍ମିକ ପରିଚୟ ପରେ ଘନିଷ୍ଠତା ବଢ଼ିଚାଲେ । ବନ୍ଧୁତା ଓ ଘନିଷ୍ଠତାର ପରିସମାପ୍ତି ଘଟେ ପ୍ରେମରେ । ଗୋଟିଏ ବର୍ଷାମୁଖର ଗୋଧୂଳିରେ ବିବାହର ପ୍ରସ୍ତାବ ବାଢ଼ନ୍ତି ଯୁବକ ରତିକାନ୍ତ । ଯୋଗମାୟା ନୀରବ ସମ୍ମତି ଦିଅନ୍ତି ମାତ୍ର ଯୋଗମାୟାର ପିତା ମାତା ଏ ପ୍ରସ୍ତାବର ପୂର୍ଣ୍ଣ ବିରୋଧ କରନ୍ତି । ଯୋଗମାୟା ବ୍ରାହ୍ମଣର କନ୍ୟା ଏବଂ ରତିକାନ୍ତ ଖ୍ରୀଷ୍ଟିୟାନ ସନ୍ତାନ ।

 

ବୟସର ଚାଞ୍ଚଲ୍ୟ, ଯୌବନର ଉନ୍ମାଦନା ଯୋଗମାୟାଙ୍କୁ ପଥଭ୍ରାନ୍ତ କରେ । ବଂଶର ପରମ୍ପରା, ସମ୍ମାନ, ଆଭିଜାତ୍ୟକୁ ପଦଦଳିତ କରି ପିତା ମାତାଙ୍କର ବାରଣ ସତ୍ତ୍ୱେ ଏକ ଅଶୁଭ ମୁହୂର୍ତ୍ତରେ ଘରୁ ଗୋଡ଼ କାଢ଼ନ୍ତି । ଦୁଇଟିମାସ ପରେ ସେ ନିଜର ଭୁଲ ବୁଝିପାରନ୍ତି । ରତିକାନ୍ତ ବିବାହିତ । ଗାଁରେ ତାଙ୍କର ସ୍ତ୍ରୀ ଓ ଦୁଇଟି କନ୍ୟା । ପ୍ରତାରକ ରତିକାନ୍ତର ହୀନ ଚକ୍ରାନ୍ତ ଧରାପଡ଼େ-। କଳଙ୍କର କାଳିମା ନେଇ ଅନୁତପ୍ତ ହୃଦୟରେ ଯୋଗମାୟା ଫେରିଆସନ୍ତି ପିତାମାତାଙ୍କ ନିକଟକୁ-

 

କଳଙ୍କ କଳିକାଟି ପରିପୁଷ୍ଟ ହୋଇ ସଭ୍ୟ ପୃଥିବୀର ଆଲୋକରେ ହସିଉଠେ । ନିଷ୍ପାପ ସରଳ ଶିଶୁପୁତ୍ରଟିର ମାୟା ଛାଡ଼ିବାକୁ ଇଚ୍ଛା ନଥିଲେ ମଧ୍ୟ ବାଧ୍ୟହୋଇ ସେଇ ସନ୍ତାନଟିକୁ ଟେକି ଦିଅନ୍ତି ଏକ ସନ୍ତାନହୀନ ମଧ୍ୟବିତ୍ତ ଶ୍ରେଣୀର ନର୍ସ ହାତରେ । ଯୋଗମାୟାଙ୍କ ଜୀବନରେ ପୁଣି ବସନ୍ତ ଆସେ–ଜୀବନ-ନଦୀ ଉପକଣ୍ଠରେ ସେ ପୁଣି ଅନ୍ୟଏକ ନାଉରୀର ଆଶ୍ରୟ ନିଅନ୍ତି । କରୁଣ ଅତୀତକୁ ଭୁଲିଯାଇ ସ୍ଵାମୀ ସିଦ୍ଧାର୍ଥଙ୍କୁ ଅତି ଆପଣାର କରିନିଅନ୍ତି । ବିବାହ ପରଠାରୁ ଦିଲ୍ଲୀ ଛାଡ଼ି କେବେ ସେ ଓଡ଼ିଶାରେ ପାଦ ପକାଇ ନାହାଁନ୍ତି । ମାତ୍ର ଅଭାଗିନୀ ଯୋଗମାୟା ଚିରଦନ ପାଇଁ ନିଃସନ୍ତାନ ହୋଇ ରହିଗଲେ । ପାଞ୍ଚଟି ସନ୍ତାନର ସ୍ନେହଭରା ହସ ସେ ଦେଖିଛନ୍ତି, ବୁକୁଫଟା କାନ୍ଦଣା ମଧ୍ୟ ଶୁଣିଛନ୍ତି, କିନ୍ତୁ କୌଣସି ସନ୍ତାନକୁ ମନଭରି ସେ ସ୍ନେହ କରିପାରିନାହାନ୍ତି । ସମସ୍ତେ ଅଦିନରେ ମଉଳି ଯାଇଛନ୍ତି । ବିଂଶ ଶତାବ୍ଦୀର ବୈଜ୍ଞାନିକ ଯୁଗରେ ଦିଲ୍ଲୀନଗରୀର କୌଣସି ଡାକ୍ତର ତାଙ୍କୁ ସାହାଯ୍ୟ କରିପାରିନାହାନ୍ତି । ନିଃସନ୍ତାନ ବୃଦ୍ଧା ଯୋଗମାୟାଙ୍କ ଚକ୍ଷୁରେ ଅଶ୍ରୁ....ହୃଦୟରେ ଅସୀମ ବେଦନା । ହଠାତ୍ ଚଳନ୍ତା ଟ୍ରେନ୍‍ ମଧ୍ୟରୁ ଯାତ୍ରୀଙ୍କର ସମ୍ମିଳିତ ସ୍ଵର ‘ଜଗନ୍ନାଥ କୀ ଜୟ’ ଧ୍ୱନି ତାଙ୍କୁ ପ୍ରକୃତିସ୍ଥ କଲା । ଟ୍ରେନ୍ କେତେବେଳୁ କଟକ ଷ୍ଟେସନ ଛାଡ଼ି ଆସିଲଣି । ଟ୍ରେନ୍‍ରୁ ପୁରୀ ମନ୍ଦିର ଝାପ୍‍ସା ଦେଖାଯାଉଛି । ନୀଳଚକ୍ର ଉଦ୍ଦେଶ୍ୟରେ ହାତ ତୋଳିଲେ ଯୋଗମାୟା । ଅଳ୍ପ ସମୟ ପରେ ଏକ୍‍ସପ୍ରେସ୍‍ ପୁରୀରେ ପହଞ୍ଚିବ । ବିଛଣାପତ୍ର ସଜାଡ଼ିଲେ ଯୋଗମାୟା ।

 

ଗୋବିନ୍ଦ ଦ୍ଵାଦଶୀ । ପୁଣ୍ୟତୋୟା ଶ୍ରୀକ୍ଷେତ୍ରର ବେଳାଭୂମି । ରାତି ପାହିବାକୁ ଅନେକ ବିଳମ୍ବ ଅଛି । ବେଳାଭୂମି ତୀରେ ତୀରେ ସ୍ନାନାର୍ଥୀ ଯାତ୍ରୀମାନଙ୍କର ସମାବେଶ କ୍ରମଶଃ ବଢ଼ୁଛି । ସମସ୍ତେ ତତ୍ପର ହୋଇଉଠିଛନ୍ତି–ସେବାଦଳ, ସ୍ୱେଚ୍ଛାସେବକ, ପୋଲିସ୍, ଭିକ୍ଷୁକ, ପକେଟମାରୁ ଏପରି ଅନେକ । ଅସମ୍ଭବ ଭିଡ଼ । ପ୍ରୌଢ଼ା ଯୋଗମାୟା ମଧ୍ୟ ଭିଡ଼ ଠେଲି ଆଗେଇ ଚାଲିଛନ୍ତି–ନିହାତି ଅସହାୟ ଭାବରେ । ଡାକବାଜି ଯନ୍ତ୍ରରେ ପୋଲିସ୍ ତରଫରୁ ସ୍ନାନାର୍ଥୀମାନଙ୍କୁ ବିଭିନ୍ନ ନିର୍ଦ୍ଦେଶ ଦିଆଯାଉଛି । ସାମାନ୍ୟ ଅନ୍ୟମନସ୍କ ହୋଇପଡ଼ିଲେ ଯୋଗମାୟା । ପ୍ରବଳ ଭିଡ଼ର ବନ୍ୟା ମଧ୍ୟରେ ସେ ଦଳିତ ଦୁର୍ବା । ଅସଂଖ୍ୟ ଜନତାର ପାଦତଳେ ପେଷି ହୋଇଗଲେ । ସଂଜ୍ଞା ତାଙ୍କର ଲୋପ ପାଇଗଲ । ପୋଲିସ୍ ତମ୍ବୁରୁ ଜନତାର ସୁଅରେ ଏହି ବ୍ୟତିକ୍ରମକୁ ଲକ୍ଷ୍ୟ କରୁଥିଲେ ଯୁବକ ଆଇ.ପି.ଏସ୍ ଅଫିସର ସୂର୍ଯ୍ୟକାନ୍ତ । ଚାରିଟି କନେଷ୍ଟବଳ ସହ ଘଟଣାସ୍ଥଳରେ ପହଞ୍ଚିଲେ । ସଂଜ୍ଞାହୀନ ଅପରିଚିତା ପ୍ରୌଢ଼ାଙ୍କୁ ସଙ୍ଗେ ସଙ୍ଗେ ସଦର ହସ୍ପିଟାଲ ନେଇଯିବା ପାଇଁ ଆଦେଶ ଦେଲେ । ପୁଣ୍ୟ ଦିନକୁ ସ୍ୱାଗତ ଜଣାଇ ବାଳ ଭାନୁ ପୂର୍ବ ଦିଗନ୍ତରେ ଉଠିଆସୁଥିଲା ।

 

ପରିଶ୍ରାନ୍ତ ହୋଇ ଘରେ ପହଞ୍ଚି ସୂର୍ଯ୍ୟକାନ୍ତ କୌଣସି କାମରେ ମନୋନିବେଶ କରିପାରିଲେ ନାହିଁ । ଆଖି ଆଗରେ ନାଚିଗଲା ସେହି ସଂଜ୍ଞାହୀନ ଅପରିଚିତା ପ୍ରୌଢ଼ାଙ୍କର ପ୍ରଶାନ୍ତ ଜ୍ୟୋତିପୂର୍ଣ୍ଣ ମୁଖମଣ୍ଡଳ । ସତେଯେପରି କେଉଁଠି ଦେଖିଛନ୍ତି । ଗୋଟିଏ ଅହେତୁକ ସ୍ନେହରେ ତାଙ୍କର ହୃଦୟ ଦୟାର୍ଦ୍ର ହୋଇଉଠିଲା । ସନ୍ଧ୍ୟା ହେବାକୁ ବିଳମ୍ବ ଅଛି, ଖାକି ପୋଷାକ ଓହ୍ଲାଇ ସାଧା ଧୋତି ପଞ୍ଜାବୀ ପିନ୍ଧି ମେନ୍ ହସ୍ପିଟାଲ ଉଦ୍ଦେଶ୍ୟରେ ବାହାରିଲେ ସୂର୍ଯ୍ୟକାନ୍ତ ।

 

ଗୋବିନ୍ଦ ଦ୍ଵାଦଶୀ ଯୋଗୁଁ ହସ୍ପିଟାଲରେ ମଧ୍ୟ ରୋଗୀ ସଂଖ୍ୟା ଯଥେଷ୍ଟ ବଢ଼ିଯାଇଛି । ଇମରଜେନ୍‍ସ ୱାଡ଼ରେ ପହଞ୍ଚିଲେ ସୂର୍ଯ୍ୟକାନ୍ତ । ଗୋଟିଏ ବେଡ଼ରେ ଆଖିବୁଜି ଶୋଇଛନ୍ତି ଅପରିଚିତା ପୌଢ଼ା ! ଓଠରେ ହସ ଲାଖି ରହିଛି । ସଂଜ୍ଞାହୀନ ମୁଖମଣ୍ଡଳରୁ ଲାବଣ୍ୟ ଝରିପଡ଼ୁଛି । ମୁହ୍ୟମାନ ହେଲେ ଯୁବକ ସୂର୍ଯ୍ୟକାନ୍ତ । ନର୍ସଠାରୁ ବୁଝିଲେ ଏପର୍ଯ୍ୟନ୍ତ ସଂଜ୍ଞା ଫେରିନାହିଁ । ସିଭିଲ୍‍ସର୍ଜନଙ୍କୁ ଅପରିଚିତ ପ୍ରୌଢ଼ାଙ୍କର ବିଶେଷ ଯତ୍ନ ନେବାକୁ ଅନୁରୋଧ କରି ଫେରିଗଲେ ସୂର୍ଯ୍ୟକାନ୍ତ ।

 

ତା’ ପରଦିନ.... । ସୂର୍ଯ୍ୟଙ୍କର ହରିଦ୍ରାଲୋହିତ କିରଣ ପୃଥିବୀ ବକ୍ଷରେ ବିଚ୍ଛୁରିତ ହେବା ପୂର୍ବରୁ ସୂର୍ଯ୍ୟକାନ୍ତ ହସ୍ପିଟାଲରେ ଉପସ୍ଥିତ ହେଲେ । ଇମରଜେନ୍‍ସ ୱାଡ଼....ବେଡ଼୍ ନଂ୨୧....ଅପରିଚିତା ପୌଢ଼ାର ସ୍ଥାନ ଅନ୍ୟ ଏକ ରୋଗୀ ପୂରଣ କରିଛି । ଚାର୍ଜରେ ଥିବା ଡାକ୍ତରଙ୍କ ନିକଟରୁ ବୁଝିଲେ ମାତ୍ର ଦୁଇଘଣ୍ଟା ପୂର୍ବେ ସଂଜ୍ଞାହୀନା ପ୍ରୌଢ଼ା ପୃଥିବୀର ମାୟା ଏଡ଼ାଇ ଚାଲିଯାଇଛି ଚିରଦିନ ପାଇଁ । କର୍ତ୍ତବ୍ୟ ପରାୟଣ କଠିନ ହୃଦୟ ଆଇ.ପି.ଏସ୍. ଅଫିସର ସୂର୍ଯ୍ୟକାନ୍ତଙ୍କ ଚକ୍ଷୁରେ ଲୋତକ ବିନ୍ଦୁ ସ୍ପଷ୍ଟ ହୋଇଉଠିଲା । ସମସ୍ତଙ୍କ ଅଲକ୍ଷରେ ରୁମାଲରେ ଚକ୍ଷୁ ପୋଛି ଡାକ୍ତରଙ୍କୁ ପଚାରିଲେ ସୂର୍ଯ୍ୟକାନ୍ତ, ‘‘ପ୍ରୌଢ଼ାଙ୍କର କୌଣସି ପରିଚୟ ପାଇଲେ ?’’

 

ଛୋଟ ଲେଡ଼ିଜ୍ ହ୍ୟାଣ୍ଡବ୍ୟାଗ୍‍ଟିଏ ବଢ଼ାଇଦେଇ ଡାକ୍ତର କହିଲେ, “ଏଇ ବ୍ୟାଗ୍‍ଟି ତାଙ୍କ ହାତରେ ଥିଲା ।” ସୂର୍ଯ୍ୟକାନ୍ତ ବ୍ୟାଗ୍‍ଟି ଖୋଲିଲେ । କେତେକ ନୋଟ୍, ରେଜା ସହିତ ଗୋଟିଏ ଫଟୋ । ଫଟୋଟି ବହୁତ ପୁରୁଣା, ତଥାପି ଯତ୍ନରେ ରଖାଯାଇଛି । ଚକ୍ଷୁ ଆଗରେ ତୋଳି ଧରିଲେ ସୂର୍ଯ୍ୟକାନ୍ତ ‘ସ୍ତ୍ରୀଲୋକଟିଏ ୨୫ । ୨୬ ବର୍ଷ ହେବ କାଖରେ ଛୋଟ ଶିଶୁଟିଏ’ ସ୍ତ୍ରୀଲୋକଟି ଅନ୍ୟକେହି ନୁହେଁ, ମୃତା ଅପରିଚିତା ପ୍ରୌଢ଼ା । ହଠାତ୍ ସୂର୍ଯ୍ୟକାନ୍ତଙ୍କ ମୁହଁ ଉଜ୍ଜ୍ୱଳ ହୋଇଉଠିଲା । ପକେଟରୁ ମନିପର୍ସଟି କାଢ଼ିଲେ ଏବଂ ଗୋଟିଏ ଫଟୋ ଉପରେ ଚକ୍ଷୁ ତାଙ୍କର ସ୍ଥିର ହୋଇ ରହିଗଲା । ଦୁଇଟି ଫଟୋ ଏକ, ଗୋଟିଏ ତାରିଖରେ ଉଠିଛି–୨୫ ବର୍ଷ ତଳର ଫଟୋ–ପଛରେ ଗୋଟିଏ କଣରେ ଇଂରାଜୀରେ ସ୍ଵାକ୍ଷର ହୋଇଛି ‘‘ଯୋଗମାୟା ।’’ ?

 

ଜୀବନର ଶେଷ ପର୍ଯ୍ୟାୟରେ ଦେଖାପାଇ ମଧ୍ୟ ନିଜ ମା’ଙ୍କର ପରିଚୟ ପାଇପାରିଲେ ନାହିଁ । ଦୁଃଖରେ ଭାଙ୍ଗିପଡ଼ୁଥିଲେ ଯୁବକ ସୂର୍ଯ୍ୟକାନ୍ତ । ଉଷ୍ମ ଅଶ୍ରୁବିନ୍ଦୁ କେଇଟି ପଡ଼ି ଫଟୋ ଦୁଇଟିକୁ ଆର୍ଦ୍ର କରିଦେଲା ।

 

ଜୁନ୍ ଛ’ ତାରିଖ ଊଣେଇଶହ ବାଆଷଠି ‘ରବିବାର କଳିଙ୍ଗ’ରେ ପ୍ରକାଶିତ ।

Image

 

ଗୋଟିଏ କେନ୍ଦ୍ର ଦୁଇଟି ବୃତ୍ତ

ବିଜୁଳି ତାର

 

ଆଦ୍ୟ ଆଷାଢ଼ର ବର୍ଷାମୁଖର ଗୋଧୂଳି ।

 

ମେଘ ପଟଳ ଚିରି ନୀଳ ଆକାଶରୁ ଝରିପଡ଼ୁଛି ଟୋପି ଟୋପି ବର୍ଷା । ରାସ୍ତାଧାରର ବିଜୁଳି ତାର ଉପରେ ବର୍ଷା ବିନ୍ଦୁ ଭୀରୁ ଶାନ୍ତ ରାଜହଂସ ପରି ପହଁରି ଯାଉଛି । ଅସ୍ତଗାମୀ ସୂର୍ଯ୍ୟଙ୍କର ଶେଷ ରଶ୍ମି ଲିଭିଯାଉଛି ପୃଥିବୀ ବକ୍ଷରୁ । ବାଲକୋନିର ପାୱାର ଫୁଲ୍‍ ବଲ୍‍ବଟି ଜାଳିଦେଲେ ବିଶ୍ୱଜିତ । ଚାରିଆଡ଼େ ଖେଳିଗଲା ଆଲୋକର ବନ୍ୟା । ଇଜିଚେଆର ଉପରେ ପଡ଼ିରହି ଦୈନିକ କାଗଜ ଉପରେ ଚକ୍ଷୁ ବୁଲାଇଆଣିଲେ ବିଶ୍ୱଜିତ, ଏମ୍‍.ଇ.ଏସ୍‍.ର ଜଣେ ଦାୟିତ୍ଵ-ସମ୍ପନ୍ନ ଇଲେକ୍‍ଟ୍ରିକାଲ୍ ଇଞ୍ଜିନିଅର ।

 

ହଠାତ୍ ଗୋଟିଏ କ୍ଷୁଦ୍ର ସମ୍ବାଦ ଉପରେ ଦୃଷ୍ଟି ତାଙ୍କର ସ୍ଥିର ହୋଇଗଲା । ଜନୈକ ଇଲେକ୍‍ଟ୍ରିସିଆନ୍‍ର ଶୋଚନୀୟ ମୃତ୍ୟୁ । ଇଲେକ୍‍ଟ୍ରିକ୍ ଲାଇଟ ପୋଷ୍ଟ ଉପରେ କାମ କରୁ କରୁ ହଠାତ୍ ଲାଇନ୍‍ ଅନ୍ କରିଦେବା ଫଳରେ ସକ୍ ଖାଇ ବିଚାରା ଇଲେକ୍‍ଟ୍ରିସିଆନ୍‍ର ମୃତ୍ୟୁ ଘଟିଛି । ବିଦ୍ୟୁତ ବିଭାଗର ଚରମ ତ୍ରୁଟିରେ ମ୍ରିୟମାଣ ହୋଇପଡ଼ୁଥିଲେ ଇଞ୍ଜିନିଅର ବିଶ୍ୱଜିତ । ଅତୀତର ଏକ କରୁଣ ଅଶ୍ରୁଳ ସ୍ମୃତି ତାଙ୍କ ମନ ପରଦାରେ ଛାୟାପାତ କଲା, ମାତ୍ର କାହାର କୋମଳ ମଧୁର ଡାକରେ ତାଙ୍କର ଭାବନାର ସୁଅ ବାଧାପ୍ରାପ୍ତ ହେଲା । ସମ୍ମୁଖରେ ଠିଆହୋଇଛି ଜୁଲିଆ । ତିନିବର୍ଷର କନ୍ୟା ଜୁଲିଆ ନାଲି ଟହ ଟହ ଓଠ ମେଲାଇ ପଚାରୁଛି–ଡାଡି....ଡାଡି..... ମମି କୁଆଲେ ଯାଇଛି ? ସରଳ ଅଜ୍ଞାନ ଶିଶୁ ମନରେ ସବୁଦିନେ ଏଇ ପୁରୁଣା ପ୍ରଶ୍ନ ।

 

ଜୁଲିଆ ବିଶ୍ଵଜିତଙ୍କର ଏକମାତ୍ର ଶିଶୁକନ୍ୟା । ବିଶ୍ୱଜିତ ଓ ପତ୍ନୀ ଏଲେନ୍‍ଙ୍କର ପ୍ରେମ ଓ ପରିଣୟର ପ୍ରଥମ ପୁଷ୍ପ । ମୁହଁତୋଳି ବିଶ୍ୱଜିତ ଚାହିଁଲେ ଜୁଲିଆ ମନରେ ଗଭୀର ଉତ୍କଣ୍ଠା....ମୁହଁରେ ସେଇ ଗୋଟିଏ ପ୍ରଶ୍ନ....ଡାଡି ମମି କୁଆଲେ ଯାଇଛି ? କେତେଦିନ ଭୁଲାଇବେ ମିଛ କହି-। ଯେତେ ସହଜ ଓ ସରଳ ଭାବରେ ବିଶ୍ୱଜିତ ଜୁଲିଆର ପ୍ରଶ୍ନକୁ ଏଡ଼ି ଦେଉଛନ୍ତି ଦିନକୁ ଦିନ ସରଳ ଶିଶୁ ସନ୍ଦେହ କରୁଛି । ଜୁଲିଆର ମୁହଁରେ ଭାବନାଜୁଆରକୁ ତନ୍ନ ତନ୍ନ କରି ଲକ୍ଷ୍ୟକରୁଥିଲେ ବିଶ୍ୱଜିତ । କୁଞ୍ଚୁ କୁଞ୍ଚିଆ କଳାବାଳ, ଉଜ୍ଜ୍ୱଳ ଆୟତ ନୟନ ଯୁଗଳ ମଧ୍ୟରେ ଏଲେନ୍‍ର ପ୍ରତିଛବି ପ୍ରତିଫଳିତ ହେଲା । ଅବିକଳ ଏଇ ରୂପ । ସତେଯେପରି ଏଲେନ୍‍କୁ ସେ ଆଖି ଆଗରେ ଦେଖୁଛନ୍ତି । ଆଖି ଆଗରେ ନାଚିଗଲା ସେଇ ହାସ୍ୟମୁଖର ଅତୀତ ।

 

ଆଜିର ଇଲେକ୍‍ଟ୍ରିକାଲ୍ ଇଞ୍ଜିନିୟର ବିଶ୍ୱଜିତ ସେତେବେଳେ ଥିଲେ ଗିଣ୍ଡି ଇଞ୍ଜିନିୟରିଂ କଲେଜର ଫାଇନାଲ ଇଅର ଛାତ୍ର । ବଡ଼ଦିନ ଛୁଟିରେ ଏମ.ଇ.ଏସ୍. ଅଧୀନରେ ଆପ୍ରେଣ୍ଟିସ୍ ଛାତ୍ର ଭାବରେ କାମ କରୁଥାଆନ୍ତି । ଦିନେ ତାଙ୍କ ପାୱାର ଷ୍ଟେସନ ଅଧୀନରେ ଥିବା ‘ଆରକଟଷ୍ଟ୍ରିଟ୍‍’ରେ ଜନୈକ ଖ୍ରୀଷ୍ଟିଆନ ମହିଳାଙ୍କ ଫ୍ଲାଟ୍‍କୁ ସଂଯୁକ୍ତ ଇଲେକ୍‍ଟ୍ରିକ୍ ଲାଇନ୍‍ ଖରାପ ଥାଏ । ବିଭାଗୀୟ ଇଞ୍ଜିନିୟରଙ୍କର ନିର୍ଦ୍ଦେଶ ଅନୁଯାୟୀ ଇଲେକ୍‍ଟ୍ରିସିଆନ୍ ନେଇ ତାହା ତଦାରଖ କରିବା ପାଇଁ ଯାଇଥାଆନ୍ତି ବିଶ୍ୱଜିତ ।

 

ଛୋଟ ଟୁ ବେଡ଼୍‍ରୁମ୍‍ ବିଶିଷ୍ଟ ଫ୍ଲାଟ୍‍ଟିଏ । ଗେଟ୍ ନିକଟରେ ମାର୍ବଲ ଉପରେ ଖୋଦିତ କଳା ଅକ୍ଷରରେ ଲେଖାଥାଏ–ମିସେସ୍‍ ଡଲି ମେନନ୍ । ଫ୍ଲାଟ୍ ସଂଲଗ୍ନ ଉଦ୍ୟାନ ପାରହୋଇ ଫ୍ଲାଟ୍‍ର କଲିଂ ବେଲ ଚାପି ଧରିଲେ ବିଶ୍ୱଜିତ । ଡ୍ରଇଂରୁମ୍‍ର ଘନ ନୀଳ ପରଦା ଆଡ଼େଇ ବାହାରକୁ ବାହାରି ଆସିଲେ ଜଣେ ସୁଶ୍ରୀ ପ୍ରୌଢ଼ା ମହିଳା, ବୋଧହୁଏ ମିସେସ୍‍ ମେନନ୍ । ସୁପ୍ରଭାତ ଜଣାଇ ବିଶ୍ୱଜିତ ତାଙ୍କର ଆସିବାର ଅଭିପ୍ରାୟ ଜଣାଇଲେ । ସଙ୍ଗରେ ଆସିଥିବା ଇଲେକ୍‍ଟ୍ରିସିଆନ୍‍ ଦୁଇଜଣ ଲାଇଟ ପୋଷ୍ଟ ଉପରେ ଚଢ଼ି ତଦାରଖ କରିବା ଆରମ୍ଭ କରିଦେଲେ । ବିଶ୍ୱଜିତ ମଧ୍ୟ ଡ୍ରଇଂରୁମରେ ଥିବା ମେନ୍‍ ମିଟର ପରୀକ୍ଷା କରିବାରେ ମନଯୋଗ ଦେଲେ । ମିଟର ପରୀକ୍ଷା ସମାପ୍ତ କରି ଗୋଟିଏ ସୋଫାରେ ବସି ଡ୍ରଇଂରୁମରେ ସାଜସଜ୍ଜା ପରିପାଟୀ ଉପଭୋଗ କରୁଥିଲେ-। ହଠାତ୍ ମିସେସ୍‍ ମେନନ୍‍ଙ୍କର ଅନୁରୋଧ ତାଙ୍କର ଦୃଷ୍ଟି ଆକର୍ଷଣ କଲା । ମିସେସ୍‍ ମେନନ୍ ପ୍ଲେଟ୍‍ ଉପରେ ଗୋଟିଏ ଗ୍ଲାସ୍‍ ରୋଜ ମିଲ୍‍କ ଧରି ପିଇବା ପାଇଁ ଅନୁରୋଧ କରୁଛନ୍ତି । ସହସା ଅପରିଚିତ ଭଦ୍ରମହିଳାଙ୍କର ଆନ୍ତରିକତା ତାଙ୍କୁ ମୁଗ୍‍ଧ କଲା । ବଡ଼ ସ୍ନେହୀ ମିସେସ୍‍ ମେନନ୍-। କଥା ପ୍ରସଙ୍ଗରେ ତାଙ୍କର ପରିଚୟ ବୁଝିନେଲେ ଏବଂ ନିଜର ପରିଚୟ ଦେବାକୁ ମଧ୍ୟ ଭୁଲିଲେ ନାହଁ ।

 

ମିସେସ୍‍ ମେନନ୍‍ଙ୍କର ସ୍ଵାମୀ ପାଇଲଟ୍ ମିଃ ସି.ଆର.ମେନନ୍ ଦୁଇବର୍ଷ ତଳେ ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ତାଙ୍କର ଏକମାତ୍ର କନ୍ୟା ଏଲେନ୍‍ ସ୍ଥାନୀୟ ଷ୍ଟିଲାମେରୀ କଲେଜର ବି.ଏ.ର ଫାଇନାଲ ଇଅର ଛାତ୍ରୀ । କଥା ପ୍ରସଙ୍ଗରେ ମିସେସ୍‍ ମେନନ୍ ମଧ୍ୟ ବିଶ୍ୱଜିତଙ୍କର ସୁବିଧା ଅସୁବିଧା ସମ୍ପର୍କରେ ପଚାରିଲେ । ବିଶ୍ୱଜିତ କହିଲେ–ଅସୁବିଧା ଯଦିଓ ବିଶେଷ ନାହିଁ ତେବେ ଏଇ ଟ୍ରେନିଂ ପିରିଅଡ଼ ପ୍ରତିଦିନ ଗିଣ୍ଡିଠାରୁ ୧୫ ମାଇଲ ଇଲେକ୍‍ଟ୍ରିକ୍ ଟ୍ରେନ୍ ଓ ବସ୍‍ ସାହାଯ୍ୟରେ ଯାତାୟାତ କରିବା ବହୁ ସମୟସାପେକ୍ଷ ଓ କ୍ଳାନ୍ତିଜନକ । ମିସେସ୍‍ ମେନନ୍‍ଙ୍କ ଫ୍ଲାଟ ପାୱାର ଷ୍ଟେସନଠାରୁ ବେଶି ଦୂର ନଥିଲା । ତେଣୁ ସେ ବିଶ୍ୱଜିତଙ୍କୁ ଅନୁରୋଧ କରି କହିଲେ–ଯଦି ଆପଣ କିଛି ନଭାବନ୍ତି ତେବେ ମୋର ଗୋଟିଏ ରୁମ୍‍ ଖାଲି ଅଛି । ଏହି ଟ୍ରେନିଂ ପିରିଅଡ଼ ମାସକ ଏଠାରେ ରହିଲେ ହୁଏତ ଆପଣଙ୍କର କୌଣସି ଅସୁବିଧା ହେବନାହିଁ । ଅଳ୍ପ ସମୟର ପରିଚୟରେ ମିସେସ୍‍ ମେନନ୍‍ଙ୍କଠାରୁ ଏପରି ଅପ୍ରତ୍ୟାଶିତ ଅନୁରୋଧ ବିଶ୍ୱଜିତ ଆଶା କରିନଥିଲେ । ସେ ହଁ କି ନାହିଁ କରିବେ ଭାବି ଇତସ୍ତତଃ ହେଉଥିବା ସମୟରେ ମିସେସ୍‍ ମେନନ୍ କହିଲେ–ଆପଣଙ୍କର କୌଣସି ମନା ମୁଁ ଶୁଣିବି ନାହିଁ । ଆପଣ କାଲିଠାରୁ ଏଠାରେ ଆସି ରହିବେ-। ପର ମନେ ନ କରି ନିଜର ଘର ପରି ଚଳିବେ ।

 

ଆଜ୍ଞା, ଲାଇନ୍ ଠିକ୍ ହୋଇଗଲାଣି । ଇଲେକ୍‍ଟ୍ରିସିଆନ୍‍ କଥାରେ ବିଶ୍ୱଜିତଙ୍କର କର୍ତ୍ତବ୍ୟବୋଧ ସଜାଗ ହୋଇଉଠିଲା । ମିସେସ୍ ମେନନ୍‍ଙ୍କଠାରୁ ବିଦାୟ ନେଇ ଫେରିଆସିଲେ ବିଶ୍ଵଜିତ ।

 

ଇତି ମଧ୍ୟରେ ମିସେସ୍ ମେନନ୍‍ଙ୍କ ପରିବାରରେ ବିଶ୍ଵଜିତ ଅତି ଆପଣାର ହୋଇପଡ଼ିଛନ୍ତି, ସୌମ୍ୟ ସୁଗଠିତ ବିଶ୍ଵଜିତ ଓ ତନ୍ଵୀ ତରୁଣୀ ଏଲେନ୍‍ ମଧ୍ୟରେ ବନ୍ଧୁତା ମଧ୍ୟ ନିବିଡ଼ ହୋଇଛି । ଉଭୟେ ଚାହିଁଛନ୍ତି ବନ୍ଧୁତା ଚିରସ୍ମୃତି ଚିରବନ୍ଧନ, ମିସେସ୍‍ ମେନନ୍ ମଧ୍ୟ ଆନନ୍ଦିତ ହୋଇଛନ୍ତି । ବିଶ୍ଵଜିତ ପରି ସୌମ୍ୟ ସ୍ଵଜାତୀୟ ଶିକ୍ଷିତ ଯୁବକଙ୍କୁ ନିଜର ଜାମାତା ଭାବେ ପାଇ ମିସେସ୍‍ ମେନନ୍‍ର ଆଶା ସଫଳ ହୋଇଛି । ବିବାହ ପରେ ପରେ ବିଶ୍ଵଜିତ ବୈଦୁତିକ ବିଭାଗରେ ଆସିଷ୍ଟାଣ୍ଟ୍ ଇଞ୍ଜିନିଅର ରୂପେ ନିଯୁକ୍ତି ପାଇଛନ୍ତି ।

 

ଡାଡି......ଡାଡି..... ମମି କୁଆଲେ ଯାଇଛି ? ଜୁଲିଆ ମୁହଁରେ ସେଇ ଗୋଟିଏ ପ୍ରଶ୍ନ ! ସ୍ନେହରେ ଜୁଲିଆକୁ କୋଳ ଉପରକୁ ଉଠାଇନେଇ ଗଭୀର ସ୍ନେହର ଚୁମ୍ବନ ଆଙ୍କିଦେଲେ ବିଶ୍ଵଜିତ ତା’ର ରକ୍ତାଭ କପାଳ ଉପରେ । ଦିନ.....ଦିନ.....ମାସ....ମାସ ଧରି ଗତ ଛ’ ମାସ ମିଛ କହି ଭୁଲାଇ ଆସିଛନ୍ତି ବିଶ୍ୱଜିତ, ମାତ୍ର ଆଜି ମିଛ କହିବାକୁ ତାଙ୍କ ଜିଭ ଓଲଟୁ ନାହିଁ ।

 

ଛ’ ମାସ ତଳର ଘଟଣା ଆଖି ଆଗରେ ଜଳ ଜଳ ହୋଇ ନାଚିଉଠୁଛି । ସେ ବି ଥିଲା ଏହିପରି ଏକ ଅଶୁଭ ସନ୍ଧ୍ୟା । ସେ ଓ ତାଙ୍କର ପତ୍ନୀ ଏଲେନ୍‍ ତତ୍ପର ହୋଇଉଠିଥିଲେ । ସେଦିନ ଥିଲା ତାଙ୍କର ତୃତୀୟ ବିବାହ ବାର୍ଷିକ, ସେହି ଉପଲକ୍ଷେ ବିଶ୍ଵଜିତ ଏକ ନୈଶ ବନ୍ଧୁମିଳନ ଆୟୋଜନ କରିଥିଲେ ତାଙ୍କର ଛୋଟ ରୁଫ୍ ଗାର୍ଡ଼ନରେ, ରୁଫ୍ ଗାର୍ଡ଼ନଟିକୁ ଆହୁରି ଲୋଭନୀୟ ଓ ଜୀବନ୍ତ କରିବା ନିମନ୍ତେ ସେ ଓ ତାଙ୍କର ପତ୍ନୀ ଲାଗିପଡ଼ିଥିଲେ, ଲତା ବୃକ୍ଷ ଡାଳରେ କେତେକ ହାଲୁକା ରଙ୍ଗ ବେରଙ୍ଗର ବିଜୁଳିବତୀ ଖଞ୍ଜୁଥିଲେ । ଇତସ୍ତତଃ ହୋଇ ପଡ଼ିଥିଲା ବୈଦ୍ୟୁତିକ ଇନ୍‍ସୁଲେଟେଡ଼୍ ତାର । ଏଇ ସମୟରେ ଏଲେନ୍‍ ପାଟିକରିଉଠିଲେ–ଆରେ ଏଇ ତାର ଜଏଣ୍ଟ ଉପରେ ତ ବ୍ଲାକଟେପ ଗୁଡ଼ା ହୋଇନାହିଁ । ସଙ୍ଗେ ସଙ୍ଗେ ବିଶ୍ଵଜିତ ଚିତ୍କାର କରିଉଠିଲେ–ସେ ତାର ଛୁଅଁ ନାହିଁ ...ଏଲେନ୍‍... ଲାଇନ୍‍ ଅନ, ବିଶ୍ଵଜିତଙ୍କ କଥା ଶେଷ ହୋଇନାହିଁ ଏଲେନ୍‍ କରୁଣ ଚିତ୍କାର କରି ତଳେ ଗଡ଼ିପଡ଼ିଲେ । ବିଜୁଳି ବେଗରେ ତାଙ୍କ ନିକଟକୁ ଦୌଡ଼ିଆସିଲେ ବିଶ୍ଵଜିତ ମାତ୍ର ଏଲେନ୍‍ ସେତେବେଳକୁ ବିଦାୟ ନେଇଥିଲେ ଅଭିଶପ୍ତ ଧରଣୀ ବକ୍ଷରୁ । ଦୁଃଖ ଓ କ୍ରୋଧରେ ହାତରେ ଧରିଥିବା ରଙ୍ଗ ବେରଙ୍ଗର ବଲ୍‍ବଗୁଡ଼ିକୁ ଭାଙ୍ଗି ଚୁରମାର କରିଦେଲେ ବିଶ୍ଵଜିତ ।

 

ଏଇ କରୁଣ ଅଶ୍ରୁଳ ସତ୍ୟ ଘଟଣାକୁ ଏତେଦିନ ଧରି ଲୁଚାଇ ରଖିଛନ୍ତି ପିତା ବିଶ୍ଵଜିତ । ଭାବପ୍ରବଣତାର ଛାୟା କୁହେଳି ମଧ୍ୟରୁ ବାସ୍ତବତାକୁ ଫେରିଆସିଲେ ବିଶ୍ଵଜିତ, ଇତିମଧ୍ୟରେ କୋଳରୁ ଜୁଲିଆ କେତେବେଳେ ଚାଲିଗଲାଣି ।

 

ଜୁଲିଆ......ଜୁଲିଆ.....ଡାକି ଡାକି ପାହାଚରୁ ଓହ୍ଲାଇ ଡ୍ରଇଂରୁମ୍‍ ଆଡ଼କୁ ପଶିଗଲେ ବିଶ୍ଵଜିତ । ସର୍ପାହତ ପରି ଚମକିପଡ଼ିଲେ ସେ । ଜୁଲିଆ, ପତ୍ନୀ ଏଲେନ୍‍ଙ୍କର ଏନ୍‍ଲାର୍ଜ ଫଟୋ ତଳେ ମୁହଁମାଡ଼ି ପଡ଼ିଛି । ପ୍ରଥମେ ସେ କିଛି ବୁଝିପାରିଲେ ନାହିଁ । ପାଖକୁ ଯାଇ ଦେଖିଲେ ଫଟୋ ସଂଲଗ୍ନ ବଲ୍‍ବର ବିଜୁଳି ତାରକୁ ଗୋଟିଏ କତୁରୀରେ କାଟିଦେଇଛି ଜୁଲିଆ । ଏଲେନ୍‍ଙ୍କ ଫଟୋ ଦୁଇ ପାର୍ଶ୍ଵରେ ଥିବା ବଲ୍‍ବ ଦୁଇଟି ଲିଭିଯାଇଛି । ଏ.ସି. କରେଣ୍ଟ ସକ୍‍ ଖାଇ ଚିରଦିନ ପାଇଁ ଶୋଇପଡ଼ିଛି ଜୁଲିଆ । ଆଉ ତାଙ୍କୁ ମିଛ କହିବାକୁ ପଡ଼ିବ ନାହିଁ ।

 

ଦମକାଏ ଥଣ୍ଡା ପବନ ଆସି କାନ୍ଥରେ ଟଙ୍ଗାଯାଇଥିବା ଜୁଲିଆର ଫଟୋଟିକୁ ତଳେ ପକାଇଦେଲା । କ୍ରୋଧ ଓ ହତାଶରେ ପ୍ଲଗ ପଏଣ୍ଟରୁ ସମସ୍ତ ବିଜୁଳି ତାରକୁ ଖୋଲି କତୁରୀରେ କାଟି ଖଣ୍ଡ ଖଣ୍ଡ କରିପକାଇଲେ । ଟେବୁଲ୍‍ ଲ୍ୟାମ୍ପଟିକୁ ଗୋଇଠାମାରି ତଳେ ପକାଇଦେଲେ । ନୀରବ ଅନ୍ଧକାର ମଧ୍ୟରେ ଥରିଉଠିଥିଲେ ବିଶ୍ଵଜିତ....ଏମ.ଇ.ଏସ.ର ବୈଦୁତିକ ଇଞ୍ଜିନିୟର....ନିଃସନ୍ତାନ ବିପତ୍ନୀକ ବିଶ୍ଵଜିତ ମେନନ୍ ।

 

ବାହାରେ ବର୍ଷା କମିନଥିଲା । ନଭୋମଣ୍ଡଳରେ ରହିରହି ଗର୍ଜିଉଠୁଥିଲା ଭୟଉଦ୍ଦୀପକ ବିଜୁଳି... ଘଡ଼ଘଡ଼ି... ।

 

ଜୁନ ଛ’ ତାରିଖରେ ଊଣେଇଶହ ବାଆଷଠୀ ‘ରବିବାର ପ୍ରଜାତନ୍ତ୍ର’ରେ ପ୍ରକାଶିତ ।

Image

 

ଅସମାପ୍ତ

 

ଷଷ୍ଠୀ....

ଦଶହରା ଆହୁରି ଚାରିଦିନ ଥାଏ । ପାହାନ୍ତିଆ କାକର ଭିଜା ସୁଲୁସୁଲିଆ ପବନରେ ନିଦରେ ଆଖି ମାଡ଼ି ପଡ଼ୁଥାଏ । ହଠାତ୍ କାହାର ଖିଲି ଖିଲି ହସରେ ସୁଖ ନିଦ୍ରା ଭାଙ୍ଗିଗଲା । ନେଟ୍ ମଶାରୀ ଭିତରୁ ଅଧା ଚକ୍ଷୁ ମେଲି ଦରଆଉଜା କବାଟ ମଧ୍ୟଦେଇ ଦେଖିଲି ସାନ ଭଉଣୀ ବୁଲୁ ଠିଆହୋଇଛି । ଦଶହରା ଛୁଟି ପାଇଁ କଲେଜ ଛୁଟି ହୋଇଛି । ଏଇ ସକାଳ ବସରେ ପହଞ୍ଚିଛି ନିଶ୍ଚୟ । ପୁଣି ଆଖିବୁଜି ଶୋଇବା ପାଇଁ ଚେଷ୍ଟାକଲି ।

ଭାଇ....ଭାଇ.... କ’ଣ ଏତେବେଳଯାଏ ଶୋଇଚ ମ ! ବୁଲୁ ମଶାରିଟେକି ପାଟିକରି ଉଠିଲା ।

ଆରେ ତୁ ସକାଳୁ ଆସିବୁ ବୋଲି କ’ଣ ଆଉ କେହି ଶୋଇବେ ନାହିଁ ନା କ’ଣ ? ଅଳସ ହାଇମାରି ମଶାରିଟା ଖୋଲୁ ଖୋଲୁ ମୁଁ କହିଲି ।

ଭାଇ ତୁମ ପାଇଁ ଗୋଟିଏ ଜିନିଷ ଆଣିଛି, ଏଥର । କ’ଣ ହୋଇଥିବ ଅନୁମାନ କଲ ?

ତୂଳୀ....

ନା.......

କଲରବକ୍ସ......

ଉହୁଁ......

ତେବେ ଇଣ୍ଡିଆନ ଇଙ୍କ୍....

ନା ସବୁ ଅନୁମାନ ଭୁଲ....

ଆଚ୍ଛା ତେବେ ଆଖିବୁଜ, ମୁଁ ଏକ ଦୁଇ ତିନି କହିଲେ ଆଖି ଖୋଲିବ ।

ଏକ......... ଦୁଇ......... ତିନି....।

ବୁଜିଥିବା ଆଖି ଦୁଇଟି ମେଲାଇଦେଲି । ତିନିହାତ ଦୂରରେ ଠିଆହୋଇଛି ଝିଅଟିଏ । ନୀଳ ବ୍ଲାଉଜ ଉପରେ ହଳଦିଆ ଚମ୍ପାଫୁଲ ରଙ୍ଗର ଶାଢ଼ି, ଗୌର ଈଷତ୍‍ ରକ୍ତାଭ ଶରୀର ଉପରେ ବେଶ୍ ମାନୁଥାଏ । ଟଣାଟଣା ଭୂରୁ ତଳେ ତନ୍ଦ୍ରିଳା ଚଞ୍ଚଳା ହରିଣୀର ସରୁସରୁ ଚକ୍ଷୁ । ପୃଥିବୀର ସମସ୍ତ ସୌନ୍ଦର୍ଯ୍ୟ ଯେପରି ଠୁଳ ହୋଇଛି ସେଇ ମୁହଁ ଉପରେ । ପାହାନ୍ତିଆ ତନ୍ଦ୍ରା ମୋର ତୁଟିଗଲା ବୁଲୁ ଡାକରେ ।

ଭାଇ ତୁମେତ ଶିଳ୍ପୀ, କହିଲ ଦେଖି ଏପରି ସୁନ୍ଦର ମଡେଲ୍‍ କେବେ ଦେଖିଥିଲ ?

ଝିଅଟି ଲାଜରେ ଟାଣି ହେଉଥାଏ, ପଳାଇ ଯିବାପାଇଁ ବୁଲୁ ତାକୁ ଟାଣି ଧରିଥାଏ । ଝିଅଟି ପାଟି ଚାପି ମୁରୁକି ମୁରୁକି ହସୁଥାଏ । ନମ୍ର ନିମୀଳିତ ପତା ତଳେ ପାହାନ୍ତି ପହରର ଲାଜୁଆ ହସ ବେଶ୍ ମାନୁଥାଏ ।

 

ତା’ର ଅସହାୟ ଭାବ ଲକ୍ଷ୍ୟକରି ମୁଁ କହିଲି–ବୁଲୁ ସକାଳୁ କାହିଁକି ତା’ ସାଙ୍ଗରେ ଲାଗିଛୁ ?

 

ଆରେ ଭାଇ ମୁଁ ଭୁଲିଯାଇଛି–ଇୟେ ହେଉଛି ନନ୍ଦିତା ମୋର କ୍ଲାସମେଟ୍‍ ଛୁଟିରେ ଡାକି ଆଣିଛି ଆମ ଘରକୁ ।

 

ମିସ୍ ନନ୍ଦିତା, ତୁମ ସମ୍ମୁଖରେ ଯିଏ ଠିଆହୋଇଛନ୍ତି ସେ ମୋର ବଡ଼ଭାଇ.....ଶିଳ୍ପୀ ଅମରେଶ ଛୋଟରାୟ । ମୁହଁ ତୋଳି ହାତଟେକି ନମସ୍କାର କଲା ନନ୍ଦିତା ।

 

......କ୍ରିଂ.....କ୍ରିଂ.....କ୍ରିଂ.....ଟେବୁଲ୍‍ ଉପରେ ଆଲାର୍ମ ଘଣ୍ଟାଟି ଚିତ୍କାର କରିଉଠିଲା । ଶଦ୍ଦାୟିତ ଘଣ୍ଟାକୁ ଚାହିଁଲି ସାଢ଼େଛ’ ବାଜୁଛି ।

 

ଆରେ ବୁଲୁ ତୁମେସବୁ ଥାଅ, ମୁଁ ଯାଉଛି ବଜାରରେ ସାମାନ୍ୟ କାମ ଅଛି । କବାଟ ଠେଲି ନିତ୍ୟକର୍ମ ସାରିବା ପାଇଁ ଚାଲିଗଲି ।

 

ବୁଲୁ ପାଟି କରୁଥିଲା–ଭାଇ ଶୀଘ୍ର ଆସିବ ।

 

ବଜାରରୁ କାମ ସାରି ଘରକୁ ଫେରିଲା ବେଳକୁ ଘର ଭିତରୁ ବୁଲୁର ପାଟି ଶୁଭୁଥିଲା । ବୁଲୁ କହୁଥିଲା–ବୋଉ ନନ୍ଦିତାକୁ ଆମ ଭାଉଜ କରିବା କେମିତି ହେବ କହିଲୁ ? ଭାରି ଭଲ ଝିଅଟିଏ । ବୋଉ ନିମ୍ନ ସ୍ଵରରେ କହୁଥିଲା–ଆଚ୍ଛା ହେଉ ବୁଝିବା । ପ୍ରଥମେ ତ ଅମୁ ରାଜି ହେଲେ-। ବୁଲୁ କହିଲା ଆରେ ଭାଇଙ୍କୁ ରାଜି କରାଇବା ଭାର ମୋ ଉପରେ ରହିଲା ।

 

ଜୋତା ମଚ୍ ମଚ୍ କରି ଘର ଭିତରକୁ ପଶିଗଲି । ସେମାନଙ୍କର କଥାବାର୍ତ୍ତା ବନ୍ଦ ହୋଇଗଲା ।

 

ଇତିମଧ୍ୟରେ ନନ୍ଦିତା ମୋ ସମ୍ମୁଖକୁ ଆସିବାକୁ ଆଗପରି ଲାଜ କରୁନାହିଁ । ଦଶହରା ବାସି-। ବୁଲୁ ଜିଦ୍ ଧରିଲା ନନ୍ଦିତାର ଫଟୋଟିଏ ଆଙ୍କିଦିଅ । ସେ ତ ଆଉ ଅଳ୍ପଦିନ ରହିବ । ମୁଁ ଅଳ୍ପ ହସି ନୀରବ ସମ୍ମତି ଜଣାଇଲି।

 

ଏଲିଭେଟେଡ଼୍ ଡ୍ରଇଁବୋର୍ଡ଼ ତାରି ଉପରେ ମୁଁ ମୋର ଅଭ୍ୟସ୍ତ ହାତ ଚଳାଇଥାଏଁ । ବାମପାଖରେ ଗୋଟିଏ ଟୁଲ୍‍ ଉପରେ ନିବିଷ୍ଟ ମନରେ ଚାହିଁରହିଛି ନନ୍ଦିତା ଠିକ୍ ଗୋଟିଏ ବାଧ୍ୟ ଛାତ୍ରୀପରି । ଆଖିରେ ବିନମ୍ର ଲାଜୁଆ ଚାହାଣି.....ଓଠରେ ଚୁନି ଚୁନି ହସ । ଅନେକ ସମୟ ଗୋଟିଏ ପୋଜିସନରେ ବସିବାଦ୍ଵାରା କ୍ଳାନ୍ତ ହୋଇପଡ଼ୁଥିଲା ନନ୍ଦିତା । ତାହା ମୋର ସତର୍କ ଦୃଷ୍ଟିକୁ ଏଡ଼ିପାରି ନଥିଲା । ତଥାପି ସେ ଓଠରେ ହସ ଖେଳାଇ ଆଗ୍ରହରେ ଚାହିଁରହିଥିଲା । ସେତେବେଳକୁ ରଫ୍ ସ୍କେଚ୍ ପ୍ରାୟ ସରିଗଲାଣି ।

 

ନୀରବତା ଭାଙ୍ଗି ମୁଁ କହିଲି–ନନ୍ଦିତା ତୁମ କପାଳ ଉପରେ ଗୋଲ ଟିପା ଭଲପାଅ ନା, ଲମ୍ବା ଟିପା ଭଲଲାଗେ । ସେ ହସି ହସି କହିଲା–ମୁଁ ପ୍ରାୟ ଗୋଲବିନ୍ଦୁ ଲଗାଏଁ ମାତ୍ର ଆପଣଙ୍କୁ ଯାହା ସୁନ୍ଦର ଦେଖାଯିବ ତାହା ଆପଣ ପ୍ରତିଛବିରେ ଆଙ୍କନ୍ତୁ ।

 

ନନ୍ଦିତା କ୍ଳାନ୍ତିରେ ଅବଶ ହୋଇପଡ଼ୁଥିଲା, ମୁଁ କହିଲି–ନନ୍ଦିତା ତୁମେ ଅନେକ ସମୟ ବସିଲଣି, ଯାଅ ବାହାରେ ସାମାନ୍ୟ ବୁଲିଆସିବ, ମୋର ତ ରଫ୍ ସ୍କେଚ୍ ପ୍ରାୟ ସରିଗଲାଣି ।

 

ସେ କହିଲା–ନାଇଁ ନାଇଁ ମୋର କିଛି ଅସୁବିଧା ହେଉନାହିଁ । ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ହଠାତ୍ ଆମର କଥାବାର୍ତ୍ତାକୁ ବାଧାଦେଇ ଭାସିଆସିଲା ପୋଷ୍ଟମ୍ୟାନର ଚିତ୍କାର ଟେଲିଗ୍ରାମ୍..... ।

 

ଟେଲିଗ୍ରାମ୍ ଚାରୋଟି ଶବ୍ଦ ଶୁଣି ବୁଲୁ, ନନ୍ଦିତା, ବୋଉ ସମସ୍ତେ ବ୍ୟସ୍ତହୋଇ ମୋ ପାଖରେ ଆସି ଠିଆ ହେଲେ । ପୋଷ୍ଟମ୍ୟାନ ପାଖରୁ ଟେଲିଗ୍ରାମଟି ଆଣି ତରତର ହୋଇ ଖୋଲିଲି । ଟେଲିଗ୍ରାମ କରିଥିଲେ ନନ୍ଦିତାର ବାପା, ନନ୍ଦିତାର ମା’ଙ୍କ ଦେହ ଭୀଷଣ ଖରାପ । ତେଣୁ ନନ୍ଦିତାକୁ ଯିବାକୁ ହେବ । ହଠାତ୍ ମନରୁ ମୋର ସରାଗ ମରିଗଲା ।

 

ବୋଉ କହିଲେ–ଅମୁ ନନ୍ଦିତାକୁ ନେଇ ତାଙ୍କ ଘରେ ଛାଡ଼ିଦେଇ ଆ । ନନ୍ଦିତାକୁ ଚାହିଁଲି ତା’ ମୁହଁରେ ଆଗର ହସ ନାହିଁ ।

 

ନନ୍ଦିତାକୁ ଯେତେବେଳେ କଟକରେ ଛାଡ଼ିଦେଇ ଆସିଲି ସେତେବେଳେ ତା’ ମାଆଙ୍କ ଅବସ୍ଥାରେ ବିଶେଷ ଉନ୍ନତି ଘଟି ନଥିଲା । ଚାରିଦିନ ପରେ ନନ୍ଦିତା ବୁଲୁ ନିକଟକୁ ଚିଠି ଲେଖିଥିଲା–ମା’ଙ୍କ ଦେହ ଭଲଆଡ଼କୁ ଗତି କଲାଣି, ଅମୁ ଭାଇଙ୍କୁ କହିବୁ ଚିତ୍ରଟି ଶେଷ କରି ପଠାଇ ଦେବେ......ଇତ୍ୟାଦି...... ଇତ୍ୟାଦି ।

 

ସେଦିନ ନନ୍ଦିତାର ପ୍ରତିଛବି ଉପରେ ଫାଇନାଲ ଲାଇନିଂ ଦେଉଛି । ବୁଲୁ ପଶିଆସି କହିଲା–ଭାଇ ତୁମକୁ ଆଜି ଗୋଟିଏ ସୁଖବର ଶୁଣାଇବି । ମୋତେ କ’ଣ ଦେବ କହିଲ ? ମୁଁ କହିଲି ଖବରଟି ଯଦି ସୁ ହୋଇଥାଏ ତେବେ ତୋତେ ଆଜି ସିନେମା ଦେଖାଇ ନେଇଯିବି । ଆଚ୍ଛା ଖବରଟି ଏଥର ଶୁଣେ ।

 

ବୁଲୁ ମୁହଁରେ ଦୁଷ୍ଟାମୀର ହସଫୁଟାଇ କହିଲା–ଭାଇ ତୁମେ ଯାହାର ଫଟୋଟି ବର୍ତ୍ତମାନ ଆଙ୍କୁଛ ତାକୁ ଭାଉଜ କରି ଆଣିଲେ ତୁମେ ଖୁସି ହେବ କି ନାହିଁ ?

 

ଫାଜିଲ, ଆଗେ ତୋ ବାହାଘର ସରିଲେ ଯାଇ ଯାହାହେବ ।

 

ଓଃ ମନ ଭିତରେ ଇଚ୍ଛା ଅଛି ଉପରେ ସିନା ରାଗୁଛ ?

 

ଏଇ ସମୟରେ ବୋଉ ପଶିଆସି କହିଲା–ବୁଲୁ ତୋର କିଏ ସାଙ୍ଗମାନେ ଆସିଚନ୍ତି ଆ ।

 

ଦଶହରା ଛୁଟି ସରିଯାଇଛି । ବୁଲୁ ଫେରିଯାଇଛି ତା’ର ହଷ୍ଟେଲକୁ । ନନ୍ଦିତା ଫଟୋ ମୁଁ ଇତିମଧ୍ୟରେ ଶେଷ କରିପାରିନାହିଁ ।

 

ବୁଲୁ ଘନ ଘନ ଚିଠି ଲେଖୁଛି–ଭାଇ ଚିତ୍ରଟି କେବେ ସରିବ ? ନନ୍ଦିତା ବ୍ୟସ୍ତ କରୁଛି । ଶୀଘ୍ର ପଠାଇବ ।

 

ବୁଲୁ ଆଉ ଚିଠି ଦେଇ ନାହିଁ । ଟେଷ୍ଟ ପରୀକ୍ଷା ଚାଲିଛି । ତେଣୁ ବ୍ୟସ୍ତ ଅଛି ମୁଁ । ଚିତ୍ରଟି ଶେଷ କରିବି କରିବି ଭାବି ଅନେକ ଦିନ ଗଡ଼ି ଯାଇଥାଏ । ଆଜି ନିଶ୍ଚୟ ସମାପ୍ତ କରିବି । ଡ୍ରଇଂବୋର୍ଡ଼ ଠିକ୍ କରୁଛି । ବୋଉ ପଶିଆସିଲେ । ହାତରେ ଖଣ୍ଡିଏ ଚିଠି । –ଅମୁ, ନନ୍ଦିତାର ବାପା ଚିଠି ଦେଇଛନ୍ତି ଆସନ୍ତା ମାସ ୨୨ ତାରିଖରେ ନିର୍ବନ୍ଧ କରିବେ । ଜାତକ ମିଳିଯାଇଛି । ମୁଁ ଅଭିଯୋଗ କରି କହିଲି–ଏତେ ଶୀଘ୍ର ତରତର ହେବା କ’ଣ ଆବଶ୍ୟକ ଥିଲା ? ଆଗେ ବୁଲୁର ବାହାଘର କରି ଦେଇଥିଲେ ହୋଇଥାଆନ୍ତା । ସେତେବେଳକୁ ବୋଉ ଘରଛାଡ଼ି ଚାଲିଗଲାଣି ।

 

କିଛିଦିନ ପରେ ନନ୍ଦିତାର ଚିତ୍ର ଉପରେ ଶେଷ ତୂଳୀର ସ୍ପର୍ଶ ଦେଉଛି । ଚକ୍ଷୁ ଦୁଇଟି ଉପରେ ପତା ଶେଷ ହୋଇନାହିଁ, ହଠାତ୍ ପୋଷ୍ଟ ପିଅନ ଡାକିଲା–ଏକ୍ସପ୍ରେସ ଡେଲିଭରୀ ଆଜ୍ଞା ।

 

ଇଣ୍ଡିଆନ୍ ଇଙ୍କରେ ବୁଡ଼ାହୋଇଥିବା ତୂଳୀଟି ବୋର୍ଡ଼ ଉପରେ ରଖିଦେଇ ଚିଠି ନେବାପାଇଁ ବାହାରକୁ ଆସିଲି । ଲଫାପାଟି ଖୋଲିଲି । ପୂରା ପ୍ୟାଡ଼ କାଗଜରେ ଦୁଇଧାଡ଼ି ଲେଖାଥିଲା, ବୁଲୁ ଲେଖିଛି–ଭାଇ, ବସନ୍ତରେ ନନ୍ଦିତାର ଆଖି ଦୁଇଟି ଫୁଟିଯାଇଛି ।

 

ଦୁଃଖରେ ଘର ଭିତରକୁ ପଶିଆସିଲି । ଡ୍ରଇଂବୋର୍ଡ଼ ଉପରେ ନନ୍ଦିତାର ହାସ୍ୟ ମୁଖର ମୁହଁ ଉପରେ ହସ ଲାଖିରହିଛି । ମାତ୍ର ଶୁଖିନଥିବା ତୂଳୀଟି ପବନରେ ହଲିଯାଇ ଗଡ଼ି ଗଡ଼ି ଠିକ୍ ଆଖି ଦୁଇଟି ଉପରେ ଗୋଟିଏ ଗାଢ଼ କଳାଗାର ଟାଣିଦେଇଛି ।

 

ଚକ୍ଷୁରେ ମୋର ଲୋତକ ବିନ୍ଦୁ ଢଳ ଢଳ ହେଉଥିଲା ।

 

ଅଗଷ୍ଟ କୋଡ଼ିଏ ତାରିଖ ଊଣେଇଶହ ବାଆଷଠୀ ‘ରବିବାର ପ୍ରଜାତନ୍ତ୍ର’ରେ ପ୍ରକାଶିତ ।

Image

 

ଅଶୁଭ ଅଗଷ୍ଟ

 

ଅଗଷ୍ଟ ପନ୍ଦର ।

 

ମହାନଗରୀ ଦିଲ୍ଲୀ ।

 

ପୁରୁଣା ସ୍ମୃତି, ଅଶ୍ରୁଳ ଅତୀତକୁ ପଛରେ ପକାଇ ପ୍ରାଚୀଗଗନରେ ଉଇଁ ଆସୁଥଲା ଅଗଷ୍ଟ ପନ୍ଦରର ସୂର୍ଯ୍ୟ । ଆଜି ଜାତିର ଏ’ ମହାନ୍‍ ପବିତ୍ର ଦିବସରେ ଦେଶର ପ୍ରତି କୋଣରେ ଜାଗି ଉଠିବ ନୂତନ ଉଦ୍ଦୀପନା, ଜାଗରଣ ଓ ଆଶା । ଜାତୀୟ ସଙ୍ଗୀତର ମନ୍ଦ୍ର ଗମ୍ଭୀର ଝଙ୍କାରରେ ଗଗନମଣ୍ଡଳ ନିନାଦିତ ହେବ ।

 

ମୁଖରିତ ହେବ ଲାଲକିଲ୍ଲା, ମହାନଗରୀ ଦିଲ୍ଲୀର ନୀଳ ନଭ । ରାଜପଥକୁ ଚାହିଁଲେ ଅମରନାଥ, ରଙ୍ଗ ବେରଙ୍ଗ ପୋଷାକ ପିନ୍ଧି ଆଗ୍ରହ ଆନନ୍ଦରେ ଆଗେଇଚାଲିଛନ୍ତି ଆବାଳବୃଦ୍ଧବନୀତା । ଆଉ ମାତ୍ର କେତୋଟି ମୁହୂର୍ତ୍ତ ପରେ ରାଜପଥ ଉପରେ ଅଗଣିତ ଜନତାର ପଟୁଆର ଛୁଟି ଚାଲିବ ଲାଲକିଲ୍ଲା ଦିଗରେ । ଅମରନାଥ ଉଷ୍ମ ଚାହା କପ୍‍ ଉପରେ ଶେଷ ଚୁମ୍ବନ ଦେଇ ଉଠି ଠିଆହେଲେ । ଅଳ୍ପ ସମୟ ମଧ୍ୟରେ ତାଙ୍କୁ ବିମାନଘାଟିକୁ ଯିବାକୁ ହେବ । ତରୁଣ ଫ୍ଲାଇଟ୍ ଲେଫଟନାଣ୍ଟ୍ ଅମରନାଥ ଆଜିର ଏ ମହାନ୍‍ ଦିବସରେ ବୈମାନିକ କୌଶଳ ପ୍ରଦର୍ଶନ କରିବେ ।

 

ଅମରନାଥ ପଶିଗଲେ ମା’ଙ୍କ ବେଡ଼୍‍ରୁମ୍‍କୁ । ମାତ୍ର ସେଠାରେ ତାଙ୍କୁ ନପାଇ ପୂଜାକକ୍ଷକୁ ଗଲେ । ପୂଜାକକ୍ଷରେ ଗୋଟିଏ ହରିଣ ଛାଲ ଉପରେ ବସିଥିଲେ ଦେବୀପ୍ରତିମ ମା’ । ସମ୍ମୁଖରେ ବାପାଙ୍କର ଗୋଟିଏ ବିରାଟ ଏନଲାର୍ଜ ଫଟୋ । ଚକ୍ଷୁରୁ ତାଙ୍କର ବହିଯାଇଥିଲା ଧାର ଧାର ଲୁହ । ଖୁବ୍‍ ନିକଟକୁ ଯାଇ କୋମଳ ସ୍ଵରରେ ଡାକିଲେ ସେ–ମା’, ଆଜିପରି ଶୁଭ ଦିନରେ ତୁମ ଆଖିରେ ଲୁହ ?

 

ସୁରଭୀ ଲୁହ ପୋଛିଲେ, ସମ୍ମୁଖରେ ଠିଆହୋଇଛି ଏକମାତ୍ର ପୁତ୍ର ଅମରନାଥ । ଶରୀରରେ କଡ଼ା ଇସ୍ତ୍ରିଦିଆ ବୈମାନିକ ପୋଷାକ । ଅବିକଳ ସ୍ଵାମୀଙ୍କ ପରି ଦେଖାଯାଉଛି । ଲଜ୍ଜିତ ହେଲେ ସେ । ତରୁଣ ପୁଅ ଆଗରେ ଆଜି ତାଙ୍କର ଦୁର୍ବଳତା ଧରାପଡ଼ିଯାଇଛି ।

 

ନୀରବତା ଭାଙ୍ଗି ଘଡ଼ି ଉପରେ ଦୃଷ୍ଟିରଖି ଅମରନାଥ କହିଲେ–ମା’, ଆଜିପରା ଅଗଷ୍ଟ ପନ୍ଦର । ତୁମେ କ’ଣ ଭୁଲିଗଲ ? ଶୀଘ୍ର ପ୍ରସ୍ତୁତ ହୁଅ, ତୁମକୁ ମୁଁ ଅତିଥି ଗ୍ୟାଲେରୀରେ ଛାଡ଼ି ଏରୋଡ଼୍ରମ ଯିବି ।

 

ଅଗଷ୍ଟ ପନ୍ଦର.... । ଅଗଷ୍ଟ ପନ୍ଦରକୁ ସୁରଭୀ ଭୁଲିଯିବେ କିପରି ? ଏଇ ଅଗଷ୍ଟ ପନ୍ଦର ତାଙ୍କୁ ଆଣିଦେଇଛି ଚିର ବୈଧବ୍ୟ । ସବୁଦିନ ପାଇଁ ତାଙ୍କ ମୁଣ୍ଡରୁ ଲିଭାଇ ଦେଇଛି ସୀମନ୍ତିନୀର ବୈଦୁର୍ଯ୍ୟ । ବାରବର୍ଷ ତଳେ ଏମିତି ଆସିଥିଲା ଅଗଷ୍ଟ ପନ୍ଦର । ସେଦିନ ମଧ୍ୟ ମୁଖରିତ ହୋଇଉଠିଥିଲା ମହାନଗରୀ ଦିଲ୍ଲୀ । ସୁଦକ୍ଷ ବୈମାନିକ ସ୍ଵାମୀ କ୍ୟାପଟନ ପ୍ରେମନାଥ ଅନୁରୋଧ କରିଥିଲେ ସୁରଭୀ ଆଜି ତୁମେ ପ୍ୟାରେଡ଼ ପଡ଼ିଆକୁ ଯିବନାହିଁ ? ଆଜି ମୁଁ ଉଡ଼ନ୍ତା ବିମାନରେ କୌଶଳ ପ୍ରଦର୍ଶନ କରିବି । ହସି ହସି ସୁରଭୀ କହିଥିଲେ–ମୁଁ ଯିବିନାହିଁ ତ ଯିବ କିଏ ?

 

ସେ ଥିଲା ବାରବର୍ଷ ତଳର କଥା । ଅମର ସେତେବେଳେ ଶିଶୁ । ମାତ୍ର ଶିଶୁ ଅମର ଆଜି ଯୁବକ ଫ୍ଲାଇଟ୍ ଲେଫଟନାଣ୍ଟ୍ ଅମରନାଥ । ବହୁ ବାଧାବିଘ୍ନ ସତ୍ତ୍ୱେ ସେ ବାଛି ନେଇଛି ତା’ର ପ୍ରିୟତମ ପିତାର ପଥ । ଆଜି ତା’ର ଅଭୂତପୂର୍ବ କୌଶଳ ପ୍ରଦର୍ଶନରେ ଶହ ଶହ ଜନତା ମୁଗ୍‍ଧ ହେବେ, ବିସ୍ମିତ ହେବେ । ପ୍ରଶଂସାରେ ପରିପୂର୍ଣ୍ଣ ହେବ ସମ୍ବାଦପତ୍ରର କଳେବର ଆଉ ସେ ଜନ୍ମଦାତ୍ରୀ ହୋଇ ପ୍ରତିବନ୍ଧକ ସୃଷ୍ଟି କରିବେ !!!

 

କିନ୍ତୁ...... । କିନ୍ତୁ କ’ଣ ଯଦି ଭଲମନ୍ଦ ହୋଇଯାଏ । ବାରବର୍ଷ ତଳର କରୁଣ ସ୍ମୃତିକୁ ସେ ଭୁଲିଯିବେ କିପରି ? ଅଗଷ୍ଟ ପନ୍ଦରର ଶୁଭ ଦିବସରେ ସ୍ଵାମୀ ବିମାନ କୌଶଳ ପ୍ରଦର୍ଶନ କରିବା ସମୟରେ ଆକସ୍ମିକ ନିଆଁ ଲାଗିଯିବା ଫଳରେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ତା’ପରେ ଅଶୁଭ ଅଗଷ୍ଟ ପନ୍ଦରକୁ କେବେ ସ୍ଵାଗତ ଜଣାଇ ନାହାନ୍ତି ସୁରଭୀ ।

 

ପୁଣି ଆଜି ଡାକୁଛି ପୁଅ ଅମରନାଥ । ବେଦନାରେ ଭାଙ୍ଗି ପଡ଼ୁଥିଲେ ସୁରଭୀ ।

 

ମା’, କ’ଣ ଏତେ ଭାବୁଛ ?

 

ନା, କିଛି ନୁହେଁ, ଆଚ୍ଛା ଅମର ତୁ ଦୁନିଆରେ ସବୁଠାରୁ କାହାକୁ ବେଶୀ ଭଲପାଉ ?

 

ମା’ ଆଜି ପୁଣି ସେଇ ପୁରୁଣା ପ୍ରଶ୍ନ ! ତୁମେ ଜାଣିଛ ମା’ ତୁମ ଛଡ଼ା ମୋର ଏ ଦୁନିଆରେ ଆପଣାର କେହି ନାହାନ୍ତି । ମୁଁ ସବୁଠାରୁ ଭଲପାଏ ତୁମକୁ ତା’ପରେ ମୋର ବୈମାନିକ ଜୀବନକୁ-

 

ତେବେ ତୁ ମୋ କଥାର ଅବାଧ୍ୟ ହେବୁନାହିଁ ।

 

କଦାପି ନୁହେଁ ମା’, ଏହା ମୋର ତ୍ରିବାର ସତ୍ୟ, ବର୍ତ୍ତମାନ ଚାଲଯିବା ।

 

ହଁ ଯିବା କିନ୍ତୁ......

 

କିନ୍ତୁ କ’ଣ ମା’, ସମୟ ଯେ ହୋଇଯାଉଛି, ଆଉ ଅଳ୍ପ ସମୟ ଅଛି ।

 

ଅମର, ଆଜି ତୋତେ ବିମାନ ଚାଳନାରେ ଯୋଗଦେବାକୁ ହେବ ନାହିଁ ।

 

ମା’.....ହତାଶରେ ଭାଙ୍ଗିପଡ଼ୁଥିଲେ ଅମରନାଥ ।

 

ହଁ, ଅମର, ଆଜି.....ସୁରଭୀଙ୍କ କଣ୍ଠରେ ଦୃଢ଼ତା ।

 

କିନ୍ତୁ କାହିଁକି ମା’, ଏଥିରେ ତ ଭୟର କୌଣସି କାରଣ ନାହିଁ । ମୁଁ ନିଜେ ପ୍ଲେନର ଇଞ୍ଜିନ ପରୀକ୍ଷା କରି ଉପରକୁ ନେବି ।

 

ନା ଅମର, ଆଜି କାହିଁକି ଅଶୁଭ ଚିନ୍ତାରେ ମନ ଉଦ୍ବେଳିତ ହେଇଉଠୁଛି । ତୁ ମୋତେ ବଳାନା ।

 

ମା’, ଆଜି ଗୋଟିଏ ଦିନ ମୋତେ ଅନୁମତି ଦିଅ । ଆଉ କେବେ ଅନୁରୋଧ କରିବି ନାହିଁ-। ଆଜି ସମସ୍ତେ ଅପେକ୍ଷା କରି ରହିଥିବେ । ନ ଗଲେ ସାଙ୍ଗସାଥି କହିବେ ଭୟାଳୁ ସ୍ଵାର୍ଥପର-। ଉପର ଅଫିସର କହିବେ ଦାୟିତ୍ଵହୀନ, ଉତ୍ସୁକ ଜନତା ନିରାଶ ହେବେ ।

 

ମନ କନ୍ଦରରେ ଗୁମୁରି ଉଠୁଥିବା ବେଦନା ଓ କୋହକୁ ଚାପିରଖି ଅନୁମତି ଦେଲେ ସୁରଭୀ ।

 

ନା ମା’, ତୁମେ ହସି ହସି ଅନୁମତି ନଦେଲେ ମୁଁ ଯିବିନାହିଁ । ତୁମେ ମଧ୍ୟ ମୋ ସହ ଚାଲ-

 

ଦୁଃଖ ମଧ୍ୟରେ ସୁରଭୀ ସାମାନ୍ୟ ହସିପକାଇଲେ ।

 

ଫୋନଟା ରହି ରହି କ୍ରିଂ.....କ୍ରିଂ.....କ୍ରିଂ ଚିତ୍କାର କରୁଥିଲା । ହୁଏତ ବିଳମ୍ବ ଯୋଗୁଁ ମୁଖ୍ୟ ପାଇଲଟ ଏରୋଡ଼୍ରମରୁ ଡାକୁଛନ୍ତି ।

 

ଗୋଟାଏ ପରେ ଗୋଟାଏ ବୈମାନିକ ଫିଟସ୍ ଦେଖାଇ ଚାଲିଥିଲେ ଫ୍ଲାଇଟ୍ ଲେଫଟନାଣ୍ଟ୍ ଅମରନାଥ । ବିସ୍ମିତ ଜନତା ଆନନ୍ଦରେ ଚାହିଁରହିଥିଲା ଧୂମାୟିତ ଗଗନକୁ, କରତାଳିରେ ଗଗନ ନିନାଦିତ ହେଉଥିଲା । ଜନତାର କୋଳାହଳ ଭେଦକରି ଗମ୍ଭୀର ସ୍ଵରରେ ମାଇକ ସୂଚାଇଦେଲା–‘‘ଏହା ଶେଷ କୌଶଳ । ତରୁଣ ବୈମାନିକ ଫ୍ଲାଇଟ୍ ଲେଫଟନାଣ୍ଟ୍ ଅମରନାଥ ଆକାଶ ବକ୍ଷରେ ବିମାନକୁ ସାତଥର ଓଲଟାଇ ଠିକ୍ ରାଷ୍ଟ୍ରପତିଙ୍କ ମସ୍ତକ ଉପରେ ପୁଷ୍ପବୃଷ୍ଟି କରିବେ ।’’

 

ସ୍ତବ୍ଧ ହୋଇଗଲା ଜନତାର ଗୁଞ୍ଜରିତ କୋଳାହଳ । ଆଲୌକିକ କୌଶଳ ପ୍ରଦର୍ଶନ କରି ବିମାନଘାଟି ଦିଗରେ ଉଡ଼ିଗଲେ ଅମରନାଥ । ଜନତାର ତାଳି ଓ ଉଚ୍ଛ୍ୱସିତ ପ୍ରଶଂସାରେ ଭାଙ୍ଗିପଡ଼ୁଥିଲା ଲାଲକିଲ୍ଲାର ବାୟୁମଣ୍ଡଳ ।

 

ମୂଳ ବିମାନଘାଟିରେ ଅବତରଣ କରିବା ପାଇଁ ମାତ୍ର କେତୋଟି ସେକେଣ୍ଡ ଅଛି । ଆନନ୍ଦରେ କୁରୁଳି ଉଠୁଥିଲେ ବୈମାନିକ ଅମରନାଥ । ଅଶୁଭ ମୁହୂର୍ତ୍ତଗୁଡ଼ିକ କଟିଯାଇଛି, ଶୁସ୍ତିର ନିଶ୍ୱାସମାରି ଆନନ୍ଦରେ ଅନ୍ୟମନସ୍କତାର ସହ ଇଗ୍ନିସନ୍, ସୁଇଚ ବନ୍ଦ କରିନେଲେ ସେ । ମାତ୍ର ସେତେବେଳେ ପ୍ଲେନ ପଡ଼ିଆକୁ ସ୍ପର୍ଶ କରିନଥିଲା । ରକେଟ ପରି ଦ୍ରୁତ ଗତିରେ ପଡ଼ିଆ ଉପରେ ପିଟି ହେଇଗଲା ପ୍ଲେନ । ବିଜୁଳି ବେଗରେ ଡେଇଁପଡ଼ିଲେ ଅମରନାଥ ।

 

ଦିଲ୍ଲୀ ଆର୍ମି ହସ୍ପିଟାଲର ଗୋଟିଏ ସ୍ଵତନ୍ତ୍ର କ୍ୟାବିନରେ ଅଚେତ ହୋଇ ଶୋଇଥିଲେ ଫ୍ଲାଇଟ୍ ଲେଫଟନାଣ୍ଟ୍ ଅମରନାଥ । ତାଙ୍କ ମୁଣ୍ଡରେ ସସ୍ନେହ ଆଙ୍ଗୁଳି ଚାଳନା କରୁଥିଲେ ସୁରଭୀ । ଡାକ୍ତର କହୁଛନ୍ତି ଭୟର ଆଶଙ୍କା ନାହିଁ । ଅଳ୍ପସମୟ ମଧ୍ୟରେ ଚେତା ଫେରିଆସିବ । ଆଘାତ ଗୁରୁତର ନୁହେଁ ।

 

ଧୀରେ ଧୀରେ ଚକ୍ଷୁ ଖୋଲିଲେ ଅମରନାଥ । ଆବେଗରେ ଥର ଥର ହୋଇ କହୁଥିଲେ–ମା’ ମୋତେ କ୍ଷମାକର, ମୁଁ ତୁମର ଅବାଧ୍ୟ ହେବିନାହିଁ ।

 

ଅସଂଯତ କେଶରାଶି ଉପରେ ଧୀରେ ଧୀରେ ହାତ ସଞ୍ଚାଳନ କରୁ କରୁ, ସୁରଭୀଙ୍କ ଓଠରୁ ଝରିପଡ଼ୁଥିଲା ପରିତୃପ୍ତିର ବିମଳ ହସ ।

 

ଅଗଷ୍ଟ ପନ୍ଦରର ଅସ୍ତଗାମୀ ସୂର୍ଯ୍ୟ ବିଦାୟ ନେଉଥିଲା ପଶ୍ଚିମ ଦିଗନ୍ତରେ !

Image

 

ପ୍ରତିକ୍ଷା

 

ବେଦନା ବିଧୁରା ରାତ୍ରିର ଅବଗୁଣ୍ଠନ ତୋଳି ଚପଳ ସୂର୍ଯ୍ୟ ବିଦାୟ ଚୁମ୍ବନ ଆଙ୍କିଦେଲେ ତା’ର କାକକୃଷ୍ଣ କବରୀ ଉପରେ । ଉଷାର ଆଗମନୀକୁ ସ୍ଵାଗତ ମାଙ୍ଗଳିକ ଜଣାଇ ଅନନ୍ତ ଗଗନର ବିସ୍ତୃତ ନୀଳିମା ମଧ୍ୟରେ ହଜିଯାଉଥିଲେ ଚଳ ଚଞ୍ଚଳ ବିହଗ । ଦୂର ଦିଗନ୍ତର କେଉଁ ଏକ ଅଜଣା ରାଇଜରୁ ଝରି ଆସୁଥିବା ଉଷାର ମନୋରମ ସୁନେଲୀ ଆଲୋକକୁ ସ୍ଵାଗତ ଅଭିନନ୍ଦନ ଜଣାଉଥିଲେ ଦେବପ୍ରିୟ । ଏଇ ଆଲୋକର ଶିହରଣ ତାଙ୍କ ଜୀବନ ଉପରେ ଯେ ବେପଥୁ ଜାଗ୍ରତ କରିବ, ଏ ବିଶ୍ଵାସ ତାଙ୍କର ନଥିଲା । ସମୀପବର୍ତ୍ତୀ ଟେବୁଲ୍‍ ଉପରକୁ ଚାହିଁଲେ ସେ । ଗଦା ଗଦା ଚିତ୍ରିତ ଜନ୍ମଦିନ ଗ୍ରିଟିଂକାର୍ଡ଼, ଟେଲିଗ୍ରାମ୍‍ ଇତସ୍ତତଃ ହୋଇପଡ଼ିଛି । ବନ୍ଧୁବାନ୍ଧବ, ସାଙ୍ଗସାଥୀ, ସହକର୍ମୀ, ଚିହ୍ନା ଅଚିହ୍ନା, ଆବାଳ-ବୃଦ୍ଧ-ବନିତା ସମସ୍ତଙ୍କଠାରୁ ସେ ପାଇଛନ୍ତି ଜନ୍ମଦିନ ଉପହାର, ଶୁଭେଚ୍ଛା, ଅଭିନନ୍ଦନ–ତାଙ୍କର ୩୦ତମ ଜନ୍ମଦିବସ ଉପଲକ୍ଷେ ।

 

ଦୃଷ୍ଟି ଫେରାଇଲେ ଦେବପ୍ରିୟ । ଝରକା ପାଖ ଶେଫାଳୀ ଗଛଟିରେ ଫୁଟନ୍ତା ଫୁଲର ନିବିଡ଼ ସମାବେଶ । ସଦ୍ୟ କାକର ସ୍ନାତ ଶେଫାଳୀର କୋମଳ ତନୁ ଉଷାର ଆଗମନୀରେ ହସିଉଠିଛି । ଜୀବନର ଶେଷ ପର୍ଯ୍ୟାୟ ଉପଭୋଗ କରି ବର୍ଷୀୟସୀ ଶେଫାଳୀ ଝରିପଡ଼ିଛି ଧୂଳି ଧୂସରିତ ଧରଣୀ ବୁକୁରେ । ଝାଉଁଳି ପଡ଼ିଛି ତା’ର ଯୌବନ । ମଉଳି ପଡ଼ିଛି ତା’ର କାନ୍ତ କୋମଳ ତନୁଲତା । ଶେଫାଳୀ ଜୀବନର କରୁଣତା ସହ୍ୟ କରିପାରିଲେନି ଦେବପ୍ରିୟ । ଝରକା ଉପରେ ମୋଟା ପରଦାଟି ଟାଣିଦେଲେ ।

 

ଅଳସ ପାଦ ପକାଇ ଡାଇନିଂ ରୁମରେ ପହଞ୍ଚିଲେ । ସୁପ୍ରଶସ୍ତ ଡାଇନିଂ ଟେବୁଲ୍‍ ଉପରେ ଇତସ୍ତତଃ ହୋଇପଡ଼ିରହିଛି ଦାମିକା ଗ୍ଲାସ୍, କପ୍, ସସର, ଟ୍ରେ, ଜଗ୍ ଓ ଡିସ । ଗତରାତ୍ରି ଜନ୍ମଦିନ ପାର୍ଟିର ସ୍ମାରକୀ ଏଇ ନିର୍ଜୀବ ପଦାର୍ଥ । ଡାଇନିଂ ଟେବୁଲ୍‍ ଉପରେ ଛୋଟ ଡେସ୍କ କ୍ୟାଲେଣ୍ଡରକୁ ଚାହିଁଲେ ଦେବପ୍ରିୟ । ‘ଅଗଷ୍ଟ ୧, ଗୁରୁବାର’ ଜଳ ଜଳ ହୋଇ ଚାହିଁରହିଛି ଯେପରି ତାଙ୍କୁ । ଥକ୍‍କା ହୋଇ ବସିପଡ଼ିଲେ ଦେବପ୍ରିୟ । ସତେଯେପରି ସେ ବିଶ୍ୱାସ କରିପାରୁନାହାନ୍ତି ନିଜକୁ, କ୍ୟାଲେଣ୍ଡର ଏଇ ତାରିଖକୁ ।

 

ଧୀର ସତର୍କ ପାଦ ଶବ୍ଦରେ ପଛକୁ ଚାହିଁଲେ ଦେବପ୍ରିୟ । ଟ୍ରେରେ କଫି ଧରି ପଶିଆସୁଛି ବୟ । ଚକ୍ଷୁରେ ତା’ର ଶଙ୍କିତ ଚାହାଁଣି । ଆଖିର ଭାଷା ତା’ର କହୁଛି–ସାହେବ ତ କେବେ ଦିନ ଆଠ ପୂର୍ବରୁ ବିଛଣା ତ୍ୟାଗ କରନ୍ତି ନାହିଁ ଆଜି ଏ କି ବ୍ୟତିକ୍ରମ ! ଟେବୁଲ୍‍ ଉପରେ କଫି ରଖି ଡରି ଡରି ଠିଆହେଲା ସେ । ନୀରବରେ କକ୍ଷ ପରିତ୍ୟାଗ କରିବା ପାଇଁ ଇଙ୍ଗିତ ଦେଲେ ଦେବପ୍ରିୟ ।

 

କଫି କପ୍‍ ଉପରୁ ଧୂସର ଉଷ୍ମ ଧୂଆଁ ମୋଡ଼ି ମୋଡ଼ି ଉପରକୁ ଉଠୁଛି । ସେଇ ଉଷ୍ଣ ଧୂମ୍ର ପଟଳକୁ ତନ୍ମୟ ହୋଇ ଚାହିଁଥିଲେ ଚଳଚିତ୍ର ଅଭିନେତା ଦେବପ୍ରିୟ । ତା’ରି ଭିତରେ ସେ ଖୋଜୁଥିଲେ ତାଙ୍କର ହଜିଲା ଅତୀତର ଅଭୁଲା ସ୍ମୃତି । ରୂପେଲି ପରଦାରେ ଝଲସି ଉଠୁଥିବା ଛାୟା ଛବିପରି ଧୂଆଁଳିଆ ହୋଇ ନାଚିଉଠିଲା ଗୋଟିଏ ଚପଳା ତରୁଣୀର ସଜଳ ସୁନ୍ଦର ମୁଖମଣ୍ଡଳ ।

 

ପୃଥିବୀର ଲକ୍ଷ ଲକ୍ଷ ତରୁଣ-ତରୁଣୀଙ୍କର ଚିତ୍ର ଜଗତରେ ପ୍ରବେଶ କରିବାର ରଙ୍ଗୀନ ସ୍ଵପ୍ନ ଓ ମହୁଆ ନିଶା ନେଇ ସେ ମଧ୍ୟ ପାଦ ଦେଇଥିଲେ ମହାନଗରୀ ବମ୍ବେ ବକ୍ଷରେ । ଜୀବନର ଅନିଶ୍ଚିତ ଲକ୍ଷ୍ୟ ଓ ମୃଗତୃଷ୍ଣା ଲାଳସାରେ ଛବିଳ ପଲ୍ଲୀର ମୋହ ଛାଡ଼ି ଚାଲି ଆସିଥିଲେ ନଗର ଜୀବନର କୃତ୍ରିମ ପରିବେଷ୍ଟିନୀ ମଧ୍ୟକୁ । ଚିତ୍ର ଜଗତରେ ନିଜର ଅନିଶ୍ଚିତ ଭାଗ୍ୟକୁ ପରୀକ୍ଷା କରିବାକୁ ଯେତେବେଳେ ଷ୍ଟୁଡ଼ିଓରୁ ଷ୍ଟୁଡ଼ିଓ ଘୂରିବୁଲୁଥିଲେ ସେତେବେଳେ ମିନର୍ଭା ଷ୍ଟୁଡ଼ିଓରୁ ଲେଡ଼ି ଟାଇପିଷ୍ଟ ଆଶାଙ୍କ ସହିତ ଅକସ୍ମାତ ପରିଚୟ ହୁଏ ବସ୍‍ଷ୍ଟାଣ୍ଡରେ । ବୋଧହୁଏ ଆଶା ସେଇ ତରୁଣ ନିରାଶ୍ରୟ ସମ୍ବଳହୀନ ଦେବପ୍ରିୟର ଛପିଲା ବ୍ୟକ୍ତିତ୍ଵ ଭିତରେ ଦେଖିପାରିଥିଲେ ଏକ ସଫଳ କଳାକାରର ଉଜ୍ଜ୍ୱଳ ଭବିଷ୍ୟତ । ସେଇ ଅପରିଚିତାଙ୍କ ଚେଷ୍ଟା ଓ ଯତ୍ନରେ ଦେବପ୍ରିୟଙ୍କ ଅଭିନେତା ଜୀବନର ମୂଳଦୁଆ ପଡ଼ିଥିଲା । ତରୁଣ ଦେବପ୍ରିୟ ମଧ୍ୟ ପ୍ରେମ ମିଶ୍ରିତ କୃତଜ୍ଞତା ଢାଳି ଦେଇଥିଲେ ଆଶାଲତାଙ୍କ ଉପରେ ।

 

ମନୁଷ୍ୟ ଜୀବନରେ ଦୁଃଖ ଯେତେବେଳେ ଆସେ ସେତେବେଳେ ପୃଥିବୀର ସମସ୍ତ ଝଡ଼ଝଞ୍ଜା ବିଷାଦ କାଳିମା ତାକୁ ଧ୍ଵସ୍ତବିଧ୍ୱସ୍ତ କରିପକାଏ । ପୁଣି ଯେତେବେଳେ ଆନନ୍ଦର ଅମୀୟ ଧାରା ଝରିପଡ଼େ ମନୁଷ୍ୟର କଣ୍ଟକିତ ଚଲାପଥରେ ସେ ଆନନ୍ଦ ବିଭୋର ହୋଇ ଉତ୍‍ଫୁଲ୍ଲ ହୋଇପଡ଼େ । ନିଃସ୍ଵ ଦେବବ୍ରତଙ୍କ ମରୁ ଜୀବନରେ ଶୁଭିଲା ମଧୁର ବଂଶୀ ମୂର୍ଚ୍ଚନା । ଆଗାମୀ ଅର୍ଥନୀତିକ ସମସ୍ୟା ଓ ଗୃହ ସମସ୍ୟା ନେଇ ଯେତେବେଳେ ସେ ଗଭୀର ଚିନ୍ତାମଗ୍ନ ସେତେବେଳେ ଆଶାଲତା ତାଙ୍କର ନିର୍ବାଣମୁଖୀ ଶିଖାରେ ଜାଳିଦେଲେ ଆଶାର ଆଲୋକ । ଏକ ଅନାହୂତ ଅପ୍ରତ୍ୟାଶିତ ଅନୁରୋଧରେ ଦେବପ୍ରିୟ ପେଇଂଗେଷ୍ଟ ଭାବରେ ଆଥିତ୍ୟ ଗ୍ରହଣ କଲେ ଆଶାଲତାଙ୍କ ବାସଭବନରେ । ଆଶାଲତାଙ୍କର କ୍ଷୁଦ୍ର ପରିବାରରେ ଏଇ ଅଜଣା ଅତିଥିଙ୍କର ଆବିର୍ଭାବ କ୍ଷଣିକ ଆଲୋଡ଼ନ ସୃଷ୍ଟି କରିଥିଲେ ମଧ୍ୟ ଦେବପ୍ରିୟଙ୍କର ମେଳାପି ସ୍ଵଭାବ ସେମାନଙ୍କୁ ମୁଗ୍‍ଧ କଲା । କ୍ରମେ ଅଜଣା ଅତିଥି ଛୋଟ ପରିବାର ମଧ୍ୟରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇପଡ଼ିଲେ । ସହଜ ଓ ସରଳ ଭାବରେ ଗଡ଼ିଚାଲିଲା ସମୟର ଚକ, ନିତିଦିନିଆ ଦୁନିଆ ।

 

ଫୁଟପାଥର ନିଃସ୍ଵ ଦେବପ୍ରିୟ କିଛିଦିନ ପରେ ଏକଷ୍ଟ୍ରା ଅଭିନେତା ଭୂମିକାରୁ ନିଜର ପ୍ରତିଭା ଓ ସାଧନା ବଳରେ ନାୟକ ଭୂମିକାରେ ଅବତୀର୍ଣ୍ଣ ହେବାର ସୁଯୋଗ ପାଇଲେ । ତାଙ୍କର ପ୍ରତିଭା ତଥା କୃତିତ୍ଵରେ ପତ୍ରପତ୍ରିକା ପ୍ରଶଂସାରେ ଶତମୁଖ ହୋଇଉଠିଲା । କ୍ରମେ ସେ ଅଧିକରୁ ଅଧିକ ଚଳଚିତ୍ର କଣ୍ଟ୍ରାକ୍ଟ ପାଇଲେ । ଦେବପ୍ରିୟଙ୍କର ଆଶାତୀତ ସାଫଲ୍ୟରେ ସବୁଠାରୁ ବେଶୀ ଖୁସି ହୋଇଥିଲା ଆଶାଲତା । ଦେବପ୍ରିୟ ଓ ଆଶାଲତା ମଧ୍ୟରେ ଭଲପାଇବାର ମୋହ ନିବିଡ଼ତର ହେଉଥିଲା । ସେଥିରେ ନଥିଲା ଛଳନା ଅଥବା କୃତ୍ରିମତା । ଦେହ ଓ ମନର ସମସ୍ତ ପବିତ୍ରତା ନେଇ ସେମାନେ ରଚିଥିଲେ ଅସୁମାରି ସପନର ତାଜ ।

 

ସେ ଦିନ..... ।

 

ଆଶାଲତାର ଜନ୍ମଦିନ ମହାସମାରୋହରେ ପାଳିତ ହୋଇଥିଲା ତା’ରି ବାସଭବନରେ । ସେଇ ରାତ୍ରିର ବନ୍ଧୁମିଳନ ପରେ ଜନ୍ମଦିନର ନୂତନ ପରିପାଟୀ ଓ ପ୍ରସାଧନର କମନୀୟ ମାଧୁରୀ ସମାରୋହରେ ଆଶା ଦେବପ୍ରିୟଙ୍କ ପଛରେ ଠିଆହେଲେ ।

 

ବାହାରେ ମୂର୍ଛିତ ଆକାଶ, ତଳେ ଜ୍ୟୋତ୍ସ୍ନା ପୁଲକିତ ରାତ୍ରି । ଦେବପ୍ରିୟ ଉଦ୍ୟାନର ପାଷାଣ ଚତ୍ଵର ଉପରେ ବସି ନୈଶ୍ୟ ଧରଣୀର ଶୋଭା ଉପଭୋଗ କରୁଥିଲେ । ପାଦ ଶବ୍ଦ ଶୁଣି ସେ କହିଲେ–ଆଶା ମୋତେ କିଛି ପଚାରିବ ? ଆଶା କହିଲେ–ମା’ ପଚାରୁଥିଲେ ଆମର ବିବାହ ଶୀଘ୍ର ସମ୍ପନ୍ନ କରିଦେବା ପାଇଁ, କାରଣ କ୍ରମଶଃ ସେ ଦୁର୍ବଳ ହୋଇପଡ଼ୁଛନ୍ତି...... ।

 

ଦେବପ୍ରିୟ ମୁହୂର୍ତ୍ତକ ପାଇଁ ରହିଗଲେ ।

 

ଅଶରୀର ଜ୍ୟୋତ୍ସ୍ନା ଦିଗରୁ ଚକ୍ଷୁ ତୋଳି ଆଶା ଉପରେ ପକାଇଲେ । ଆୟତ ନୟନରେ ସରୁ କଜ୍ଜ୍ୱଳର ଉଜ୍ଜ୍ୱଳଧାର କପୋଳରେ ବିନ୍ଦୁ ବିନ୍ଦୁ କୁଙ୍କୁମ ଗୋରଚନା ଓ ଚନ୍ଦନର ଆଲେଖ୍ୟ ମଧ୍ୟରେ ଆଶାର ସଲ୍ଲଜ ମୁଖମଣ୍ଡଳ ଗୋଟିଏ ସଜ ଗୋଲାପ ପରି ଉଜ୍ଜ୍ୱଳ ଅଥଚ କରୁଣ ଦେଖାଯାଉଛି । ଲାସ୍ୟଭରା ଚାହାଁଣିରେ କରୁଣତାର ସ୍ପର୍ଶ, ବଧୁଲି ନିନ୍ଦିତ ଓଠ ଦି’ ଫାଳରେ ଲୋଭନୀୟ ହସର ଧାର ମଉଳି ପଡ଼ିଛି । ନିଜକୁ ଅପରାଧୀ ମନେକଲେ ଦେବପ୍ରିୟ ! କି ଉତ୍ତର ସେ ଦେବେ ? ଏତେ ଆଶା ଓ ସରାଗକୁ ଆଜିପରି ଦିନରେ ନିର୍ଦ୍ଦୟ ହୋଇ ଭାଙ୍ଗିଦେବେ କିପରି ? ମନ ମଧ୍ୟରେ ଦ୍ଵନ୍ଦ୍ୱ ମୁଣ୍ଡ ଟେକିଲା । ସବୁଦିନ ପାଇଁ ଗୋଟିଏ ଚପଳ ନାରୀର ସରଳ ସୁନ୍ଦର ଜୀବନକୁ ନଷ୍ଟ କରିଦେବାର କି ଅଧିକାର ଅଛି ତାଙ୍କର ? ଅତଳ ସାଗରର ପ୍ରଳୟଙ୍କରୀ ଜଳଧି ଉପରେ ଏକ ଧ୍ଵଂସମୁଖୀ ଅସହାୟ ନୌକାପରି ମନ ତାଙ୍କର ଦୋଦୁଲ୍ୟମାନ ହୋଇଉଠିଲା ।

 

ତୁମେ ଖୁବ୍ ଚିନ୍ତିତ, ନୁହେଁ ? ଆଶା ନୀରବତା ଭଗ୍ନ କଲା ।

 

ଦେବବ୍ରତ ଚାହିଁଲେ, ଆଶାର ଚକ୍ଷୁର ଉପାନ୍ତରେ ଢଳ ଢଳ ଲୋତକ ବିନ୍ଧୁ, ତଥାପି ଓଠରେ ସେଇ ଲୋଭନୀୟ ହସର ଝଲକ ।

 

ଦେବପ୍ରିୟଙ୍କ ମନରେ ସାମାନ୍ୟ ଭରସା ଆସିଲ । ସାହସ ସଞ୍ଚାର କରି ସେ କୋମଳ କଣ୍ଠରେ କହିଲେ–ଆଶା, ତୁମେ ମୋତେ ବିଶ୍ଵାସ କରିବ ତ ? ଓଠରେ ସେଇ ନିର୍ଲିପ୍ତ ହସ ଖେଳାଇ ଆଶା କହିଲା–କୁହ ! ହୃଦୟକୁ ପଥର କରି ସବୁ ଶୁଣିବାର ସଂକଳ୍ପ କରିସାରିଛି । ନାରୀ ଅବଳା, ଅଶ୍ରୁ ହିଁ ତା’ର ଶେଷ ସମ୍ବଳ ! ଦୁଃଖରେ ଭାଙ୍ଗି ପଡ଼ୁଥିଲା ଆଶା ।

 

ଦେବପ୍ରିୟ ମନକୁ କଠୋର କରି କହିଲେ–ଆଶା, ମୋର ପ୍ରେମ କୃତ୍ରିମ ନୁହେଁ, ଛଳନା ନୁହେଁ, ତାହା ସାଗର ପରି ଗଭୀର, ସୂର୍ଯ୍ୟ ପରି ସତ୍ୟ । ତଥାପି ଆମର ବିବାହ ସମ୍ଭବ ନୁହେଁ, ତୁମେ ଭୁଲିଯାଅ ଅକୃତଘ୍ନ ଦେବପ୍ରିୟକୁ । ଦେବପ୍ରିୟ ମନୁଷ୍ୟ, ସେ ଚାହେଁନା ଗୋଟିଏ ନାରୀକୁ କ୍ଷଣିକ ସୁଖ ଦେଇ ଆଣିଦେବ ଚିରଦିନ ପାଇଁ ନିଷ୍ଠୁର ବୈଧବ୍ୟ । ସୀମନ୍ତିନୀ ସଧବା ତରୁଣୀ ନାରୀର ସୁଖ ସମ୍ଭୋଗ ସବୁଦିନ ପାଇଁ ଲୁଟିନେବ । ଆଶା, ତୁମେ ବିଶ୍ୱାସ କରିନପାର କିନ୍ତୁ ମୁଁ ବିଶ୍ଵାସ କରେ । ଗଣକ କୋଷ୍ଠୀ ଗଣନା କରି କହିଛି ଠିକ୍ ତିରିଶବର୍ଷରେ ମୋର ମୃତ୍ୟୁ ହେବ-। ତୁମେ ମୋତେ କହିପାର ରକ୍ଷଣଶୀଳ, ଧର୍ମଭୀରୁ କିନ୍ତୁ ମୁଁ ନାଚାର । କାରଣ ସେଇ ଗଣକର ଗଣନା ଅନୁଯାୟୀ ମୋର ପିତାମାତା ଉଭୟଙ୍କର ମୃତ୍ୟୁ ଘଟିଥିଲା । ତେଣୁ ମୁଁ ଏକ ନିଶ୍ଚିତ ଦୁଃଖର ସୀମାନ୍ତକୁ ତୁମକୁ ଟାଣିନେଇ ତୁମର କପାଳର ସିନ୍ଦୂର ଗାର ପୋଛିଦେଇ ପାରିବିନି ।

 

ମୋତେ ଭୁଲ ବୁଝନାହିଁ ଆଶା । ଗଭୀର ଆବେଗରେ ଏତେଗୁଡ଼ିଏ କଥା କହି ବେଦମ୍‍ ହୋଇପଡ଼ିଲେ ଦେବପ୍ରିୟ ।

 

କିନ୍ତୁ ସେସବୁ ସତ୍ତ୍ୱେ ମୁଁ ତୁମକୁ ବିବାହ କରିବାକୁ ରାଜି ଅଛି; ମୋ ଜୀବନ ଉପକଣ୍ଠରେ ଯେଉଁ ଝଡ଼ର ଧୂଆଁ ଉଠିଛି ତାହା ଅନ୍ତତଃ ନିର୍ବାପିତ ହୋଇପାରିବ, ଗମ୍ଭୀର ହୋଇ କହିଲା ଆଶା ।

 

ନା, ଆଶା ସେ ଦୁରାଶା କରନାହିଁ । ମୁଁ ଶପଥ କରି କହିପାରେ, ଆମର ପ୍ରେମର ପବିତ୍ରତା ଚିରଦିନ ଅକ୍ଷୁଣ୍ଣ ହୋଇ ରହିବ ଯଦି ସେଇ ଅଶୁଭ ଦିନ ପରେ ମୁଁ ବଞ୍ଚିରହେ, ତେବେ ଆନନ୍ଦରେ ତୁମରି ପଥ ଚାହିଁରହିବି । ସେତେଦିନ ପର୍ଯ୍ୟନ୍ତ ପ୍ରତୀକ୍ଷା କରିପାରିବ ତୁମେ ? ଦେବପ୍ରିୟଙ୍କ କଣ୍ଠରେ ଭାଷା ହଜି ଯାଉଥିଲା । କୋହରେ କଣ୍ଠ ରୁଦ୍ଧ ହୋଇ ଆସୁଥିଲା ।

 

ଦେବପ୍ରିୟଙ୍କର ଶେଷ କେଇପଦ କଥା ଆଶାଲତାର କାନରେ ପଡ଼ିବା ପୂର୍ବରୁ ସେ କାନ୍ଦି କାନ୍ଦି ସ୍ଥାନ ଛାଡ଼ି ଚାଲିଯାଇଥିଲା ।

 

ସେଦିନ ଉଷାର ଆଲୋକ ପୃଥିବୀ ବକ୍ଷରେ ପଡ଼ିବା ପୂର୍ବରୁ ସମସ୍ତଙ୍କର ଅଲକ୍ଷ୍ୟରେ ଦେବପ୍ରିୟ ଆଶାର ଘର ଛାଡ଼ି ଚାଲିଯାଇଥିଲେ । ରୁଦ୍ଧ ବେଦନାର ଅଭିବ୍ୟକ୍ତି ଲେଖିଯାଇଥିଲେ ଗୋଟିଏ ପତ୍ରରେ ।

 

ତା’ପରେ ସ୍ଵ ଇଚ୍ଛାରେ ସେ ଆଶାଠାରୁ ଦୂରରେ ରହିଛନ୍ତି ।

 

ପାଞ୍ଚବର୍ଷ ପରେ ।

 

ଆଜି ସେଇ ଅଶୁଭ ଦିନ ଚାଲିଯାଇଛି । ଗଣକର ଗଣନା ଭୁଲ ହୋଇଛି, ଦେବପ୍ରିୟଙ୍କ ଜୀବନରେ ଆଜି ଆସିଛି ନୂତନ ଉଷାର ଆଲୋକ, ସେ ପାଇଛନ୍ତି ନୂତନ ଜୀବନ ।

 

କଫି କେତେବେଳୁ ଥଣ୍ଡା ହୋଇଗଲାଣି । ସେଥିପ୍ରତି ଲକ୍ଷ୍ୟ ନାହିଁ, ସେ ଭାବୁଥିଲେ ଆଜି ଆଶା କେଉଁଠି ? ସତେ କ’ଣ ସେ ଆଜି ମଧ୍ୟ ତାଙ୍କର ପ୍ରତୀକ୍ଷାରେ ଥିବ ? ନିଜ ପ୍ରଶ୍ନରେ ନିଜେ ଚମକି ପଡ଼ୁଥିଲେ ଦେବପ୍ରିୟ, ଚଳଚିତ୍ର ଜଗତର ସ୍ୱନାମଧନ୍ୟ ଅଭିନେତା ।

 

ଡ୍ରାଇଭର ଖବର ଦେଲା ଜଣେ ତରୁଣୀ ସାକ୍ଷାତ ପ୍ରାର୍ଥୀ । ହଠାତ୍ ଅନ୍ୟମନସ୍କ ଯୋଗୁଁ ମନାକରିପଠାଇଲେ ସେ । ମାତ୍ର ଠିକ୍ ଡ୍ରାଇଭର ଯିବା ପରେ ପରେ ତନ୍ଦ୍ରା ତାଙ୍କର ଭାଙ୍ଗିଗଲା । ଅଭିନେତା ଜୀବନରେ ନିଜ ବାସଭବନରୁ କୌଣସି ବ୍ୟକ୍ତିକୁ ସାକ୍ଷାତ ନ ଦେଇ ଫେରାଇ ଦେଇନାହାନ୍ତି ଦେବପ୍ରିୟ । ଆଉ ଆଜି ସେ ବ୍ୟତିକ୍ରମ କାହିଁକି ? ଚଞ୍ଚଳ ପାଦ ପକାଇ ଡ୍ରଇଂରୁମ୍‍କୁ ପଶିଗଲେ ଦେବପ୍ରିୟ ।

 

ଥର ଥର ପାଦ ଚାଳନା କରି ଫେରିଯାଉଛି ତନ୍ଵୀ ତରୁଣୀଟିଏ ।

 

ଅପେକ୍ଷା କର ।

 

ଥମିଗଲା ଅଳତାସିକ୍ତ ଥର ଥର କୋମଳ ପାଦ ଦୁଇଟିର ଛନ୍ଦାୟିତ ଯମକ । ତରୁଣୀ ଗ୍ରୀବା ତୋଳି ଦୃଷ୍ଟି ଫେରାଇଲେ ।

 

ଦେବପ୍ରିୟ ପ୍ରକୃତିସ୍ଥ ହେଲେ । ସ୍ଵପ୍ନ ଦେଖୁନାହାନ୍ତି ତ ! ମାତ୍ର ଏଇ କେତୋଟି ମୁହୂର୍ତ୍ତ ପୂର୍ବରୁ ଯାହା କଥା ଚିନ୍ତାକରି ଅନ୍ୟମନସ୍କ ଭାବେ ଦର୍ଶନ ପ୍ରାର୍ଥୀ ତରୁଣୀଟିକୁ ମନାକରି ପଠାଇଥିଲେ ସେ ଯେ ତାଙ୍କରି କଳ୍ପନାର କେନ୍ଦ୍ର ଆଶାଲତା ।

 

ଆନନ୍ଦର ଆବେଗରେ ଅଧୀର ହୋଇ ଆଶାର ପାପୁଲି ଦୁଇଟି ଧରିପକାଇ ଦେବପ୍ରିୟ କହିଲେ–ଆଶା, କ୍ଷମାକର ମୋତେ । ଆଜି ଏଠାରୁ ଫେରିଯିବାକୁ ହେବ ନାହିଁ । ତୁମର ଦୀର୍ଘ ପ୍ରତୀକ୍ଷା ସାର୍ଥକ ହୋଇଛି । ତୁମେ ବିଜୟିନୀ !

 

ଆଶାଲତାର ଅର୍ଦ୍ଧ ନିମଳିତ ଚକ୍ଷୁପତା ନଇଁ ଆସୁଥିଲା ଧୀରେ ଧୀରେ । ସେ ଚାହାଁଣିରେ ନଥିଲା ଅଭିମାନ, କ୍ରୋଧ ମାତ୍ର ଉଚ୍ଛୁଳି ଉଠୁଥିଲା ଗଭୀର ସନ୍ତୋଷର ପରିପୂର୍ଣ୍ଣତା । ଦୂର ଦେବାଳୟରୁ ଗମ୍ଭୀର କଣ୍ଠର ଝଙ୍କାର ଭାସି ଆସୁଥିଲା ।

 

ସର୍ବେ ସନ୍ତୁ ନିରାମୟାଃ

ସର୍ବେ ଭବନ୍ତୁ ସୁଖୀନଃ ।

 

ସେପ୍ଟେମ୍ବର ପନ୍ଦର ତାରିଖ ଊଣେଇଶହ ବାଆଷଠୀ ‘ରବିବାର ପ୍ରଜାତନ୍ତ୍ର’ରେ ପ୍ରକାଶିତ ।

Image

 

ଭାରତ ବ୍ଲେଡ୍‍, ହାୱାଇ, ସ୍ଲିପର ଓ ଶ୍ରୀଲେଖା ପେନ୍‍

 

ଛ’ଅଣା ଦୁଇପଇସା କାଠ ଫ୍ରେମ ଦିଆ ମିରର ଉପରେ ଚର୍ ଚର୍ ଭାରତ ବ୍ଲେଡ୍‍ର ଦୁଇପାଖ ଧାର ଘଷିଲେ ଅଭିମନ୍ୟୁ ।

 

ଚକ୍ଷୁରେ ତାଙ୍କର ଅବ୍ୟକ୍ତ ଅନୁରୋଧ–ହେ ସ୍ଵଦେଶୀ ବ୍ଲେଡ୍‍ ! ମାତ୍ର ଆଜି ଥରଟିଏ ଦୟାକର । ଭାଗ୍ୟରେ ଯଦି ଥିବ କାଲି ହୁଏତ ତୁମ ସ୍ଥାନ ପୂରଣ କରିଥିବ ଇଂଲଣ୍ଡ ତିଆରି ସେଭେନ ଓ’ କ୍ଲକ ଅଥବା ଜିଲେଟ ବ୍ରେଡ୍ । ମାତ୍ର ଆଜି ତୁମ ବିନା ସାହାଯ୍ୟରେ ମୁଁ ତପ୍ତ ବୈତରଣୀ ପାର ହୋଇନପାରେ !

 

ରେଜର ମଧ୍ୟରେ ବ୍ଲେଡ୍‍ଟି ପୂରାଇ ପୁଣି ଗୌର ପୃଥୁଳ ଗାଲ ଉପରେ ହାତ ଚଳାଇଲେ ଅଭିମନ୍ୟୁ । ଦଣ୍ଡକାରଣ୍ୟର କ୍ଷୁଦ୍ର ବୃହତ୍ ବୃକ୍ଷଗୁଡ଼ିକୁ ବୁଲଡୋଜର ନିଶ୍ଚିନ୍ତରେ କାଟି ଚାଲିବା ପରି ଭାରତ ବ୍ଲେଡ୍‍ ବୀର ଦର୍ପରେ ଅଭିମନ୍ୟୁଙ୍କର ବହୁଦିନର ପୁରୁଣା ରୁକ୍ଷ ଦାଢ଼ିକୁ କାଟି ଚାଲିଥିଲା ଧୀରେ ଧୀରେ । ଆଶ୍ଵସ୍ତ ହେଲେ ଅଭିମନ୍ୟୁ । ସୂର୍ଯ୍ୟକୁ ଘୋଡ଼ାଇ ରଖିଥିବା ଘନମେଘଖଣ୍ଡ ଚାଲିଗଲେ ଧରଣୀ ବୁକୁ ଯେପରି ଉଜ୍ଜ୍ୱଳ ହୋଇଉଠେ ସେହିପରି କବି ଅଭିମନ୍ୟୁଙ୍କର ମୁଖମଣ୍ଡଳରେ ଆନନ୍ଦର ଆଲୋକ ଖେଳିଗଲା । ତେବେ କଚେରି ପାଖରେ ବସୁଥିବା ସେଇ କଳାଭୁଷୁଣ୍ଡା ଜଉତିଷର କଥା ଠିକ୍ ହେବ । ଯଦି ନ ହୁଏ ତେବେ ? ମୁଖମଣ୍ଡଳରେ ପୁଣି ଶ୍ରାବଣର ବାଦଲ ଛାଇଗଲା । ତେବେ ଗୋଟି ଗୋଟି ହୋଇ ପଚାଶଟି ନୂଆପଇସା ଶ୍ରାଦ୍ଧ ହେବ ତାଙ୍କର । ଅତି କମରେ ତ ଆଠ ଦିନର ସିଗାରେଟ ଖର୍ଚ୍ଚ ଚଳିଯାଇଥାଆନ୍ତା ! ଛାଡ଼, ଗତସ୍ୟ ଶୋଚନା ନାସ୍ତି-। ଯାହା ଯାଇଛି ତାହା ତ ଫେରିଆସିବ ନାହିଁ ।

 

କ’ଣ ଦାଢ଼ିକଟା ପର୍ବ ଆଉ ସରିବ ନାହିଁକି ଆଜି ? ରୋଷାଇ ଘରୁ ଭାସିଆସୁଥିଲା କବିପତ୍ନୀଙ୍କ ଅନୁରାଗ ।

 

ଚମତ୍କାର.....

 

କ’ଣ ?

 

ମୁଖମଣ୍ଡଳ, ଆଜି କନ୍ୟାପକ୍ଷ ଲୋକ ଜୋଇଁ ଦେଖିଆସିବେ ନା କ’ଣ ? ହାତରେ ପିଠାଖଡ଼ିକା ଧରି ଦୁଷ୍ଟାମୀର ହସ ହସି କହିଲେ ଅନୁରାଧା ।

 

ନା ରାଧା, ସେ ସୁଯୋଗ ହୁଏତ ମନୁଷ୍ୟ ଜୀବନରେ ଥରେ ଆସିଥାଏ । କିନ୍ତୁ ତୁମେ ତ ଜାଣ ମୋ ଜୀବନରେ ସେ କଥା ଘଟିପାରି ନାହିଁ । ତା’ ପୂର୍ବରୁ ନିଜେ କନ୍ୟାରତ୍ନ ବର ଗଳାରେ ବରଣମାଳା ଦେଇଥିଲେ ।

 

ହୁଁ ବାହାରିଲା କବି ଚାତୁରୀ, ଥାଉ ସେ ରହସ୍ୟ । ବର୍ତ୍ତମାନ ଶୀଘ୍ର କାମସାର । ଶୁଭ କାମରେ ବିଳମ୍ବ କରିବା ଉଚିତ ନୁହେଁ । ଆଉ ରନ୍ଧାରନ୍ଧିତ ମୋର ସରିଗଲାଣି । ତରତର ହୋଇ ଅନୁରାଧା ରୋଷାଇ ଘରକୁ ଚାଲିଗଲେ ।

 

ଅଭିମନ୍ୟୁ ଚାହିଁରହିଥିଲେ ଅନୁରାଧାର ଚଲାପଥକୁ । ଅନୁରାଧାଙ୍କର ଗୌର କୋମଳ ତନୁଶ୍ରୀରେ ପୂର୍ବର ଲାବଣ୍ୟ ନାହିଁ । ବସ୍ତ୍ର ଓ ପରିପାଟିରେ ଦରିଦ୍ରତାର କରୁଣ ଅଟ୍ଟହାସ୍ୟ । ଧନୀ ଦୁଲାଳୀ ଅନୁରାଧା ଏବଂ ଦୁଃସ୍ଥ କବିପତ୍ନୀ ଅନୁରାଧା ମଧ୍ୟରେ ଆକାଶ ପାତାଳ ପ୍ରଭେଦ । ଧନୀ ଦୁଲାଳୀ ଅନୁରାଧା ଜୀବନରେ ଯେଉଁ ଅସୁମାରି ସପନର ଜାଲ ବୁଣିଥିଲା ଦୁଃସ୍ଥ କବି ଅଭିମନ୍ୟୁଙ୍କର ଜୀବନ ସଙ୍ଗିନୀ ହେବାଦ୍ଵାରା ସେଇ ସ୍ଵପ୍ନ କ’ଣ ଚରିତାର୍ଥ ହୋଇଛି ?

 

କଲେଜ ଜୀବନରେ ଅନୁରାଧା ଥିଲା ସହଧ୍ୟାୟିନୀ । ସେତେବେଳେ ଅଭିମନ୍ୟୁଙ୍କର ତରୁଣ ସାହିତ୍ୟିକ ଭାବରେ ବିଶେଷ ଖ୍ୟାତି ଥିଲା । ମିତଭାଷୀ ଅଭିମନ୍ୟୁ ଲଜ୍ଜାଶୀଳ ପ୍ରକୃତି ହେତୁ ଶ୍ରେଣୀର ସହଧ୍ୟୟିମାନଙ୍କ ସହିତ ଖୁବ୍ କମ୍‍ କଥାବାର୍ତ୍ତା କରୁଥିଲେ ।

 

ଅନୁରାଧାଙ୍କ ସହିତ ପରିଚୟ ଘଟେ ଏକ ରୋମାଞ୍ଚକର ଘଟଣାରେ । ଅଭିମନ୍ୟୁ ପତ୍ରପତ୍ରିକାରେ ଯେଉଁ ଗଳ୍ପ କବିତା, ଲେଖନ୍ତି ଅନେକ ସମୟରେ ଅନୁରାଧା, ତାହାର ଅନ୍ୟ ଦିଗ ରୂପେ ଗଳ୍ପ କବିତା ଜରିଆରେ ଅଭିମନ୍ୟୁଙ୍କୁ ପ୍ରଭାବିତ କରନ୍ତି । ଏହିପରି ଲେଖାଲେଖି ଜରିଆରେ ତାଙ୍କର ବନ୍ଧୁତ୍ଵର ସୂତ୍ରପାତ ହେଲା । ସମୟର ବେଳାଭୂମିରେ ବନ୍ଧୁତ୍ଵର ପାଦଚିହ୍ନ ହୁଏ ସ୍ପଷ୍ଟ ଗଭୀର ଓ ଦୃଢ଼ । ଅୟସ ନନ୍ଦିନୀ ରୂପସୀ ଅନୁରାଧା ଚୌଧୁରୀ ଓ ଅଭିମନ୍ୟୁ ମହାପାତ୍ର..... ଶାଶ୍ଵତ ଦୃଢ଼ ରଜ୍ଜୁରେ ଆବଦ୍ଧ ହୁଅନ୍ତି ।

 

ଲକ୍ଷପତି କଣ୍ଟ୍ରାକ୍ଟର ଅବିନାଶ ଚୌଧୁରୀଙ୍କର ଅଲିଅଳ କନ୍ୟା ବହୁ ଉଚ୍ଚଶିକ୍ଷିତ ଅଫିସରଙ୍କର ଅନୁରୋଧକୁ ଉପେକ୍ଷା କରି ଦୁଃସ୍ଥ ଅଭିମନ୍ୟୁଙ୍କର କବି ପ୍ରତିଭାକୁ ସମ୍ମାନ ଦେଇଥିଲା-। ଅବଶ୍ୟ ସେଥିପାଇଁ ସେ ବନ୍ଧୁବାନ୍ଧବ ସାଙ୍ଗସାଥୀଙ୍କର ତାଚ୍ଛଲ୍ୟର ଶରବ୍ୟ ହୋଇଥିଲା-। ତଥାପି ନିଜର ମନୋନୟନରେ ସେ ଥିଲା ଅଟଳ । କବି ଅଭିମନ୍ୟୁ ପ୍ରତିଭାବାନ ହୋଇପାରନ୍ତି ମାତ୍ର ବୈଷୟିକ ଯୁଗରେ ସେ ମୁଲ୍ୟହୀନ ।

 

କ’ଣ ରାଇଜସାରା ଚିନ୍ତା ଆଜି ତୁମ ମନରେ ? ଅନୁରାଧାଙ୍କ କଣ୍ଠରେ ଅଭିମାନ ।

 

ନାଇଁ ରାଧା, ତୁମେ ଭାତ ବାଢ଼ ମୁଁ ଏଇ ଆସୁଛି । ଅଭିମନ୍ୟୁ କ୍ଷିପ୍ର ଗତିରେ ଚେୟାର ପରିତ୍ୟାଗ କଲେ ।

 

ଶ୍ରୀଲେଖା ସମ୍ବାଦପତ୍ର ଶାସନ ଦପ୍ତର ।

 

ସହସମ୍ପାଦକ ଇଣ୍ଟରଭ୍ୟୁ ଦିବସ ।

 

ପ୍ରଶସ୍ତ ମୋଜାଇକ ହଲରେ ଅପେକ୍ଷାରତ ଅନେକ ଯୁବକ, ପ୍ରୌଢ଼, ବୟସ୍କ, ଓ ତରୁଣୀ । ସମସ୍ତଙ୍କ ହାତରେ ଗୋଟିଏ ଗୋଟିଏ ଫାଇଲ । ବୋଧହୁଏ ସେଇ ଫାଇଲ ଭିତରେ ରହିଛି ନିଜର ବିଭିନ୍ନ ପ୍ରଶଂସା ପତ୍ର । ପୋଷାକପତ୍ରରେ ଉଗ୍ର ଆଧୁନିକତାର ସଂଯତ ଚାକଚକ୍ୟ । କେତେକ ଯୁବକଙ୍କ ଗଳାରେ କଣ୍ଠଲେଙ୍ଗୁଟୀ, ଓଠରେ ଦାମି ସିଗାରେଟର ଭକ୍‍ଭକ୍ ଧୂଆଁ ଛୁଟାଇ ଯୋତା ମଚ୍‍ମଚ୍ କରି ମୋଜାଇକ୍ ବାରନ୍ଦା ଉପରେ ସଗର୍ବରେ ଟହଲ ମାରୁଛନ୍ତି । ସତେଯେପରି ସହସମ୍ପାଦକ ନିଯୁକ୍ତି ପାଇସାରିଛନ୍ତି ସେମାନେ । ମନରେ ଚିନ୍ତା ନାହିଁ, ଓଠରେ କେମିତି ଗୋଟାଏ ବେଖାତିର ହସ ।

 

ଏହିପରି ପରିବେଷ୍ଟନୀ ଦେଖି ମନେମନେ ସଙ୍କୁଚିତ ହେଲେ ଅଭିମନ୍ୟୁ । ନିଜର ରୁକ୍ଷ କଠିନ ପାଦରେ ପତ୍ନୀ ଅନୁରାଧାଙ୍କର ହାୱାଇ ସ୍ଲିପର । ଇସ୍ତ୍ରି ହେଲାପରି ଦେଖାଯାଉଥିବା ଇସ୍ତ୍ରି କରା ନ ହୋଇଥିବା ଧୋତି ପଞ୍ଜାବି ଉପରେ ଆହତ ଚକ୍ଷୁ ବୁଶାଇଆଣି ଦୀର୍ଘନିଶ୍ୱାସ ଛାଡ଼ିଲେ ଅଭିମନ୍ୟୁ । ଚୋରୀ କରୁଥିବା ଲୋକ ସାଥୀ ଏକ ଚୋରକୁ ଦେଖିଲେ ଯେପରି ଆନନ୍ଦିତ ହୁଏ, ସେହିପରି ଅଭିମନ୍ୟୁଙ୍କ ମନରେ କିଞ୍ଚିତ ଆନନ୍ଦର ଫଲ୍‍ଗୁ ଝରିପଡ଼ିଲା । ସେହି ଚହଟ ଚିକ୍‍କଣ ଗୋଷ୍ଠୀରେ ତାଙ୍କପରି ଦୁଇ ତିନିଜଣ ସହଧର୍ମୀ ଅଛନ୍ତି । ତେବେ ସେ ଗୋଷ୍ଠୀଛଡ଼ା ନୁହଁନ୍ତି !

 

ମନରେ ପୁଣି ପାପ ଛୁଉଁଥାଏ । ସେଇ କଚେରି ପାଖ ବରଗଛ ମୂଳରେ ବସୁଥିବା କାଳିଆ ଭୁଷୁଣ୍ଡା ଜଉତିଷ ତ କେତେ ଦମ୍ଭରେ କଥା ଦେଇଛି । ଦେଖାଯାଉ କ’ଣ ହେଉଛି ।

 

ସମବେତ ଅପେକ୍ଷାମାନ ଜନତାର କୋଳାହଳ ସ୍ଥଗିତ ହୋଇଗଲା ।

 

ଇଣ୍ଟରଭ୍ୟୁ ଆରମ୍ଭ ହୋଇଯାଇଛି ।

 

ଏକ......

 

ଦୁଇ...

 

ତିନି......

 

ଆଠ......ଆଠଜଣ ପ୍ରାର୍ଥୀ ବିଦାୟ ନେଲେଣି ।

 

ତେବେ ଅଭିମନ୍ୟୁଙ୍କର ପାଳି କ’ଣ ଆସିବ ନାହିଁ ଅଥବା ଦରଖାସ୍ତଟା ହଜିଯାଇଛି ।

 

ଗଭୀର ଚିନ୍ତା ଓ ଦୁଃଖରେ ହତୋତ୍ସାହ ହୋଇପଡ଼ୁଥିଲେ କବି ଅଭିମନ୍ୟୁ ।

 

ନାକପୁଡ଼ାରେ ନିଶ୍ଵାସର ଗତି କମିଆସୁଥିଲା ଧୀରେ ଧୀରେ ।

 

ତଣ୍ଟି ଅଠା ଅଠା ହୋଇ ଆସୁଥିଲା ।

 

ଅଭିମନ୍ୟୁ ମହାପାତ୍ର.....ପିଅନର ଗୁରୁଗମ୍ଭୀର କଣ୍ଠ ଭାସିଆସିଲା ।

 

ସରୁହସର ତରଙ୍ଗଟିଏ ଖେଳିଗଲା ଅଭିମନ୍ୟୁଙ୍କର ଶୁଷ୍କ ଓଠରେ ।

 

ମୋଟା ପରଦା ଠେଲି ଧୀର ପଦକ୍ଷେପରେ ଉଦ୍ଧିଷ୍ଠ ଆସନ ଗ୍ରହଣ କଲେ କବି ଅଭିମନ୍ୟୁ-

 

ପରୀକ୍ଷକ ଦଳ ଘେରି ରହିଛନ୍ତି ଶାଣିତ ନୟନରେ ।

 

ମଣିଷଖିଆ ବାଘବ୍ୟୁହ ମଧ୍ୟରେ ଗୋଟିଏ ନିରୀହ ଛାଗଳ ।

 

ମୁଖମଣ୍ଡଳକୁ ଯଥାସାଧ୍ୟ ପ୍ରଫୁଲ୍ଲ ଓ ସତେଜ ରଖିବାକୁ ଚେଷ୍ଟା କରୁଥିଲେ ଅଭିମନ୍ୟୁ ।

 

ହଠାତ୍ ବିଚାରକମଣ୍ଡଳୀ ମଧ୍ୟରୁ ଅପେକ୍ଷାକୃତ ବୟସ୍କ ବ୍ୟକ୍ତି ପ୍ରଶ୍ନ କଲେ–ଆପଣଙ୍କର କେଉଁ ପେନ୍ ଅତି ପ୍ରିୟ ।

 

ଶ୍ରୀଲେଖା ପେନ୍‍ ଆଜ୍ଞା ।

 

ହୁଁ, ଗମ୍ଭୀରଭାବେ ଅଭିମନ୍ୟୁଙ୍କର ପ୍ରଶଂସାପତ୍ର ଉପରେ ଇଗଲ ଦୃଷ୍ଟି ସଞ୍ଚାଳନ କରୁ କରୁ ପଚାରିଲେ ସେଇ ପ୍ରୌଢ଼ ।

 

ଆପଣ କେଉଁ ବ୍ଲେଡରେ ଦାଢ଼ି କାଟନ୍ତି ?

 

ଏକ ଅପ୍ରତ୍ୟାଶିତ ପ୍ରଶ୍ନରେ ଚକିତ ହୋଇପଡ଼ିଲେ ଅଭିମନ୍ୟୁ । କ’ଣ ଠିକ୍ ଶୁଣୁଛନ୍ତି ତ ସେ-। ପୁଣି ପ୍ରଶ୍ନ ତୋଳିଲେ ପ୍ରଶ୍ନକର୍ତ୍ତା ।

 

ଆଜ୍ଞା ମୁଁ ଭାରତ ବ୍ଲେଡ୍‍ ବ୍ୟବହାର କରେ, ଶସ୍ତା ସୁବିଧା ମଜଭୂତ ।

 

ହସିଲେ ପ୍ରଶ୍ନକର୍ତ୍ତା ଓ ବିଚାରକ ମଣ୍ଡଳୀ । ଅଭିମନ୍ୟୁ ମଧ୍ୟ ତହିଁରେ ଯୋଗଦେଲେ ।

 

ଆପଣଙ୍କର ବୟସ ?

 

୩୪ ବର୍ଷ ୧୧ ମାସ ୧୫ ଦିନ.....

 

ଆପଣ ବିଜ୍ଞାପନ ଭଲରୂପେ ପଢ଼ିଥିଲେ ?

 

ଆଜ୍ଞା ହଁ ।

 

ବିଜ୍ଞାପନରେ ଦିଆଯାଇଥିଲା ୩୫ ବର୍ଷ ବା ତହିଁରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି କେବଳ ଆବେଦନ କରିବେ ।

 

ଆଜ୍ଞା, ୩୪ ବର୍ଷ ୧୧ ମାସ ୧୫ ଦିନ ଗାଣିତିକ ସୂତ୍ରରେ ପ୍ରାୟ ୩୫ ବର୍ଷ । ତେଣୁ.......

 

ବଚାରକ ମଣ୍ଡଳୀ ମଧ୍ୟରୁ ଜଣେ ପତଳା ଚଷମା ପିନ୍ଧା ବ୍ୟକ୍ତି ହସି ହସି ପଚାରିଲେ ।

 

ଆଚ୍ଛା ଅଭିମନ୍ୟୁ ବାବୁ, ଆପଣ କ’ଣ ଏଇ ହାୱାଇ ସ୍ଲିପର ସବୁବେଳେ ବ୍ୟବହାର କରିଥାଆନ୍ତି ।

 

ଆଜ୍ଞା ହଁ, ବେଶ୍ ମଜଭୁତ, ଏଇ ଶ୍ରୀଲେଖା ସୁ ମିଉଜିଅମରୁ କିଣିଥିଲି । ତିନିବର୍ଷ ଚାଲିଗଲାଣି । ଆଉ କେତେଦିନ ଯାଇପାରେ ।

 

ଆଚ୍ଛା ଧନ୍ୟବାଦ । ଆପଣ ଯାଇପାରନ୍ତି । ଡାକରେ ଆପଣଙ୍କୁ ଇଣ୍ଟରଭ୍ୟୁ ଫଳାଫଳ ଜଣାଇ ଦିଆଯିବ ।

 

ପରଦା ଠେଲି ବାହାରକୁ ଆସିଲେ କବି ଅଭିମନ୍ୟୁ ।

 

ପୂର୍ବରୁ ସରାଗ ମରିଯାଇଥିଲା ମନରୁ ।

 

କ’ଣ ଏଣୁ ତେଣୁ ଗୁଡ଼ାଏ ପ୍ରଶ୍ନ ପଚରାଗଲା ତାକୁ । ଏଥିରେ ସହସମ୍ପାଦକ ଚାକିରି ଆଶା କରିବା ପରମ ଦିବା ସ୍ଵପ୍ନ ।

 

ଫେରି ଆସୁଥିଲେ ନିରାଶ ହୃଦୟରେ ।

 

ହଠାତ୍ ଦୁଇଗଜ ପଛକୁ ଫେରି ଦରୁଆନକୁ ପଚାରିଲେ ସେଇ ପୌଢ଼ ବ୍ୟକ୍ତିଙ୍କର ପରିଚୟ-

 

ପରୀକ୍ଷକ ପୌଢ଼ ବ୍ୟକ୍ତି ଖୋଦ ସମ୍ବାଦପତ୍ରର ମାଲିକ । ବଡ଼ ଖାମ୍‍ଖିଆଲି ଲୋକ । ସହରରେ ଅନ୍ୟାନ୍ୟ ଶିଳ୍ପ ପ୍ରତିଷ୍ଠାନ ମଧ୍ୟ ତାଙ୍କର ଅଛି ।

 

ଅଳସ ପାଦ ପକାଇ ଫେରିଲେ ଅଭିମନ୍ୟୁ । ଏପ୍ରିଲର ଦୀପ୍ତ ସୂର୍ଯ୍ୟ ତପ୍ତ ଲୌହ ଖଣ୍ଡପରି ଜଳିଉଠୁଥିଲା ମଧ୍ୟାହ୍ନ ଆକାଶରେ ।

 

ଦୁଇଦିନ ପରେ ।

 

କବି ଅଭିମନ୍ୟୁଙ୍କର ‘କବି ନିକେତନ’ରେ ଅଦିନିଆ ମେଘପରି ପୋଷ୍ଟମେନର ସାଇକେଲ ବ୍ରେକ୍ ଘସିଲା ।

 

ଶଙ୍କିତ ହୃଦୟରେ କମ୍ପିତ ହସ୍ତରେ ଅଭିମନ୍ୟୁ ଲଫାପା ଚିରିଲେ । ସୁ ଅଥବା କୁ ଯେଉଁ ଖବର ହେଲେ ମଧ୍ୟ ଦେଖିବାକୁ ହେବ ।

 

ନିଜ ଚକ୍ଷୁକୁ ମଧ୍ୟ ବିଶ୍ୱାସ କରିପାରୁନଥିଲେ ଦୁଃସ୍ଥ କବି ଅଭିମନ୍ୟୁ ମହାପାତ୍ର । ସତେ କଳା ଭୁଷୁଣ୍ଡା ଜଉତିଷର କଥା ସତ ହୋଇଛି ! ହାତୀ ଶେଷରେ ତାଙ୍କରି ମୁଣ୍ଡ ଉପରେ ସୁନା କଳସ ଢାଳିଛି ।

 

ସାତଦିନ ପରେ ଶ୍ରୀଲେଖା ସମ୍ବାଦପତ୍ରର ସହସମ୍ପାଦକରୂପେ ଯୋଗଦେବା ପାଇଁ ନିର୍ଦ୍ଦେଶ ଆସିଛି । ଅସୀମ ଆନନ୍ଦରେ ଅଭିମନ୍ୟୁ ଡାକ ପକାଇଲେ–ରାଧା.....ରାଧା.....ସ୍ଵାମୀଙ୍କର ଅବେଳରେ ଅଦିନିଆ ଆହ୍ଲାଦ ଡାକ ଶୁଣି ଅନୁରାଧା କାମ ଛାଡ଼ି ଆସି କବିଙ୍କ ନିକଟରେ ପହଞ୍ଚିଲେ-

 

ଶୁଣିଲଣି ଅନୁରାଧା, ଭାରତ ବ୍ଲେଡ୍‍, ହାୱାଇ ସ୍ଲିପର ଶ୍ରୀଲେଖା ପେନ୍‍ର ଆଜି ବିଜୟ ହୋଇଛି । ସେମାନେ ମୋର ଚିର ନମସ୍ୟ !

 

ଅଭିମନ୍ୟୁଙ୍କ ହାତରୁ ଚିଠିଟି ଧରି ପଢ଼ୁଥିଲେ ଅନୁରାଧା ।

 

ନାଲିକଇଁ ପାଖୁଡ଼ାପରି ଓଠ ଦିଫାଳିରେ ଉକୁଟି ଉଠୁଥିଲା ହସ । ପ୍ରଗଲ୍‍ଭା ଛଳଛଳ ତଟିନୀଟିଏ ।

Image

 

ଶାପ ମୋଚନ

 

ଆଜ୍ଞା ଚାହା କରିବି ? ପଚାରିଲା ପଞ୍ଚସଖା ମେସ୍‍ର ପୂଝାରି ରଥିଆ ।

 

ଆରେ ଆଜିର ଏମିତି ମୁଲାୟମ ପାଗକୁ ଚାହା କ’ଣ ଚଳିବ ? ଶୁଣ, ଦୁଧ ବେଶୀ ଦେଇ କଡ଼ା କଫି ପାଞ୍ଚକପ୍‍ ଆଣ । ରବିବାର ସନ୍ଧ୍ୟାର ଅବିରାମ ବାରିଧାରା ଉପରୁ ଦୃଷ୍ଟି ନ ଫେରାଇ କହିଲେ ଶିବଚରଣ । ତାଙ୍କର ଓଠ ଦିଫାଳିରୁ ବାହାରୁଥିବା ମେନ୍ଥଲଟିପଡ୍ ସିମଲାର ଧୂଆଁ ଛୋଟ ବଡ଼ ରଙ୍ଗ ସୃଷ୍ଟି କରୁଥିଲା ଆର୍ଦ୍ର ବାୟୁମଣ୍ଡଳରେ । ପ୍ରକୋଷ୍ଠରେ ବସିଥିବା ଚାରିବନ୍ଧୁ ନୀରବରେ ଶିବବାବୁଙ୍କର କଥା ଅନୁମୋଦନ କରୁଥିଲେ ।

 

ପାଞ୍ଚଜଣ ବନ୍ଧୁଙ୍କୁ ନେଇ ଓଡ଼ିଆ ମେସ୍‍ ପଞ୍ଚସଖାର ମୂଳଦୁଆ ପଡ଼ିଥିଲା ମହାନଗରୀ କଲିକତାର ଜନଗହଳଠାରୁ ଦୂର ବେହେଲାରେ ଗୋଟିଏ ଦ୍ଵିତଳ ଭଡ଼ାଘରେ । ନାନା ଝଡ଼ଝଞ୍ଜା, ଉତ୍‍ଥାନ ପତନ ମଧ୍ୟରେ ବଞ୍ଚିରହିଛି ପଞ୍ଚସଖା ମେସ୍‍ । ଓଡ଼ିଶାର ବିଭିନ୍ନ ପ୍ରାନ୍ତର ଶିକ୍ଷା ସଂସ୍କୃତି ଐତିହର ପ୍ରତିନିଧିତ୍ଵ କରୁଥିଲେ ପଞ୍ଚସଖା ମେସ୍‍ର ପାଞ୍ଚବନ୍ଧୁ । ମେସ୍‍ର ସବୁଠାରୁ ବୟସ୍କବ୍ୟକ୍ତି ଥିଲେ କାମପାଳ ବାବୁ, ସ୍ଥାନୀୟ ଜୀବନବୀମା କର୍ପୋରେସନର ସୁପ୍ରତିଷ୍ଠିତ ଏଜେଣ୍ଟ । ଚିନ୍ତାଭରା ମନରେ ସେ ମଧ୍ୟ ଉପଭୋଗ କରୁଥିଲେ ବାଦଲ ଘେରା ସନ୍ଧ୍ୟାର ଅବିରାମ ବାରିଧାରାକୁ ।

 

ଆଜିର ଏ ଲୋଭନୀୟ ସନ୍ଧ୍ୟାକୁ ବର୍ଷା ମାଟି କରିଦେଲା । କଥାପଦକ କହି ବନ୍ଧୁଗଣଙ୍କର ଅନୁମୋଦନ ଆଶା କରୁଥିଲେ ରମଣୀରଞ୍ଜନ । ଠିକ୍ ଏଇ ସମୟରେ ପାଞ୍ଚକପ୍ ଗରମ କଫି ଧରି ପ୍ରବେଶକଲା ରଥିଆ । ତେଣୁ ସମସ୍ତଙ୍କର ସମ୍ମିଳିତ ଦୃଷ୍ଟି କଫି କପ୍ ଉପରେ ନିବିଷ୍ଟ ରହିଲା ।

 

ଧୂମାୟିତ କଫି କପରେ ମୃଦୁ ଚୁମ୍ବନ ଦେଇ ପଞ୍ଚସଖା ମେସ୍‍ର ସବୁଠାରୁ ଗପୁଡ଼ି ଶଶୀବାବୁ ଗଳା ଝାଡ଼ି ବକ୍ତୃତା ଦେବା ଠାଣିରେ କହିଲେ–ବନ୍ଧୁଗଣ, ରବିବାରର ଏପରି ଏକ ମନୋରମ ସନ୍ଧ୍ୟାର ବାତାବରଣ ନୀରସ ନୀରବରେ କଟାଇଦେବା ଅବିବେକତା ହେବ ନାହିଁ କି-? ତେଣୁ ମୁଁ ଅନୁରୋଧ କରୁଛି କାମପାଳ ବାବୁ ବର୍ତ୍ତମାନ ଗୋଟିଏ ରସରସିଆ ଗପ କହି ଆମ୍ଭମାନଙ୍କର ଚିତ୍ତରଞ୍ଜନ କରନ୍ତୁ । ଟେବୁଲ୍‍ ବାଡ଼େଇ ଏକ ସ୍ଵରରେ ସମସ୍ତେ ଶଶୀବାବୁଙ୍କର କଥା ଅନୁମୋଦନ କଲେ ।

 

କାମପାଳ ବାବୁଙ୍କର ଗାମ୍ଭୀର୍ଯ୍ୟ ଭାଙ୍ଗିଗଲା ।

 

ଉଦାସ ମୁଖମଣ୍ଡଳରେ ଖେଳିଗଲା ହସର ଝଲକ, ସତେଯେପରି ଗୋଟିଏ ପଚାଶ ହଜାର ଟଙ୍କାର ଇନସୁରେନ୍‍ସ କେସ୍‍ ପାଇଛନ୍ତି ସେ !

 

କାମପାଳ ବାବୁ କଫି ଉପରେ ଶେଷ ସ୍ପର୍ଶ ଦେଇ ଗଳା ଝାଡ଼ିଲେ । ମଡ଼ାକୁ କ୍ଷୁଧିତ ଶାଗୁଣା ବେଢ଼ିଗଲାପରି ବନ୍ଧୁଗଣ ନିଜ ନିଜର ପରିସର ସଙ୍କୁଚିତ କରିଆଣିଲେ ।

 

କାମପାଳ ବାବୁ ଚାରିଆଡ଼େ ଆଖି ବୁଲାଇଆଣି ଆରମ୍ଭ କଲେ ।

 

ସେତେବେଳେ ମୁଁ କଲିକତାରେ ନୂଆ ପାଦ ଦେଇଥାଏ । ଇନ୍‍ସୁରେନ୍‍ସ ଏଜେନ୍‍ସି ନେଇ ମହାନଗରୀ କଲିକତାରେ ଇତସ୍ତତଃ ଘୂରିବୁଲୁଥାଏ । ଜୀବନବୀମା ଏଜେଣ୍ଡର ବୁଲିବା ପ୍ରଧାନ ଧନ୍ଦା । ଫେରୁ ଫେରୁ କେତେବେଳେ ରାତି ୧୦ଟା ବା ୧୧ଟା ହୋଇଯାଏ । ବେହେଲା ଟ୍ରାମ ଷ୍ଟପେଜ୍ ପାଖରେ ଗୋଟିଏ ପାନ ଦୋକାନ ଆପଣମାନେ ପ୍ରାୟ ସମସ୍ତେ ଦେଖିଥିବେ ।

 

ଆଙ୍କା ବାଁ ପାଖରେ ସେଇ ଚାଟାର୍ଜୀ ପାନ ଦୋକାନ ତ, ଭାରି ଭଲ ସାଧାପାନ ଭାଙ୍ଗେ । କୁହାଳିଆ ଶଶୀବାବୁ ଟିପ୍‍ପଣୀ କଲେ ।

 

ହଁ ସେଇ ପାନଦୋକାନ । ଚାଟାର୍ଜୀ ପାନଦୋକାନରୁ ଚାରିଖିଲ ପାନଧରି ଫେରିବା ମୋର ଏକ ନିତିଦିନଆ ଅଭ୍ୟାସ ।

 

ପାନବଟାରୁ ଖଣ୍ଡିଏ ପାନ ବାହାର କରି ଖାଉ ଖାଉ କହିଲେ, କାମପାଳ ବାବୁ ।

 

ଦିନକର ଘଟଣା । ଚାଟାର୍ଜୀ ଦୋକାନରୁ ପାନ ନେଇ ଧୀରେ ଧୀରେ ମୁଁ ଦୋକାନ ଛାଡ଼ିଛି କି ନାହିଁ ହଠାତ୍ ପଛରୁ କାହାର ତାଚ୍ଛଲ୍ୟ ଟିପ୍ପଣୀ କାନରେ ପଡ଼ିଲା ।

 

ମୋସାଏ......

 

ପଛକୁ ଫେରି ଚାହିଁଲି । ଜନଗହଳି କ୍ଷୀଣ ହୋଇ ଆସୁଥିଲା । ବେଶୀଦୂର ନୂହେଁ, ଅଳ୍ପ କେତେ ଗଜ ଦୂରରେ ତିନି ତନ୍ଵୀ ତରୁଣୀ ଆସୁଥିଲେ । ପ୍ରସାଧନ ଓ ପରିଚ୍ଛେଦର ଉଗ୍ର ପରିପାଟୀ-। ଲେଭେଣ୍ଡରର ମହକରେ ଅଞ୍ଚଳଟିର ବାୟୁମଣ୍ଡଳ ମହକି ଉଠୁଥିଲା । ବିଶେଷ ଗୁରୁତ୍ଵ ଆରୋପ ନ କରି ମୁଁ ନୀରବରେ ଅଗ୍ରସର ହେଲି । କଲିକତା ରାଜପଥରେ ରାତ୍ରି ତୃତୀୟ ଯାମରେ ମଧ୍ୟ ତନ୍ଵୀ ତରୁଣୀ ରାତ୍ରି ଅଭିସାରରେ ବାହାରନ୍ତି । ମୋ ପଛେ ପଛେ ଅନେକ ବାଟ ଆସିବାପରେ ସେମାନେ ଏକ ଅନ୍ଧାରୁଆ ଗଳି ମଧ୍ୟରେ ଅଦୃଶ୍ୟ ହୋଇଗଲେ ।

 

ତା’ ପରଦିନ । କଥା ପ୍ରସଙ୍ଗରେ ଜଣେ ସହକର୍ମୀ ବନ୍ଧୁଙ୍କୁ ରାତ୍ରିର ସେଇ ତିନି ତନ୍ଵୀ ତରୁଣୀଙ୍କ ବିଷୟ ବର୍ଣ୍ଣନା କରୁଥିଲି । ବନ୍ଧୁ, ସବୁ ଶୁଣି ଓଠରେ ସରୁ ହସର ଝରଣାଟିଏ ଝରାଇ କହିଲେ–ବନ୍ଧୁବର ! କେଉଁ ତରୁଣୀ ପ୍ରେମରେ ପଡ଼ିନାହାନ୍ତି ତ ଆପଣ ?

 

ହସି ହସି କହିଲି ମୁଁ–ପ୍ରେମରେ ପଡ଼ିବା ବୟସଠାରୁ ଅନେକ ଦୂରରେ ଯାଇଛି ଆଜ୍ଞା ।

 

ଦୂର ପଲ୍ଲୀ ପ୍ରାନ୍ତରେ ଛାଡ଼ିଆସିଛି ମୋର ମାନସୀ, ପ୍ରେମିକା, ଧର୍ମପତ୍ନୀ ସବୁ କିଛି ।

 

ବନ୍ଧୁ ହସିଲେ–ଆପଣ ଏଇ ମାତ୍ର କଲିକତାରେ ପାଦ ଦେଇଛନ୍ତି । ବିଚିତ୍ର ଏଇ କଲିକତା, ତା’ର ପରିବେଷ୍ଟନୀ । ଅପେକ୍ଷା କରନ୍ତୁ ଅନେକ କଥା ଦେଖିବେ, ଅନେକ କଥା ଶୁଣିବେ, କିନ୍ତୁ ମନେରଖିବେ ସବୁଠାରୁ ନିଜକୁ ଦୂରରେ ରଖିବେ । ଗୋଟିଏ କଥା ମନେରଖିବେ, ସମୟ ସମୟରେ ଆପଣ ଅନେକଙ୍କୁ ଭଦ୍ରଘରର ଶିକ୍ଷିତା ତରୁଣୀ ମନେକରିବେ କିନ୍ତୁ ଦେଖିବେ ସେଇମାନେ ଗୋଟିଏ ଗୋଟିଏ ମାରାତ୍ମକ ଜନ୍ତୁ, ସମାଜର ଦୁଷ୍ଟ ବ୍ରଣ, ଗଣିକା, ରୂପଜୀବୀ–ବେଶ୍ୟା !

 

ବେଶ୍ୟା.......ଗଣିକା.......ରୂପଜୀବୀ....... ??? ଚମକି ପଡ଼ିଲି ମୁଁ । ତେବେ ସେମାନେ କ’ଣ ଗଣିକା ହୋଇପାରନ୍ତି ?

 

ମୋର ଆଶଙ୍କା ଅମୂଳକ ନୁହେଁ । ଚାରି ପାଞ୍ଚଦିନ କ୍ରମାଗତ ଲକ୍ଷ୍ୟ କଲି ଠିକ୍ ପାନଦୋକାନରୁ ଫେରିବା ସମୟରେ ସେମାନେ ସେଇ ଗଳି ପର୍ଯ୍ୟନ୍ତ ମୋତେ ଅନୁସରଣ କରୁଛନ୍ତି । ମନ ମଧ୍ୟରେ ସେମାନଙ୍କ ପ୍ରତି ଘୃଣା ଦୃଢ଼ୀଭୂତ ହେଉଥିଲା । ହଠାତ୍ ଦିନେ ତିନି ତନ୍ଵୀ ତରୁଣୀଙ୍କର ସଂଖ୍ୟା ହ୍ରାସପାଇ ଏକରେ ପହଞ୍ଚିଲା । ସେଦିନ ରାତ୍ରିର ସେଇ ନୀରବ ସହରରେ ନିକାଞ୍ଚନ ରାଜପଥରେ ତରୁଣୀଟି ଅନ୍ଧାରୁଆ ଗଳି ପାରହୋଇ ମୋ ନିକଟକୁ କ୍ରମଶଃ ଲାଗି ଆସିଲା । କଣ୍ଠରେ ଅଶ୍ଳୀଳ ସିନେମା ସଙ୍ଗୀତ, ଓଠରେ ମୁରୁକି ମୁରୁକି ହସ, ମାଦକଭରା ନୟନ ଯୁଗଳରେ କାମନାର କଟାକ୍ଷ ।

 

ମନ ଭିତରେ ଗୁମୁରି ଉଠୁଥିବା ସମସ୍ତ କ୍ରୋଧ ଘୃଣାକୁ ଚାପିରଖି ପଚାରିଲି–କ’ଣ ତୁମର ନାମ ?

 

ମୋର ଆଗ୍ରହ ଦେଖି ସେ ଆହୁରି ନିକଟକୁ ଚାଲିଆସି ହସି ହସି କହିଲା–ଚିତ୍ରା ।

 

ରାସ୍ତାଧାରର ଲାଇଟ ପୋଷ୍ଟର ଉଜ୍ଜ୍ୱଳ ଆଲୋକ ତା’ର ଦେହ ଉପରେ ଝରିପଡ଼ିଥିଲା । କି ଚମତ୍କାର ଗଠନ ଭଙ୍ଗୀ ତନୁଶ୍ରୀର । ଆଖି, ନାକ, ଓଠ ସବୁଥିରେ ଲୀଳାୟିତ ଛନ୍ଦର ସମନ୍ଵୟ । ସୃଷ୍ଟିର ସମସ୍ତ କଳା ଓ ସୌନ୍ଦର୍ଯ୍ୟ ଯେପରି କେନ୍ଦ୍ରୀଭୂତ ହୋଇଛି ତା’ରି ଦେହରେ । ତଥାପି କାହିଁକି ସେ ବାଛିନେଲା ଏଇ ଗଣିକାର ଅଭିଶପ୍ତ ଜୀବନ ।

 

ରାଜପଥ ଉପରେ ଜନତାର ଗହଳି କମିଆସୁଥିଲା । ଲାଇଟ ପୋଷ୍ଟର ଅଦୂରରେ ଏକ ବିସ୍ତୀର୍ଣ୍ଣ ଘାସପଡ଼ିଆ ଦିଗକୁ ଅନୁସରଣ କରିବାକୁ ଚିତ୍ରାକୁ ନିର୍ଦ୍ଦେଶ ଦେଲି । ଚିତ୍ରା ନମ୍ର ଭାବରେ ମୋତେ ଅନୁସରଣ କଲା । ତଳେ ବିସ୍ତୀର୍ଣ୍ଣ କୋମଳ ସବୁଜ ଗାଲିଚା, ଉପରେ ନୀଳ ଆକାଶ । ଆମେ ଦୁହେଁ ବସିଲୁ । ଚିତ୍ରା ମୋତେ ପୁନଃ ପୁନଃ ଲାଜୁଆ ଆଖିରେ ଚାହୁଁଥିଲା ।

 

ଆକାଶରେ ଉଇଁ ଆସୁଥିବା ଅଜଣା ତିଥିର ଚନ୍ଦ୍ର ଉପରେ ଦୃଷ୍ଟିରଖି ମୁଁ ପଚାରିଲି–ଚିତ୍ରା, ତୁମେ କେତେଯାଏ ପାଠ ପଢ଼ିଛ ?

 

କପାଳ ଉପରେ ଝୁଲିପଡ଼ିଥିବା ଚୂର୍ଣ୍ଣ କୁନ୍ତଳକୁ ତର୍ଜନୀରେ ମୋଡ଼ୁ ମୋଡ଼ୁ କହିଲା–ମ୍ୟାଟ୍ରିକୁଲେସନଯାଏ ପଢ଼ିଛି । କିନ୍ତୁ ଆଖିରେ ତା’ର ଲୋତକ ବିନ୍ଦୁ ଢଳ ଢଳ ହେଲା । ସହାନୁଭୂତି କଣ୍ଠରେ କହିଲି କୁହ ଚିତ୍ରା, ଏଇ ପ୍ରଶ୍ନ ପଚାରିବାଦ୍ଵାରା ତୁମ ମନରେ କଷ୍ଟ ଦେଇଛି କି-?

 

ଚିତ୍ରା ହଠାତ୍ ଅଶ୍ରୁପୋଛି କହିଲା ନା... ନା.. ତା’ ନୁହେଁ । ଟେଷ୍ଟ ପରୀକ୍ଷା ଅଳ୍ପଦିନ ମାତ୍ର ଥାଏ, ବାପା ଗୋଟିଏ ମୋଟର ଦୁର୍ଘଟଣାରେ ଗୋଡ଼ ହରାଇଲେ । ସେଇଦିନଠାରୁ ପାଠପଢ଼ା ବନ୍ଦ ହେଲା ।

 

ଚିତ୍ରା, ତୁମେ ଯେଉଁ ପନ୍ଥା ଅବଲମ୍ବନ କରିଛ ତାହା କ’ଣ ତୁମର ବଂଶଗତ ?

 

ହଠାତ୍ ଅପ୍ରତ୍ୟାଶିତ ଏ ପ୍ରଶ୍ନରେ ସେ ଲଜ୍ଜିତ ହେଲା ବୋଧହୁଏ । ତା’ର ଇତସ୍ତତଃ ଭାବ ଲକ୍ଷ୍ୟକରି ମୁଁ କହିଲି ଚିତ୍ରା, ତୁମର ଯାହା ପ୍ରାପ୍ୟ ତାହା ମୁଁ ଦେବି, ମାତ୍ର ମୋ ପ୍ରଶ୍ନର ଉତ୍ତର ଦେଲେ ମୁଁ ବିଶେଷ ଖୁସି ହେବି ।

 

ମୋ କଥା ତା’ର ହୃଦୟକୁ ସ୍ପର୍ଶ କଲା । ଲାସ୍ୟଭରା କୋମଳ ମୁଖମଣ୍ଡଳରେ କାରୁଣ୍ୟ ପ୍ରକାଶ ପାଇଲା । ତଥାପି ସହଜ ଗଳାରେ ସେ କହିଲା–ଆଜ୍ଞା ଏ ବୃତ୍ତି ବଂଶଗତ ନୁହେଁ । କେବଳ ଦରିଦ୍ରତାର ଦାୟରେ ପଡ଼ି, ଦୁଇଓଳିର ଅନ୍ନସଂସ୍ଥାନ ପାଇଁ ନାରୀ ଜୀବନର ଲଜ୍ଜା, ମାନ, ମହତ୍ତ୍ଵ ଭୁଲି ବରିନେଇଛି ଏଇ ଘୃଣ୍ୟ ଲାଞ୍ଛିତ ବ୍ୟବସାୟ !

 

ଦୁର୍ଘଟଣା ଫଳରେ ବାପାଙ୍କର ଝୋଟକଳ ଚାକିରି ଗଲା । ଘରେ ରୁଗ୍‍ଣା ମା’, ତଳେ ଦୁଇଟି ଭାଇ ଓ ଭଉଣୀ । ସମସ୍ତେ ନିର୍ଭର କଲେ ମୋ ଉପରେ । ମୋର ଶିକ୍ଷା ଏଯୁଗରେ ଗୋଟିଏ ସମ୍ମାନଜନକ ଚାକିରିପାଇଁ ଯଥେଷ୍ଟ ନୁହେଁ ।

 

ତଥାପି ମାସ ମାସ ଧରି ଚାକିରି ପାଇଁ ଘୂରିବୁଲିଲି ଚାରିଆଡ଼େ । ମାତ୍ର ବୃଥା ହେଲା ସବୁ ଚେଷ୍ଟା । ଯେଉଁ ଚାକିରିର ଆଶା ଦେଖେ ସେଇଠି ଦେଖେ ପ୍ରଚ୍ଛନ୍ନ କାମନା ଓ କ୍ଷୁଧାର ଇଙ୍ଗିତ । ଗୋଟିଏ ଅସହାୟ ନିରୀହା ନାରୀର ଯୌବନକୁ ଲୁଟି ନେବାର ଦୁର୍ଦ୍ଦାନ୍ତ ଅଭିଳାଷ । ମଣିଷ ସବୁ ସହିପାରେ ମାତ୍ର ସର୍ବଗ୍ରାସୀ କ୍ଷୁଧାର ତାଡ଼ନା ଅସହ୍ୟ । ଇଚ୍ଛା ନଥିଲେ ମଧ୍ୟ ପରସ୍ଥିତିରେ ପଡ଼ି ବାପା, ମା’, ଭାଇ, ଭଉଣୀଙ୍କର ମୁହଁରେ କେଇଟି ଅନ୍ନକଣା ଦେବାପାଇଁ ବରିନେଲି ଚିର ଅଭିଶପ୍ତ ଘୃଣ୍ୟ ଏଇ ଜୀବନ ।

 

ଚିତ୍ରାର ଆୟତ ନୟନରୁ ଝରିପଡ଼ୁଥିଲା ଧାର ଧାର ଲୁହ । ସତେଯେପରି ଆଜି ପ୍ରଥମ ସେ ନିଜ ଜୀବନର କରୁଣ କାହାଣୀ କହିଦେଇ ଶାନ୍ତି ଅନୁଭବ କରୁଛି ।

 

ମୁଁ କହିଲି–ଚିତ୍ରା, ତୁମେ ପାଠ ପଢ଼ିଛ, ତୁମକୁ ଯଦି ଗୋଟାଏ ଚାକିରିର ବ୍ୟବସ୍ଥା କରିଦିଆଯାଏ ତେବେ ତୁମେ ଏଇ ବ୍ୟବସାୟ ଛାଡ଼ି ଦେବ ତ ?

 

ଚିତ୍ରା କହିଲା–କରିପାରିବେ ଉଦ୍ଧାର, ଆପଣ ମୋତେ ଅଭିଶପ୍ତ ଏଇ ଅସାମାଜିକ କଳଙ୍କିତ ଜୀବନରୁ ?

 

ମୁଁ ଦମ୍ଭର ସହିତ କହିଲି–ମୋତେ ବିଶ୍ଵାସ କର ଚିତ୍ରା, ସେ ଭରସା ମୁଁ ତୁମକୁ ଦେଉଛି । ତୁମର ଅତୀତର ଗ୍ଳାନିପାଇଁ ଚିନ୍ତା କରନାହିଁ । ମନୁଷ୍ୟ ଜୀବନର ନିଷ୍ଠୁର ଛନ୍ଦ ପତନ ପାଇଁ ଦାୟୀ ଏଇ ସମାଜ, ତା’ରି ପରିବେଷ୍ଟନୀ ଓ ସଭ୍ୟତା ।

 

ଚିତ୍ରା ଭାବପ୍ରବଣ ହୋଇ କହିଲା–ଆପଣ ମହତ୍, ଆପଣ ଉଦାର, ଆପଣ ମୋର ପଥପ୍ରଦର୍ଶକ–ଆଦର୍ଶ ‘ଭାଇ’ । ମୁଣ୍ଡତଳେ ପାଦ ଲଗାଇଲା ଚିତ୍ରା ।

 

କାମପାଳ ବାବୁ କିଛି ସମୟ ନୀରବ ହୋଇଗଲେ । ତା’ପରେ ପୁଣି କହିଲେ–ଚିତ୍ରା ଆଜି କଲିକତା ଜୀବନବୀମା ବ୍ରାଞ୍ଚ ଅଫିସର ଜଣେ କର୍ମଠ ଆଦର୍ଶ ଏଜେଣ୍ଟ ।

 

କୃଷ୍ଣା ରଜନୀର ଘନୀଭୂତ ଅନ୍ଧକାର ମଧ୍ୟରେ ବର୍ଷାର ରିମ୍‍ଝିମ୍ ନୃତ୍ୟ କମିନଥିଲା ।

Image

 

ମଶାଣି ଶିଖା

 

ଅନେକଥର ସେଇ ରାସ୍ତାରେ ତାକୁ ମୁଁ ଦେଖିଛି । ପାହାନ୍ତି ସକାଳ ଉଦୁଉଦିଆ ଦ୍ଵିପ୍ରହର ଅଥବା ଆରକ୍ତ ଗୋଧୂଳିର ରାଜପଥର ଗୋଟିଏ ଧାରରେ ସେ ଚାଲିଥାଏ ।

 

ଘୃଣା, ବ୍ୟଙ୍ଗ ତାତ୍ସଲ୍ୟ ଓ କାମନାର ସୁଅ କାଟି ସେ ନିର୍ଲିପ୍ତ ଭାବେ ଚାଲିଥାଏ । ବେଳେବେଳେ ହସି ହସି ବାୟୁମଣ୍ଡଳକୁ ଆତଙ୍କିତ କରେ ଅଥବା କେତେବେଳେ ତା’ର କରୁଣ କ୍ରନ୍ଦନରେ ପରିବେଷ୍ଟନୀ ଗମ୍ଭୀର ହୋଇପଡ଼େ । ଚଳଚଞ୍ଚଳ କୌତୂହଳିତ ନୟନସମୂହ କ୍ଷଣକାଳ ପାଇଁ ସ୍ଥିର ହୋଇଯାଏ । ପଥଚାରୀମାନଙ୍କର କୌତୂହଳିତ ଦୃଷ୍ଟି କେବେ ତା’ର ହସର ଉଚ୍ଛ୍ୱାସ ବା କରୁଣ ବିଳାପକୁ ଅବଦମିତ କରିପାରେ ନାହିଁ । ଛୋଟ ଛୋଟ ପିଲାମାନେ ଘେରିଯାଇ ତାକୁ ମାଟି, ଗୋଡ଼ି, ଗୋବର କାଠିକୁଟା ଯାହା ପାଆନ୍ତି ଫୋପାଡ଼ନ୍ତି ତଥାପି କେବେ ସେମାନଙ୍କୁ ଗାଳିଦିଏ ନାହିଁ ବରଂ କେମିତି ଏକ ସସ୍ନେହ ଦୃଷ୍ଟିରେ ଚାହିଁରହେ । ସରୁ ଓଠ ଧାରରେ ସେଇ ନିର୍ଲିପ୍ତ ହସ । ତା’ର ସେଇ ବିକଟ ହସ ତଳେ ଏକ କରୁଣ ଅଶ୍ରୁଳ ଇତିହାସ ଯେପରି ଆତ୍ମପ୍ରକାଶର ପଥ ଖୋଜିବୁଲୁଛି !!!

 

ସାଧାରଣ ପଥଚାରୀ ପରି ମୁଁ ମଧ୍ୟ କ୍ଷଣକାଳ କୌତୂହଳିତ ଚକିତ ନୟନର ତୃଷ୍ଣା ଏଡ଼ାଇ ପାରେନା । ଜାଣେନା କାହିଁକି ସେଇ ଅଦ୍ଭୁତ ଜୀବନଟି ପ୍ରତି ମୋର ହୃଦୟରେ ମାୟା ମମତା ଜାଗି ଉଠୁଥିଲା ଧୀରେ ଧୀରେ । ଅଫିସ ଯିବା ଆସିବା ରାସ୍ତାରେ ତାକୁ ଦେଖିବା ମୋର ଏକ ଧରାବନ୍ଧା କାର୍ଯ୍ୟକ୍ରମ ହୋଇପଡ଼ିଛି । କେବେ କେମିତି ଯଦି ତା’ର ଦେଖା ନପାଏ ତେବେ ମୋ ମନ ଅସ୍ଥିର ହୋଇପଡ଼େ ।

 

ନିର୍ଦ୍ଧାରିତ ରାଜପଥରେ କ୍ରମାଗତ ତିନିଦିନ ନ ଦେଖିଲା ପରେ ମନଟା ଭାରାକ୍ରାନ୍ତ ଲାଗିଲା-। ସେଦିନ ଅଫିସ ଛୁଟି ହେବା ପୂର୍ବରୁ ଚାଲିଆସିଲି । ତା’ରି ବିଷୟ ଭାବୁ ଭାବୁ ଅନ୍ୟମନସ୍କ ଭାବେ କେତେବେଳେ ମୁଁ ସେଇ ଛକ ନିକଟରେ ପହଞ୍ଚିଯାଇଛି ଜାଣେନା । ରାଜପଥର କୋଳାହଳ ମୋର ଭାବପ୍ରବଣତାରେ ପୂର୍ଣ୍ଣଚ୍ଛେଦ ଟାଣିଲା । ଚକିତ ନୟନରେ ଚାହିଁଲି-। ପଥଧାରର ସ୍ତୂପୀକୃତ ଭଗ୍ନ ପଥର ଉପରେ ସେ ବସିଛି । ତା’ ନିକଟରୁ କୋଳାହଳ କରି କେତେକ ବାଳକ ଅପସରି ଯାଉଛନ୍ତି । କପୋଳରୁ ତା’ର ଝରିପଡ଼ୁଛି ଲାଲ ତାଜା ରକ୍ତର ଧାର । ପାଦ ତଳର ଦଳିତ ଦୁର୍ବା ଆରକ୍ତ ହେଉଛି ରକ୍ତ ସ୍ନାନରେ ।

 

ଘଟଣା କ’ଣ ଜାଣିବା ପାଇଁ ଜଣେ ଦର୍ଶକକୁ ପ୍ରଶ୍ନକଲି ।

 

ଆଜ୍ଞା ବାଇଆଣୀଟାଏ, ଖଚଡ଼ା ପିଲାଟିଏ ଟେକା ମାରିବାରୁ ମୁଣ୍ଡଫାଟି ରକ୍ତ ଝରୁଛି ।

 

ଅପଲକ ନୟନରେ ସେ ଚାହିଁଥିଲା ରକ୍ତସ୍ନାତ ଦଳିତ ଦୁର୍ବାକୁ । ମୁଖମଣ୍ଡଳରେ କ୍ରୋଧର ଲେଶମାତ୍ର ସୂଚନା ନାହିଁ । ଉଦାସ ଚାହାଁଣି ।

 

ସମବେତ ଜନତାର ବ୍ୟୂହ ଭାଙ୍ଗି ଦୁଇପାହୁଣ୍ଡ ଅଗ୍ରସର ହେଲି ।

 

ପଛରୁ ଗୁଞ୍ଜରି ଉଠିଲା କାହାର ତାତ୍ସଲ୍ୟ ଟିପ୍ପଣୀ–ଆଜ୍ଞା ବାଇଆଣୀଟାଏ ।

 

ଗ୍ରୀବା ତୋଳି ପଛକୁ ଚାହିଁଲି । ପୂର୍ବାପେକ୍ଷା ଦର୍ଶକଙ୍କ ସଂଖ୍ୟା ବୃଦ୍ଧିପାଇଛି, ଏବଂ ବହୁ ନୟନର ଶାଣିତ ତୀର ମଧ୍ୟରେ ମୁଁ ବନ୍ଦୀ । ହୃଦୟ କନ୍ଦରରେ ମାନବିକତା ଆର୍ତ୍ତନାଦ କରୁଥିଲା । ଶିକ୍ଷିତ ସଂଯତ ମନ ଭିତରେ ଲୌକିକତାର ପାହାଡ଼ ମୁଣ୍ଡ ଟେକୁଥିଲା । ତଥାପି ଦୃଢ଼ ମନରେ ବାଇଆଣୀର ସମୀପବର୍ତ୍ତୀ ହେଲି । ଦୃଷ୍ଟି ତୋଳି ଚାହିଁଲା ସେ । ବିଳମ୍ବ ନକରି କ୍ଷତ ସ୍ଥାନରେ ରୁମାଲର କିୟଦଂଶ ପୋଡ଼ି ଲଗାଇ ସାରି ରୁମାଲରେ ପଟି ବାନ୍ଧି ଦେଲି ।

 

ସମବେତ ଜନତାର ମନ୍ତବ୍ୟ-ସାଗର ମଧ୍ୟରୁ ନିଜକୁ ଶୀଘ୍ର ମୁକ୍ତ କରିବା ପ୍ରୟାସରେ ଭିଡ଼ ଠେଲି ଚାଲିଆସିଲି।

 

ପଛରୁ ଜନତାର ମନ୍ତବ୍ୟ ଅସ୍ପଷ୍ଟ ପ୍ରତିଧ୍ଵନିତ ହେଉଥିଲା । ରାସ୍ତା ଉପରେ ଅନ୍ଧକାରର ଅଶରୀର ଛାଇ ଖେଳି ବୁଲୁଥିଲା । କୃତଜ୍ଞ ଦୃଷ୍ଟିରେ ଚାହିଁଥିଲା ପଥପାର୍ଶ୍ଵର ବାଇଆଣୀ ।

 

ଅନେକ ଦିନ ବିତିଯାଇଛି ଇତିମଧ୍ୟରେ ।

 

ଅଫିସ ଗୃହ ସ୍ଥାନାନ୍ତରିତ ହେବାଫଳରେ ଧରାବନ୍ଧା ରୁଟିନ ଜୀବନରେ ମୋର ବ୍ୟତିକ୍ରମ ଘଟିଛି । ବାଇଆଣୀକୁ ଦେଖିବାର ସୁଯୋଗ ପାଇନାହିଁ । ତା’ରି ସ୍ମୃତି ମନ-ସିନ୍ଧୁକରେ କ୍ରମଶଃ ବିସ୍ତୃତ ହେଉଛି ।

 

ସେଦିନ ଉତ୍ତପ୍ତ ଗ୍ରୀଷ୍ମ ରାତ୍ରିର ତୀବ୍ରତା ସହ୍ୟ କରିନପାରି ଅର୍ଦ୍ଧରାତିରେ ଖୋଲା ଛାତ ଉପରକୁ ଉଠିପଡ଼ିଥିଲି । ପ୍ରଚଣ୍ଡ ଗରମ ହେତୁ ଆଖିରେ ନିଦ ନଥାଏ । ତଳେ ସୁପ୍ତ ଧରଣୀ ଉପରେ ମୁକୁଳା ଆକାଶ ଛାତିରେ ତାରା ଫୁଲର ରୋଷଣି ।

 

ଅଦୂରରେ କାଠଯୋଡ଼ୀ ନଦୀର ଶୁଷ୍କ ସୈକତ ଶଯ୍ୟା । ପ୍ରାସାଦଠାରୁ ମାତ୍ର କେତେ ଶହ ଗଜ ଦୂରରେ ମଶାଣିର ଭୟାବହ ବିକଟତା । ଭ୍ରାମ୍ୟମାଣ ଦୃଷ୍ଟି ମୋର ସେଇ ମଶାଣିର ଗୋଟିଏ ସ୍ଥାନରେ ସ୍ଥିର ହୋଇ ରହିଗଲା ।

 

ମଶାଣିର ଅନତି ଦୂରରେ ରହିବାପରଠାରୁ ସେଇ ପରିବେଷ୍ଟନୀ ସହିତ ନିବିଡ଼ ବନ୍ଧୁତାର ସୂତ୍ରପାତ ହୋଇଯାଇଛି । ରାତ୍ରିର ଅର୍ଦ୍ଧ ଯାମରେ ପୃଥିବୀ ଯେତେବେଳେ ନିବିଡ଼ ନିଦରେ ଅଚେତ ହୋଇଯାଏ, ସେତେବେଳେ ମଶାଣିର ପୃଥିବୀ କର୍ମମୁଖର ହୋଇଉଠେ । ନିଶାଚର ଜାଗିଉଠନ୍ତି, ଯୁଇଅଗ୍ନି ଓ ମାଲଭାଇଙ୍କର ଅସ୍ପଷ୍ଟ କୋଳାହଳରେ ମୁଖରିତ ହୋଇଉଠେ ସୁପ୍ତ ମଶାଣିର ବାତାବରଣ । ‘ରାମ ନାମ ସତ୍ୟ ହୈ’ ଡାକ ଭିତରେ ଧୂଳିରେ ପାଉଁଶ ହୋଇ ମିଶିଯାଏ ମଣିଷର ପାର୍ଥିବ ଶରୀର.....ଅପାର୍ଥିବ ଆଶା ଓ ଆକାଂକ୍ଷା !

 

କିନ୍ତୁ ସେଦିନ ରାତିର ଅର୍ଦ୍ଧଯାମରେ ଯୁଇର ବିକଟ ଅଗ୍ନି ଜଳୁ ନଥିଲା ଅଥବା ମାଲଭାଇଙ୍କର କୋଳାହଳ ଶୁଭୁନଥିଲା । ନିଝୁମ ଅନ୍ଧକାର ମଧ୍ୟରେ ଗୋଟିଏ ପ୍ରଜ୍ୱଳିତ ଦୀପାଳି ନିକଟରେ ସ୍ଥିରହୋଇ ବସିଥିଲା ଗୋଟିଏ ମନୁଷ୍ୟ । ନର ବା ନାରୀ, ସଶରୀର ବା ଅଶରୀର, ଚିହ୍ନିବା ଅସ୍ପଷ୍ଟ ଆଲୋକରେ କଷ୍ଟସାଧ୍ୟ ହେଲା । ସାଧାରଣ ମନରେ ଅନୁସନ୍ଧିତ୍ସୁ କୌତୂହଳ ମୋର ମନରେ ଉଠ୍‍ପଡ଼୍‍ ହେଉଥିଲା ।

 

ଘରଛାଡ଼ି ମଶାଣି ଦିଗରେ ମୋର ଅଳସ ପାଦ ଓ ଉନ୍ମାଦ ମନ ନେଇ ଅଗ୍ରସର ହେଲି । ଶାନ୍ତ ମଶାଣିର ସେଇ ଦୀପଶିଖାର ଯେତିକି ନିକଟକୁ ଯାଉଥିଲି ମନ ମୋର ସେତିକି ଚଞ୍ଚଳ ହୋଇଉଠୁଥିଲା । ଛିନ୍ନବସ୍ତ୍ର ପରିହିତା ନାରୀ ଆନତ ମସ୍ତକରେ ଏକାଗ୍ର ମନରେ ଖୋଳି ଚାଲିଛି ଏକ କ୍ଷୁଦ୍ର ଗର୍ତ୍ତ । ମୋର ପାଦଶବ୍ଦ ତା’ର ନିଷ୍ଠାରେ ବାଧାଦେଲା ବୋଧହୁଏ । ମୁହୂର୍ତ୍ତକ ପାଇଁ ଆନତ ଦୃଷ୍ଟି ମୋ ଉପରେ ବୁଲାଇଆଣି ନିଜ କାମରେ ମନଦେଲା ।

 

କ୍ଷୀଣ ଦୀପଶିଖାରେ କ୍ଷଣକାଳ ପାଇଁ ଦେଖିଲେ ମଧ୍ୟ ମନେହେଲା ସେଇ ଦୃଷ୍ଟି ଯେପରି ‘‘ମୋର ଖୁବ୍ ପରିଚିତ । ବିସ୍ତୃତିର ସିନ୍ଧୁ ଉପତ୍ୟକା ତଳୁ ସ୍ମୃତିର ମହେଞ୍ଜୋଦାର ଖୋଜୁଥିଲି ମୁଁ ।’’

 

କ୍ଷୀଣାଙ୍ଗୀ ଯୁବତୀଟି ଏକ ଧ୍ୟାନରେ ସେପରି ଖୋଳି ଚାଲିଥିଲା । ମେଞ୍ଚା ମେଞ୍ଚା ମାଟି ମଧ୍ୟରେ ତା’ର ସରୁ ସରୁ ଆଙ୍ଗୁଳି ମେସିନପରି କାଟି ଚାଲିଥିଲା ମାଟିର ସୁଅ । କ୍ଷୁଦ୍ର ମାଟି ଦୀପାଳି ନିକଟରେ ଗୋଟିଏ ମାଟି ଗ୍ଲାସରେ କିଛି ଦୁଧ ଓ ଗୋଟିଏ ଦରପଚା ନାସପାତି ସଯତ୍ନରେ ରଖାଯାଇଥିଲା । ଏହି ଅଦ୍ଭୁତ ଦୂଶ୍ୟରେ ମନ ମୋର ଯେତିକି ଆଶ୍ଚର୍ଯ୍ୟ ହେଉଥିଲା କାରଣ ଜାଣିବାପାଇଁ ସେତିକି ଉଦ୍‍ବିଗ୍ନ ହେଉଥିଲା ।

 

ପ୍ରାୟ ଏକହାତ ମାଟି ଖୋଳିବା ପରେ କେମିତି ଏକ ଦୁର୍ଗନ୍ଧରେ ବାୟୁମଣ୍ଡଳ ଭରିଗଲା । ଯୁବତୀ ସେଇ ଗର୍ତ୍ତ ଭିତରୁ ଗୋଟିଏ ଛୋଟ ଶିଶୁର କଙ୍କାଳ କାଢ଼ି ହାତ ପାପୁଲିରେ ତୋଳି ଧରି ଘନ ଘନ ଚୁମ୍ବନ ଦେଲା । କୋଳରେ କଙ୍କାଳଟି ଶୁଆଇ ଦୁଧ ଗ୍ଲାସ୍‍ଟି ହାତରେ ଧରି ଗଦ୍‍ଗଦ୍ କଣ୍ଠରେ କହିଲା ‘ପିଇଦେରେ ଧନ ।’ ଦୁଧଗୁଡ଼ିକ କଙ୍କାଳ ଉପରେ ଝରିପଡ଼ୁଥିଲା । ତା’ପରେ ଗାତ ଭିତରୁ ଗୋଟିଏ ଚମଡ଼ା ଥଳୀ ହାତରେ ଧରି କଇଁ କଇଁ କାନ୍ଦି ମଶାଣିର ନୀରବ ବାୟୁମଣ୍ଡଳକୁ ପ୍ରକମ୍ପିତ କଲା ।

 

ଏତେବେଳଯାଏ ଏହି ଅଦ୍ଭୁତ ଦୃଶ୍ୟ ଦେଖି ମୁଁ ଆତ୍ମବିସ୍ମୃତ ହୋଇପଡ଼ିଥିଲି । ନିରେଖି ନିରେଖି ଚାହୁଁଥିଲି ନୈଶ୍ୟ ମଶାଣିର ଶୋକବିଧୂରା ରମଣୀକୁ । କପୋଳରେ ସେ ଦିନର ଗାଢ଼ କ୍ଷତ ଚିହ୍ନଟି ଦୀପାଳିର ମ୍ଳାନ ଆଲୋକରେ ସ୍ପଷ୍ଟ ଦେଖାଯାଉଥିଲା । ଦୁଃଖ, ନୈରାଶ୍ୟ, ଚିନ୍ତା ଓ ମାନସିକ ବିକାର ମଧ୍ୟରେ ଯୁବତୀ ଯୌବନର ଲାସ୍ୟ ମାଦକତା ହରାଇଥିଲେ ମଧ୍ୟ ତା’ରି ମଧ୍ୟରେ ତା’ର ସମ୍ଭ୍ରାନ୍ତ ବଂଶର ସ୍ଵାକ୍ଷର ଲିପିବଦ୍ଧ ହୋଇ ରହିଥିଲା ।

 

ପଚାରିଲା ଆଖିରେ ମୁଁ ଚାହିଁଥିଲି ଯୁବତୀର ମୁଖମଣ୍ଡଳକୁ । ଆନତ ଦୃଷ୍ଟିତଳେ ମାତୃତ୍ଵ ତା’ର ବିଳପି ଉଠୁଥିଲା ।

 

ମୋର ମନୋଭାବ ବୋଧହୁଏ ସେ ଜାଣିପାରିଥିଲା । ତେଣୁ ପ୍ରଶ୍ନ କରିବାର ପୂର୍ବରୁ ସେ ଗ୍ରୀବା ତୋଳି କୋମଳ କଣ୍ଠରେ ପଚାରିଲା–ବାଇଆଣୀର ପରିଚୟ ପାଇଁ ଆପଣ ଖୁବ୍ ବ୍ୟାକୁଳ ନୁହେଁ ?

 

ଉତ୍ତର ନଦେଇ ଗପ ଶୁଣିବାକୁ ବ୍ୟାକୁଳ ହେଉଥିବା ବାଳକ ପରି ଉତ୍ସୁକ ହୋଇ ଅପଲକ ନୟନରେ ତାକୁ ଚାହିଁରହିଲି ।

 

ଲିଭି ଆସୁଥିବା ମୃଣ୍ମୟ ଦୀପାଳିର ସଳିତା ଟେକି ଦେଉ ଦେଉ ସେ କହିବାକୁ ଆରମ୍ଭକଲା–ମଧ୍ୟବିତ୍ତ ବ୍ରାହ୍ମଣ ପରିବାରର କୁଳବୋହୂ ଥିଲି ମୁଁ । ବିବାହର କେତୋଟି ସରସ ବସନ୍ତ ପରେ ଦାମ୍ପତ୍ୟ ଜୀବନକୁ ହସାଇ କୋଳକୁ ପରିପୂର୍ଣ୍ଣ କରିଥିଲା ଗୋଟିଏ କନ୍ୟା ‘ଶିଖା’ । କଇଁଫୁଲ ପରି ସଦା ହସହସ ଗୁଲଗୁଲିଆ ମୁହଁ ଦେଖି ବାଟୋଇ ମଧ୍ୟ ଘଡ଼ିଏ ଚାହିଁରହେ । ଦୁଇ ପୂରି ତିନି ଚାଲିଥାଏ । ଆମ ଘରଠାରୁ ଅଳ୍ପ ଦୂରରେ ପ୍ରାଇମେରୀ ସ୍କୁଲଟିଏ ଥାଏ । ସେଇ ରାସ୍ତାରେ ନିତି କେତେ ଛୋଟ ଛୋଟ ପିଲା କୁନି କୁନି ହାତ ହଲାଇ ଛୋଟ ପାଦ ପକାଇ ହସି ହସି ଚାଲିଯାଆନ୍ତି । ମା’ ମନ ମୋର ଆନନ୍ଦରେ ବିଭୋର ହୋଇପଡ଼େ । ଆଉ ଗୋଟିଏ ବରଷ ପରେ ମୋ ଶିଖା ମଧ୍ୟ ସ୍କୁଲକୁ ଯିବ । ଶିଖା ଦାଣ୍ଡ ପିଣ୍ଡାରେ ଠିଆହୋଇ ଗୁଲଗୁଲିଆ କଣ୍ଠରେ ପଚାରେ–ମା’..... ମୁଁ କେବେ ଇସ୍କୁଲକୁ ଯିବି ?? କୁନି କୁନି ଗୋଲାପି ଓଠ ଦିଫାଳିରେ ଶିଶୁ ସୁଲଭ କୌତୂହଳରେ ଥରିଉଠେ ଆଖିରେ ଆଶାବାଦୀର ସଫଳ ଚାହାଣି ।

 

ମୁହୂର୍ତ୍ତେ, ନୀରବ ରହିଗଲା ।

 

ଗାତ ଭିତରୁ ଜୀର୍ଣ୍ଣ ଚମଡ଼ା ଥଳୀଟି ହାତରେ ଧରି କରୁଣ କଣ୍ଠରେ କହିଲା–ଏଇ ଥଳୀଟି ତା’ର ଜନ୍ମଦିନରେ ବାପା କିଣି ଆଣି କହିଥିଲେ–ମା’ରେ, ଏଇ ଥଳୀ ଧରି ତୁ ଇସ୍କୁଲ ଯିବୁ ।

 

ବାଇଆଣୀ କିଛି ସମୟ ପୁଣି ନୀରବ ରହି କହିଲା–

 

ଜନ୍ମଦିନ ଦୁଇଦିନ ପରର ଘଟଣା । ହଠାତ୍ ଶିଖାକୁ ହେଲା ସେରିବ୍ରାଲ ନିମୋନିଆ । ବଡ଼ ଡାକ୍ତରଖାନାର ବିଶେଷଜ୍ଞ ଡାକ୍ତର ତା’ର ନାଲି ଟୁକୁଟୁକୁ ଓଠ ଦିଫାଳିରେ ହସ ଫୁଟାଇ ପାରିଲେ ନାହିଁ । ପାହାନ୍ତି ସକାଳର ମ୍ଳାନ ଆଲୋକ ଧରଣୀ ସ୍ପର୍ଶ କରିବାର ପୂର୍ବରୁ ଶିଖାର ଜୀବନଦୀପ ଲିଭିଗଲା । ଟପ ଟପ.... ଦି’ଟୋପା ଲୁହ ମଶାଣିର ନିଷ୍ଠୁର ବୁକୁ ଉପରେ ଝରିପଡ଼ିଲା । ଛେପ ଢୋକି ପୁଣି ସେ ଆରମ୍ଭ କଲା–ଶିଖାର ମୃତ୍ୟୁ ପରେ ବାପା ତା’ରି ଚିନ୍ତାରେ ଦିନେ ମୋଟର ଦୁର୍ଘଟଣାର ସମ୍ମୁଖୀନ ହେଲେ, ଅମୃତ ପଥର ଯାତ୍ରୀ ହେଲେ । ମାତ୍ର ଅଭାଗିନୀ ମୁଁ...କହିପାରିଲା ନାହିଁ ସେ । କଇଁ କଇଁ କାନ୍ଦିଉଠିଲା ବାଇଆଣୀ ।

 

କ୍ଷଣକାଳ ବିତିଗଲା । ନୀରବ ମଶାଣିର ବାତାବରଣ ।

 

ହଠାତ୍ ଖିଲି ଖିଲି ହସିଉଠି କଙ୍କାଳ କପୋଳରେ ବୋକଦେଇ ଭାବପ୍ରବଣ ହୋଇ କହିଲା–ସେଇ ଦିନଠାରୁ ମୁଁ ହୋଇଛି ବାଇଆଣୀ ।

 

ଶୁନ୍ୟ ଆକାଶକୁ ଚାହିଁଲି, ତାରାସବୁ କେତେବେଳେ ଅଦୃଶ୍ୟ ହୋଇଯାଇଛନ୍ତି, କଳାବାଦଲ ଖଣ୍ଡ ଖଣ୍ଡ ଭାସି ବୁଲୁଛି ।

 

ଆକାଶରୁ ଦୃଷ୍ଟି ଫେରାଇଲି । ବାଇଆଣୀର ଉନ୍ମାଦ ହସ ନାହିଁ । ଉଦାସ ଦୃଷ୍ଟିରେ ଏକାଗ୍ର ମନରେ ସେଇ ଗାତକୁ ପୋତି ଚାଲିଛି ସିଏ । ମୃଣ୍ମୟ ଦୀପଶିଖାର ଉଷ୍ମତା ଓ ଆଲୋକ ପାହାନ୍ତିଆ ତାରାପରି ମ୍ଳାନ ହୋଇ ଆସୁଥିଲା । ହୁଏତ କିଛି ସମୟପରେ ସେ ଲିଭିଯିବ ଓ ତା’ ସଙ୍ଗେ ସଙ୍ଗେ କଙ୍କାଳଟିର ଆତ୍ମା ଚୁପ୍‍ଚାପ୍‍ ଶୋଇଯିବ ।

Image

 

ଛନ୍ଦ ପତନ

(ଏକ)

 

ଆରକ୍ତ ଗୋଧୂଳୀ ।

 

ଉତ୍ତପ୍ତ ମଧ୍ୟାହ୍ନ ପରେ କମ୍ର ଲତାବୃକ୍ଷ ସତେଜ ହୋଇ ଉଠିଛନ୍ତି ।

 

ବରଦାପ୍ରସନ୍ନ ଗୋଲ୍‍ଡ଼ ଫ୍ଲାକରେ ଉଷ୍ଣ ଚୁମ୍ବନ ଦେଇ ଚାହିଁଥିଲେ ଦୂର ଦିଗ୍‍ବଳୟ ଦିଗରେ ଯେଉଁଠି ଉତ୍ତପ୍ତ ଦିବସର ପ୍ରୌଢ଼ ସୂର୍ଯ୍ୟ ବିଦାୟ ରାଗିଣୀ ତୋଳୁଥିଲେ ।

 

ବରଦାପ୍ରସନ୍ନଙ୍କର ଶରୀରରେ ଆଳସ୍ୟର ନୀରବ ରାଜତ୍ଵ । ମାର୍ଚ୍ଚ ଶେଷ । ସରକାରୀ କର୍ମ ନିର୍ଘଣ୍ଟରେ ଗୋଟିଏ ବର୍ଷର ସରକାରୀ ନାଲିଫିତା ବନ୍ଧା ସରିଛି । ମାର୍ଚ୍ଚ ମାସରେ ସରକାରୀ କର୍ମଚାରୀଙ୍କର କର୍ମପ୍ରବଣତା ବର୍ଷର ଅନ୍ୟ ସମୟ ଅପେକ୍ଷା ଯଥେଷ୍ଟ ବଢ଼ିଯାଏ ।

 

ତା’ପରେ ମନଟା ଅତ୍ୟନ୍ତ ହାଲୁକା ହୋଇପଡ଼େ । ସେହିପରି ଏକ ହାଲୁକା ମୁହୂର୍ତ୍ତକୁ ଉପଭୋଗ କରିବା ପାଇଁ ବରଦାପ୍ରସନ୍ନ ଅନେକ ଦିନ ଧରି ପ୍ରତୀକ୍ଷା କରିଥିଲେ । ସିଗାରେଟର ମୁଲାଏମ ଉଷ୍ମତା ଶୋଷଣ କରି ନିଜର ଆଳସ୍ୟ ମନକୁ ସତେଜ କରିବାକୁ ଚେଷ୍ଟା କରୁଥିଲେ ବରଦାପ୍ରସନ୍ନ ।

 

କେଁ......କେଁ.......କେଁ

 

ବଗବଗୁଲୀ ଯୁଗଳ ଶୁଭ୍ର ପକ୍ଷ ବିସ୍ତାରକରି ଅନନ୍ତ ଗଗନରେ ଅସ୍ପଷ୍ଟ ନୀଳିମା ମଧ୍ୟରେ ହଜିଯାଉଥିଲେ । ପ୍ରଲୁବ୍‍ଧ ଶ୍ଵେନପରି ବରଦାପ୍ରସନ୍ନଙ୍କର ମନହରିଣୀ ହଜିଗଲା ସେଇ ବଗ ଦମ୍ପତିଙ୍କ ପଛରେ ।

 

ଅନ୍ଧକାରର କାକକୃଷ୍ଣ କବରୀ ଲୋଟିପଡ଼ିଛି ଶାନ୍ତକ୍ଳାନ୍ତ ଧରଣୀ ବୁକୁରେ । ବଗଦମ୍ପତି ଅସ୍ପଷ୍ଟ ହୋଇଗଲେଣି କେତେବେଳୁ । ଦୃଷ୍ଟି ଫେରାଇଲେ ବରଦାପ୍ରସନ୍ନ ।

 

ନିଃସଙ୍ଗ ଜୀବନର ଉପକଣ୍ଠରେ ଯୌବନ ନୌକାର ମଙ୍ଗ ଲକ୍ଷ୍ୟହୀନ ହେଇଉଠୁଛି । ଶରୀରରେ ବୟସର ଦାଗ କ୍ରମଶଃ ଘନୀଭୂତ ହେଉଛି । ମନ ବୁଢ଼ା ହୋଇଯାଉଛି ଧୀରେ ଧୀରେ । କ୍ଳାନ୍ତ ମନରେ ଉଦ୍‍ବିଗ୍ନ ହୋଇପଡ଼ୁଥିଲେ ବରଦାପ୍ରସନ୍ନ । ନିଃସଙ୍ଗ ଜୀବନବୀଣା ବ୍ୟର୍ଥ ରାଗିଣୀ ତୋଳୁଥିଲା ଅତି କରୁଣ ରାଗରେ । ସମବୟସ୍କ ସାଥୀଗଣ ଆଜି ଦୁଇ ତିନିଟି ସନ୍ତାନର ଜନକ, ପରିପୂର୍ଣ୍ଣତାରେ ସେମାନଙ୍କର ସଂସାର ମୁଖରିତ । ମନ-ଝରକାରେ ତୁହାଇ ତୁହାଇ ଉଙ୍କିମାରୁଥିଲେ ଗୋଟିଏ ଚିନ୍ତା । କାହିଁ ଭାଉଜଙ୍କର ଚିଠି ଏପର୍ଯ୍ୟନ୍ତ ତ ଆସିଲା ନାହିଁ ? ଆଷାଢ଼ର ଘନୀଭୂତ ମେଘପରି ସନ୍ଦେହ, ଆଶଙ୍କା ମନ-ଆକାଶରେ ଏକୀଭୂତ ହେଉଥିଲା ।

 

ବା...... ବୁ... ଚି....ଠି ।

 

ସୀମାହୀନ ଅତଳ ସାଗର ବକ୍ଷରେ କୁଟା ଖିଅଟିଏ ପାଇଲାଭଳି ବରଦାପ୍ରସନ୍ନ ଅକୁହା ଆବେଗରେ ଗ୍ରୀବା ତୋଳି ଚାହିଁଲେ ।

 

ପିଅନ କାଶୀ ଠିଆହୋଇଛି । ହାତରେ ତା’ର ଖଣ୍ଡିଏ ଲଫାପା ।

 

ଚିଲପରି ଝାମ୍ପିନେଲେ ଚିଠି ଖଣ୍ଡକ । ପିଅନ ବାବୁଙ୍କର ହଠାତ୍ ନୂତନ ଭାବଭଙ୍ଗୀକୁ ବିହ୍ଵଳଭାବେ ଚାହିଁଥିଲା ।

 

କାଶୀ କପେ ଚାହା ଆଣ.....

 

ଆଜ୍ଞା……..କ’ଣ..... ସନ୍ଦିଗ୍‍ଧ ଗଳାରେ ପ୍ରଶ୍ନଭରା ଚାହାଣିରେ ପଚାରିଲା କାଶୀ । କାରଣ ସେ ଜାଣେ, ବାବୁ କେବେ ଚାହା ଖାଆନ୍ତି ନାହିଁ । ତେଣୁ ହଠାତ୍ କଥାଟି ତାଙ୍କୁ ଅସଙ୍ଗତ ଲାଗିଲା ।

 

ଆରେ କଡ଼ା ଚାହା କପେ ଆଣ... ଅପେକ୍ଷାକୃତ ବଡ଼ ପାଟିରେ କହିଲେ ବରଦାପ୍ରସନ୍ନ-। ସଙ୍ଗେ ସଙ୍ଗେ ଆଦେଶ ପାଳନ କରିବା ନିମନ୍ତେ ପିଅନ ଦ୍ରୁତପଦରେ ଚାଲିଗଲା । ଚାହା ଆସିବା ପର୍ଯ୍ୟନ୍ତ ନାନା ଭାବନାର ବୁଢ଼ିଆଣୀ ଜାଲବୁଣି ଅପେକ୍ଷା କଲେ ବରଦାବାବୁ, ମନ ଭିତରେ ଅନେକ ପ୍ରଶ୍ନର ଢେଉ । ଇତିମଧ୍ୟରେ କାଶୀ କେତେବେଳେ ଚାହା ଟେବୁଲ୍‍ ଉପରେ ରଖିଦେଇ ଯାଇଛି ।

 

ଧୂମାୟିତ କପରେ ବାରବାର ସ୍ପର୍ଶ ଦେଇ ବରଦାପ୍ରସନ୍ନ ଲଫାପା ଖୋଲିଲେ-। ଏକା ନିଶ୍ୱାସରେ ଚିଠି ପଢ଼ିବା ପରେ ତାଙ୍କର ମନେହେଲା, ପୃଥିବୀ ଘୂରୁଛି, ତା’ର ଅକ୍ଷରେ ସେ ନିଜେ ଘୂରୁଛନ୍ତି । ବିଶ୍ୱାସ କରି ମଧ୍ୟ ବିଶ୍ୱାସ କରିପାରୁନଥିଲେ । ଭାଉଜଙ୍କର କେଇପଦର ଏଇ ଚିଠି ତାଙ୍କର ଦୀର୍ଘ ଦୁଇବର୍ଷର ଆଶା ପ୍ରତୀକ୍ଷାକୁ ଶତଖଣ୍ଡ କରି ଚୂର୍ଣ୍ଣ କରିଦେଇଛି ।

 

ଚାହା କପରେ ଉଠିଛି ଶୀତଳ ଝଡ଼ । ଉତ୍ତାପ ତା’ର ମରିଯାଉଛି ଧୀରେ ଧୀରେ, ବରଦାପ୍ରସନ୍ନଙ୍କର ମନରେ ହିମାନୀର ସାନ୍ଦ୍ରତା ।

 

ଭାଉଜଙ୍କର ଚିଠି ପୁଣିଥରେ ପଢ଼ିଲେ ।

 

‘‘ତନୁଜାର ବିଭାଘର ଅନ୍ୟ ଏକ ସ୍ଥାନରେ ଠିକ୍ ହୋଇଯାଇଛି । ସେ ପାତ୍ର ବମ୍ବେରେ ଜଣେ ବଡ଼ ଇଞ୍ଜିନିଅର । କାଲି ତାଙ୍କର ନିର୍ବନ୍ଧ ହେବ ବୋଧହୁଏ.... ।”

 

ଅଧିକ ଆଉ ପଢ଼ିପାରିଲେ ନାହିଁ । କ୍ରୋଧ, ଅଭିମାନ ଓ ହତାଶରେ ଥରିଉଠୁଥିଲେ ବରଦାପ୍ରସନ୍ନ ପଟ୍ଟନାୟକ, ଧର୍ମଶାଳାର ଏସ୍‍.ଡି.ଓ. । ତାଙ୍କର ସଂଯତ ସରଳ ମନସିନ୍ଧୁକରେ ଘୃଣା ଜାଗରିତ ହେଉଥିଲା ।

 

ମନୋରମ ସନ୍ଧ୍ୟାର ତନୁ ଉପରେ ରାତ୍ରିର ଘନ ଯବନିକା କେନ୍ଦ୍ରୀଭୂତ ହେଉଥିଲା ।

 

(ଦୁଇ)

 

ମୋର ଅପରାଧ କ’ଣ ? ଝିଲିମିଲି ଅବଗୁଣ୍ଠନ ତଳୁ ପରିଣୀତା ନବବଧୂର ପ୍ରଶ୍ନିଳ ସ୍ଵର ଗୁଞ୍ଜରି ଉଠିଲା । ଅଷ୍ଟମୀର ମ୍ଳାନ ଚନ୍ଦ୍ର ଉପରୁ ଚକ୍ଷୁ ଫେରାଇ ଚାହିଁଲେ ବରଦାପ୍ରସନ୍ନ । ଚତୁର୍ଥୀ ବାସର ଅର୍ଦ୍ଧରାତ୍ରିର ଏପରି ଏକ କମନୀୟ ମୁହୂର୍ତ୍ତରେ ତାଙ୍କ ବ୍ୟବହାର ନିଶ୍ଚୟ କ୍ଷୁବ୍‍ଧ କରିଛି । ନବବଧୂର ପ୍ରଶ୍ନର କି ଉତ୍ତର ଦେବେ ସେ ? ଅପରାଧୀର କାରୁଣ୍ୟ ଫୁଟିଉଠିଲା ନବବଧୂର କାନ୍ତ କୋମଳ ମୂଖଶ୍ରୀରେ ।

 

ବରଦାପ୍ରସନ୍ନ ଲଜ୍ଜିତ ହେଲେ । ବାସ୍ତବିକ୍ ନବବଧୂର ଅପରାଧ କ’ଣ ? କୁମାରୀ ମନର ଅସୁମାରି ସପନର ସବୁ ଆଶା ସେ ତିଳ ତିଳକରି ହତ୍ୟା କରିଛନ୍ତି ଚଉଠି ରାତ୍ରିର ଏକ ନୀରବ ମୁହୂର୍ତ୍ତରେ ।

 

ଗଳାଝାଡ଼ି କୋମଳ କଣ୍ଠରେ ଆରମ୍ଭ କଲେ ଇଞ୍ଜିନିଅର ବରଦାପ୍ରସନ୍ନ–“ଭାଉଜଙ୍କ ପ୍ରସ୍ତାବ ଅନୁଯାୟୀ କନ୍ୟା ଦେଖି ଯାଇଥିଲି ମୁଁ । କି ଅଶୁଭ ମୁହୂର୍ତ୍ତରେ ମୁଁ ବାହାରିଥିଲି ଜାଣେନା, ପାତ୍ରୀର ସାନଭଉଣୀ, ମୋର ଅଧିକ ପସନ୍ଦ ହୋଇଥିଲା । ମାତ୍ର କନ୍ୟାର ପିତା ଜିଦ୍ ଧରିଲେ ବଡ଼ଝିଅର ବିଭାଘର ପରେ ସାନଝିଅର ବିବାହ ପ୍ରସ୍ତାବ ଉଠିବ । ପ୍ରତୀକ୍ଷାର ପୂର୍ଣ୍ଣଚ୍ଛେଦ ପଡ଼ିଲା । ବଡ଼ଝିଅ ବିଭାଘର ଏକବର୍ଷ ପରେ ସାନଝିଅ ତନୁଜାର ବିଭାଘର ମୋ ସହିତ କରିବେ ବୋଲି ସ୍ଥିର ହୋଇଥିଲା । ମାତ୍ର.....ମାତ୍ର .....କ’ଣ ହେଲା ? ନବବଧୂର କଣ୍ଠରେ କାତରତା ।

 

କିଛିଦିନ ତଳର ଘଟଣା ।

 

ଭାଉଜଙ୍କଠାରୁ ଚିଠି ପାଇଲି ତନୁଜାର ବାହାଘର ମୋ’ଠାରୁ ଜଣେ ବଡ଼ ଇଞ୍ଜିନିଅର ସହିତ ଠିକ୍ ହୋଇଗଲା । ଆଶା ବୈତରଣୀ ମୋର ଆଶାରେ ହିଁ ରହିଗଲା । କୋହଭରା କଣ୍ଠ ରୁଦ୍ଧ ଆବେଗରେ ଅସ୍ପଷ୍ଟ ହୋଇଗଲା ବରଦାପ୍ରସନ୍ନଙ୍କର ।

 

ଓଃ....ବିଚ୍ୟୁତ ବଲ୍ଲରୀପରି ବରଦାପ୍ରସନ୍ନଙ୍କର ପାଦତଳେ ଢଳିପଡ଼ିଲା ନବବଧୂର କୋମଳ ତନୁଲତା ।

 

କିଂକର୍ତ୍ତବ୍ୟବିମୂଢ଼ ହୋଇପଡ଼ିଲେ ବରଦାପ୍ରସନ୍ନ । ନିଜର ବିଷଜ୍ୱାଳାରେ ନିଜେ ସେ ଘାରିହେଲେ । ନବ ବିବାହିତା ପତ୍ନୀ ନିକଟରେ ନିଜର ମନର ଗୋପନ କଥା କହି ସେ ଭୁଲ କରିଛନ୍ତି ।

 

ଅନୁତାପରେ ତୋଳିଧରିଲେ ନବବଧୂର ତନୁଲତା ।

 

ଝୀନ ଉତ୍ତରୀୟ ତୋଳି ଅପଲକ ନୟନରେ ଚାହିଁଲେ ବରଦାପ୍ରସନ୍ନ ।

 

ତନୁଜା........ ତୁମେ......... ??

 

କଜ୍ଜ୍ୱଳ ଘେରା ଆୟତ ନୟନଯୁଗଳ ମେଲି ଚାହିଁଲା ନବବଧୂ ତନୁଜା, ରକ୍ତିମ ସଲ୍ଲଜ ଅଧରରେ ପରିତୃପ୍ତିର ଚୁପି ଚୁପି ହସର ଝରଣା ଝରିପଡ଼ିଥିଲା ।

Image

 

ହିମରାତ୍ରିର ମାୟା

 

ଅର୍ଜ୍ଜୁନଥାପା ଚକ୍ଷୁ ମେଲିଲେ ।

 

ରଣାଙ୍ଗନ ପାର ହୋଇ ଶତ୍ରୁ ତାୱାଙ୍ଗ ସହର ଅଭିମୁଖରେ ଦ୍ରୁତ ଗତିରେ ଚାଲିଗଲେଣି । ହୁଏତ ତାୱାଙ୍ଗର ସ୍ଵଳ୍ପ ଭାରତୀୟ ଜୱାନ ଚୀନର ବିରାଟ ସଶସ୍ତ୍ର ପଲଟନକୁ ପ୍ରତିରୋଧ କରିନପାରନ୍ତି ।

 

‘‘ଠକ୍....... ଠକ୍...... ଠକ୍ ।’’

 

ଶତ୍ରୁ ଗୁଳିରେ ଗୁରୁତର ଆଘାତପ୍ରାପ୍ତ ଅର୍ଜ୍ଜୁନଥାପା ଖର ନିଃଶ୍ୱାସ ବନ୍ଦ କରି ପୁଣି ସେଇ ଶବଗଦା ମଧ୍ୟରେ ଚୁପ୍‍ଚାପ୍‍ ପଡ଼ିରହିଲେ ।

 

ଆକାଶରୁ ଝରୁଛି ମେଞ୍ଚା ମେଞ୍ଚା ବରଫର ତୂଳା, ଘନ ଅନ୍ଧକାର ରାତି, ଯୁଦ୍ଧବିଧ୍ଵସ୍ତ ରଣକ୍ଷେତ୍ରର ବିକ୍ଷିପ୍ତ ଗୋଳାକମାଣର ସ୍ତୂପ ଓ କୁଢ଼ କୁଢ଼ ଚୀନା ସୈନିକ ଶବରାଶି ମଧ୍ୟରେ ବୋଧହୁଏ ଏକମାତ୍ର ଜୀବିତ ଆତ୍ମା କ୍ୟାପଟେନ ଅର୍ଜ୍ଜୁନଥାପା–ଗୋଲନ୍ଦାଜ ସେନା ବାହିନୀର କମାଣ୍ଡିଂ ଅଫିସର ।

 

ମସ୍ତକ ତୋଳି ଅର୍ଜ୍ଜୁନଥାପା ସତର୍କିତ ଦୃଷ୍ଟି ଚତୁର୍ଦ୍ଦିଗରେ ବୁଲାଇଆଣିଲେ । ପ୍ରାୟ ଶହେଗଜ ଦୂରରେ ଅଳସ ଭାବରେ ଘୂରିବୁଲୁଛି ଗୋଟାଏ ବର୍ବର ଚୀନା ଟହଲଦାର ସୈନିକ ।

 

ଶରୀରରେ ଅସହ୍ୟ ଯନ୍ତ୍ରଣା, ଗୋଡ଼ତଳେ ଓ ପୃଷ୍ଠଦେଶରେ ଛୁଟିଛି ତାଜା ରକ୍ତର ଝରଣା-। ବରଫାବୃତ ତୁଷାରର ଶ୍ଵେତଶୁଭ୍ର ଆସ୍ତରଣ ରଙ୍ଗୀନ ହୋଇଯାଇଛି କ୍ୟାପଟେନ ଅର୍ଜ୍ଜୁନଥାପାଙ୍କର ଲାଲ ରକ୍ତରେ ! ସେଥିପ୍ରତି ତାଙ୍କର ଖାତିର ନାହିଁ । ଶହେଗଜ ଦୂରରେ ଘୂରିବୁଲୁଥିବା ଛାୟାମୂର୍ତ୍ତିଟି ପ୍ରତି ବନ୍ଧୁକ ଲକ୍ଷ୍ୟ କରୁଥିଲେ ସେ । ଭୀଷଣ ରକ୍ତସ୍ରାବ ଓ ତୃଷ୍ଣା ଫଳରେ ସେ ନିସ୍ତେଜ ହୋଇପଡ଼ୁଥଲେ, ତଥାପି ମୃତ୍ୟୁ ପୂର୍ବରୁ ଗୋଟିଏ ବର୍ବର ଚୀନା ସୈନିକର ରକ୍ତରେ ରଙ୍ଗୀନ କରିବେ ତାଙ୍କର ବିକ୍ଷୁବ୍‍ଧ ଆହତ ଲକ୍ଷ୍ୟ । କହୁଣୀରେ ଭରାଦେଇ ଅତି କଷ୍ଟରେ ଗୁରୁଣ୍ଡି ଗୁରୁଣ୍ଡି ଟ୍ରିଗର ଉପରେ ସ୍ପର୍ଶ ଦେଲେ ।

 

ଦମକାଏ ଶୀତଳ ହିମପବନ ଖେଳିଗଲା ତାଙ୍କ ଉପରେ । ଥରି ଥରି ମୁହଁମାଡ଼ି ପୁଣି ନଇଁପଡ଼ିଲେ ସେ କ୍ଷତବିକ୍ଷତ ଶବରାଶି ଉପରେ । ଶବର ଅଭିନୟ କରି କେତେ ସମୟ ଚୀନା ସୈନିକଙ୍କ ଇଗଲ ଦୃଷ୍ଟି ଅନ୍ତରାଳରୁ ନିଜକୁ ଲୁଚାଇ ରଖିବେ ସେ ?

 

ରାତି ପାହିବାକୁ ହୁଏତ ମାତ୍ର ଆଉ ତିନି ଚାରିଘଣ୍ଟା ଅଛି । ବାସ୍‍, ତା’ପରେ... ?

 

ଝପ୍‍ସା ଭାବରେ ଚାରିଟି ଭାରତୀୟସ୍ନେହୀ ଜବାନ୍‍ଙ୍କର ସମ୍ମିଳିତ କାତର ଅନୁରୋଧ ତାଙ୍କ କର୍ଣ୍ଣରେ ଗୁଞ୍ଜରି ଉଠୁଥିଲା ।

 

ସଂଖ୍ୟାଧିକ ଚୀନାସୈନ୍ୟଙ୍କୁ ବହୁକାଳ ପ୍ରତିରୋଧ କରିବାପରେ ସେ ଯେତେବେଳେ ହଠାତ୍ କ୍ଷତବିକ୍ଷତ ହୋଇ ଟଳିପଡ଼ିଲେ, ସେତେବେଳେ ଚାରିଟି ଯୁଦ୍ଧରତ ଜବାନ୍‍ ପାଖକୁ ଝପ୍‍ଟିଆସି ହାତବଢ଼ାଇ କହିଲେ–ସାର୍, ଆମେ ଆପଣଙ୍କୁ ଟେକିନେଇଯିବୁ ।

 

ଜୀବନ ପ୍ରତି ମୋହ କାହାର ନାହିଁ ? ତଥାପି ତାଙ୍କର ସମ୍ମୁଖରେ କର୍ତ୍ତବ୍ୟର ଆହ୍ଵାନଥିଲା ସବୁଠାରୁ ଶ୍ରେଷ୍ଠ । ତା’ଛଡ଼ା ତାଙ୍କ ଜୀବନଦୀପ ହୁଏତ କିଛି ସମୟପରେ ଲିଭିଯାଇପାରେ । ଗୋଟିଏ ମୁମୂର୍ଷୁ ଜୀବନ ଅପେକ୍ଷା କେତୋଟି ଅକ୍ଷତ ଜୀବନ ଅଧିକ ମୂଲ୍ୟବାନ । କଠୋର କଣ୍ଠରେ ଆଦେଶ ତୋଳିଲେ ସେ–ମୋତେ ଏଇଠି ଛାଡ଼ି ସମସ୍ତେ ଚାଲିଯାଅ ।

 

ସାମରିକ ବାହିନୀର କମାଣ୍ଡିଂ ଅଫିସରଙ୍କର ଆଦେଶ ଶିରୋଧାର୍ଯ୍ୟ । ରଣଭୂଇଁରେ ସ୍ନେହ-ପ୍ରେମ-ବନ୍ଧନ କିଛି ନାହିଁ । କର୍ତ୍ତବ୍ୟ.....କେବଳ କର୍ତ୍ତବ୍ୟ । ସାଇଁ କରି କେତୋଟି ଗୁଳି ତାଙ୍କ ପାଖଦେଇ ଚାଲିଗଲା । ଥାପା ଅନୁଚ୍ଚ କଣ୍ଠରେ ପୁଣି କହିଲେ, ‘‘ନିଜ ଜୀବନ ବିପନ୍ନ କରନା, ଶୀଘ୍ର ଚାଲିଯାଅ.....’’ ହିମ କୁଜ୍‍ଝଟ୍ଟିକା ମଧ୍ୟରେ ଚାରିଟି ଛାୟାମୂର୍ତ୍ତି କ୍ରମଶଃ ଅସ୍ପଷ୍ଟ ହୋଇଯାଉଥିଲା । ଅପଲକ ଦୃଷ୍ଟିରେ ଥାପା ଚାହିଁରହିଥିଲେ ସେଇ ଚଳନ୍ତ ଶୁଭ୍ର ଛାଇଗୁଡ଼ିକୁ ।

 

ହୁଏତ ଏଇ ମଣିଷ ହୋଇପାରନ୍ତି ତାଙ୍କ ଜୀବନର ଶେଷ ଜୀବନ୍ତ ଭାରତୀୟ ମଣିଷ । ଅବଶ୍ୟ ଚୀନ ସୈନ୍ୟଙ୍କ ହାତରେ ସେ ବନ୍ଦୀ ହୋଇପାରନ୍ତି, ଯଦି ସକାଳ ପର୍ଯ୍ୟନ୍ତ ବଞ୍ଚିରହନ୍ତି । ମାତ୍ର ସେଗୁଡ଼ିକ ତ ମଣିଷ ନୁହଁନ୍ତି ଧୂର୍ତ୍ତ ବର୍ବର ଶୃଗାଳ ।

 

‘‘ଖସ୍‍..... ଖସ୍..... ଖସ୍’’

 

ଅର୍ଜ୍ଜୁନଥାପା ଚକିତ ଦୃଷ୍ଟି ତୋଳି ଚାହିଁଲେ । ତୁଷାରପାତର ତୀବ୍ରତା ସେମିତି ଅବ୍ୟାହତ ରହିଛି ।

 

ଶବରାଶି ଭେଦକରି ତାଙ୍କ ନିକଟରେ ଠିଆହୋଇଛି ଗୋଟିଏ ନାରୀମୂର୍ତ୍ତି । ସେ ସ୍ୱପ୍ନ ଦେଖୁନାହାନ୍ତି ତ ! ନିର୍ଜନ ରଣଭୂଇଁର ରାତିର ଏ ଗଭୀର ପ୍ରହରରେ କିଏ ଏଇ ନାରୀ ? ଅଶରୀର ନା ସଶରୀର !!!

 

ତାଙ୍କ ଚିନ୍ତା ବ୍ୟାହତ କରି ନାରୀ କଣ୍ଠ ଭାସିଆସିଲା–ଭୟ ନାହିଁ, ଶତ୍ରୁ ନୁହେଁ–ମିତ୍ର । ଜୀବନର ଲୋଭଥିଲେ ମୋ ସହିତ ଚାଲ ।

 

ଚକିତ ହେଲେ କ୍ୟାପଟେନ ଥାପା । ନାରୀ ! ତା’ ଦେହରେ ପୁଣି ସିଂହର ବଳ ଆସିଲା କେଉଁଠୁ ? ଦୁଇ ହାତରେ ତାଙ୍କୁ ଟେକିନେଇ ଅନ୍ଧକାର ଦୁର୍ଗମ ପଥଦେଇ ଗୋଟିଏ ପଥରଗୁମ୍ପା ନିକଟରେ ପହଞ୍ଚିଲା ସେ । ପଥର ଚଟାଣ ଉପରେ ପଡ଼ିଥିବା ଗୋଟିଏ ଚମରୀଗାଈ ଛାଲ ଉପରେ ତାଙ୍କୁ ସିଧା ଶୁଆଇଦେଲା ।

 

ହତବାକ୍ ହୋଇ ସଚକିତ ନୟନରେ ମୁମୂର୍ଷୁ ଅର୍ଜ୍ଜୁନଥାପା ସେଇ ଅଦ୍ଭୁତ ନାରୀର କାର୍ଯ୍ୟକଳାପ ଲକ୍ଷ୍ୟ କରୁଥିଲେ ।

 

ଝକ୍‍ମକ୍‍ ପଥର ଘସି ଅଗ୍ନି ଜଳାଇ ମହମବତୀଟିଏ ଲଗାଇ ଦେଲା । ମହମବତୀର ଅସ୍ପଷ୍ଟ ଆଲୋକରେ ଥାପା ଲକ୍ଷ୍ୟକଲେ–ସେଇ ପାହାଡ଼ୀ ନାରୀର ମୁଖମଣ୍ଡଳରୁ ଶାନ୍ତ ବୈଦୁର୍ଯ୍ୟ ଝରିପଡ଼ୁଛି । ମୁଗୁନିପଥର ଭଳି ଚିକ୍‍କଣ କଳାମୁହଁରେ ନିର୍ଭୟ ହସର ବିଜୁଳି ଉଜ୍ଜ୍ୱଳ ଚକ୍ଷୁ ।

 

ଦୁଇଟି ଛୁରି ସାହାଯ୍ୟରେ ରକ୍ତସ୍ରାବ ସ୍ଥାନରୁ ଗୁଳି ଦୁଇଟି ବାହାରକରି ବନ ଚେରମୂଳର ରସ ଲେପନ କରିଦେଲା ସେ । ସଙ୍ଗେ ସଙ୍ଗେ ସତେଯେପରି ନୂତନ ଜୀବନ ଖେଳିଗଲା ଥାପାଙ୍କର ରକ୍ତକଣିକାରେ । ତା’ପରେ ଗୋଟିଏ ପଥର ବାଟିରେ କିଛି ଫଳରସ ପିଇବାକୁ ଦେଲା-। ଶୋଷରେ ତାଙ୍କର କଣ୍ଠ ଶୁଖି ଯାଉଥିଲା । ତେଣୁ ସେଇ ଅମୃତ ପରି ଫଳରସ ପିଇ ଶରୀରରେ ପୂର୍ବବଳ ଫେରିଆସିଲା ।

 

କିଏ ଏହି ମହୀୟସୀ ନାରୀ ? କ’ଣ ତାଙ୍କର ଉଦ୍ଦେଶ୍ୟ ?

 

ଭାବନାର ବୁଢ଼ିଆଣୀ ଖିଅରେ ବାଧା ସୃଷ୍ଟିକରି ନାରୀକଣ୍ଠ ଭାସିଆସିଲା–ବର୍ତ୍ତମାନ ଆରାମ ଲାଗୁଛି ତ ? କି ଅମୃତବୋଳା ସ୍ଵର ! କ୍ୟାପଟେନ ଥାପା ଉଠି ବସିଲେ । ପାହାଡ଼ୀ ନାରୀ ତାଙ୍କ ଆଗରେ ଠିଆହୋଇଛନ୍ତି ହାତ ପାପୁଲିରେ କୋଡ଼ିଏ ପଚିଶଟି କ୍ୟଟ୍ରିଜ ।

 

କିଏ ଆପଣ ମା’, ଏ ଦୁର୍ଗମ ହିମଗିରିରେ ମୋର ପ୍ରାଣ ରକ୍ଷାକଲେ ? ନୀରବତା ଭଗ୍ନକରି ଅର୍ଜ୍ଜୁନଥାପା ପଚାରିଲେ ।

 

ପାହାଡ଼ୀ ନାରୀ ମୃଦୁ ହସି କହିଲେ–

 

ମୁମୂର୍ଷୁ ଭାରତୀୟ ଜୱାନଙ୍କ ପ୍ରାଣରକ୍ଷା କରିବା ମୋର ପଣ । ମୁଁ ଜଣେ ଭାରତୀୟ ନାରୀ ସେତିକି ମୋର ପରିଚୟ ।

 

କ୍ୟାଟ୍ରିଜଗୁଡ଼ିକ ବଢ଼ାଇ ଦେଉ ଦେଉ କହିଲେ,–“ଏଗୁଡ଼ିକ ନିଅ, ମୃତ ଚୀନା ସୈନ୍ୟଙ୍କ ପୋଷାକରୁ ଉଦ୍ଧାର କରିଛି । ତୁମ ବିପଦଶଙ୍କୁଳ ଯାତ୍ରା ପଥରେ ସହାୟକ ହେବ ।’’

 

ତା’ପରେ କିଛି ଫଳ କିଟସ୍ ବ୍ୟାଗରେ ଓ ପାଣି ପାଣିବୋତଲରେ ଭରି କହିଲେ,–ବର୍ତ୍ତମାନ ତୁମେ କ’ଣ ଫେରିଯାଇ ପାରିବ ? ଅବଶ୍ୟ ମୁଁ ଜାଣେ, ତୁମେ ଆହତ କ୍ଳାନ୍ତ । ତଥାପି ଯେଉଁ ରସ କ୍ଷତରେ ଲେପନ କରିଛି, ତାହା ତୁମର ସମସ୍ତ କ୍ଳାନ୍ତି ଦୂର କରିଦେବ । ତା’ଛଡ଼ା ପ୍ରଭାତ ହୋଇଗଲେ ଚୀନା ସୈନ୍ୟଙ୍କ ଦୃଷ୍ଟି ଏଡ଼ିଦେବା କଷ୍ଟକର ହେବ ।

 

ଅର୍ଜ୍ଜୁନଥାପା ଆଗ୍ରହ କଣ୍ଠରେ କହିଲେ ଏହି ମୁହୂର୍ତ୍ତରେ ମୁଁ ଯିବାପାଇଁ ପ୍ରସ୍ତୁତ ।

 

ଭୟନାହିଁ ଯୁବକ ! ଏହି ବିପଦଶଙ୍କୁଳ ସ୍ଥାନ ମୁଁ ତୁମକୁ ପାର କରାଇ ଦେବି ।

 

ପାହାଡ଼ ଗୁମ୍ଫା ତ୍ୟାଗକରି ସେଇ ଝପ୍‍ସା ଅନ୍ଧାର ମଧ୍ୟରେ ଦୁଇଟି ଛାୟାମୂର୍ତ୍ତି ତାୱାଙ୍ଗ ସହର ଦିଗକୁ ଅଗ୍ରସର ହେଲେ ।

 

ପାହାନ୍ତିଆ ତାରା ଦେଖାଦେବା ସଙ୍ଗେ ସଙ୍ଗେ ପାହାଡ଼ୀ ନାରୀ କହିଲା ଏଥର ଭୟର କାରଣ ନାହିଁ, ତୁମର ଯାତ୍ରା ଜୟଯୁକ୍ତ ହେଉ ।

 

ଅର୍ଜ୍ଜୁନଥାପା ସେହି ମହୀୟସୀ ନାରୀଙ୍କର ପଦତଳେ ନତମସ୍ତକ ହୋଇ ପାଦଧୂଳି ନେଲେ-

 

ସତର୍କ ପାଦ ପକାଇ ତୁଷାରବୃତ ଶିଳା ଉପରେ ଆଗକୁ ଅଗ୍ରସର ହେଲେ ଅର୍ଜ୍ଜୁନଥାପା । ରାଇଫଲ ଉପରେ ତାଙ୍କର ହାତମୁଠା ଦୃଢ଼ରୁ ଦୃଢ଼ତର ହେଉଥିଲା ।

 

ଡିସେମ୍ବର ତିରିଶ ତାରିଖ ଊଣେଇଶହ ବାଆଷଠୀ ‘ରବିବାର କଳିଙ୍ଗ’ ଓ ଊଣେଇଶହ ତେ’ଷଠୀ ନବବର୍ଷ ସଂଖ୍ୟା ‘ଆସନ୍ତାକାଲି’ରେ ପ୍ରକାଶିତ ।

Image